ଭିଜା ମାଟି
ଭିଜା ମାଟି
ଗ୍ରୀଷ୍ମ ଋତୁ ଅନ୍ତେ ବରଷା ପ୍ରବେଶେ
ଧରଣୀ ମାଆର କୋଳେ
ପହିଲି ବରଷା ଭରି ଦିଏ ଆଶା
ସୁଶୀତଳ ବାରି ଜଳେ
ବସୁଧା ମାଆର ବିଶାଳ ହୃଦୟ
ବରଷା ଟୋପାରେ ଭିଜେ
ଭିଜିଗଲା ପରେ ବାସନା ଚହଟେ
ପ୍ରୀତିର ପରଶ ଖୋଜେ
ଭିଜା ମାଟି ବାସ୍ନା ସବୁଠୁ ନିଆରା
ମହକରେ ମହକିତ
ଏ'ପହିଲି ପୁଲକ ବରଷାର ଦାନ
ଭବେ ସର୍ବେ ଆନନ୍ଦିତ
ଆଶାର କିରଣ ହୁଏ ସଞ୍ଚାରିତ
ଭିଜିଗଲେ ମାଟି ମାଆ
ଅଙ୍କୁରୋଦଗ୍ମମ ସପନ ବିଭାଷ
ଉତ୍କଣ୍ଠାରେ ଲେଖେ ନାଆଁ
ଚାଷୀକୁଳ ହସେ ଆନନ୍ଦିତ ମନେ
ଭିଜାମାଟି ଇଲାକାରେ
ବୀଜ ବିପଣନେ ଆଶା ତା'ସଞ୍ଚାରେ
ଅମାର ପୂରିବ ବାରେ
ରୁକ୍ଷତା ଶୁଷ୍କତା ଅପସରି ଯାଏ
ମାଟି ଯେବେ ଭିଜିଯାଏ
ସୁକୋମଳ ହୁଏ ଧରଣୀର ବକ୍ଷ
ହୃଦୟକୁ ସତେ ଛୁଁଏ
ସୁଶୀତଳ ଜଳେ ମାଟିମାଆ କୋଳେ
ଜୀବନ ହୁଏ ପ୍ଲାବିତ
ଲକ୍ଷ କୋଟି ଜୀବ ହୁଅନ୍ତି ସନ୍ତୁଷ୍ଟ
ତୃଷା ହୁଏ. ଦୂରୀଭୂତ
ବିଚିତ୍ର ଏ'ସୃଷ୍ଟି ବିଚିତ୍ର ଏ'ମାଟି
ବରଷାର ସଦା ସାଥୀ
ଭିଜି ଭିଜାଇବା ମହା ବଦାନ୍ୟତା
ବରଷାର ବୋଧେ ପ୍ରୀତି
କବି ଲେଖନୀରେ ଭିଜାମାଟି ବାସେ
ଆଘ୍ରାଣର ବୈଶିଷ୍ଠ୍ୟତା
ଭିଜା ଫରଦରେ ଭାବନା ପ୍ରକାଶେ
ମାଟିମାଆ କୋଳେ ସଦା
ଭିଜାଭିଜା ସ୍ବପ୍ନ ହୁଏ ଉଦ୍ଭାସିତ
ସୁଖ ଦୁଃଖ ଅବକାଶେ
ଲେଖନୀ କୁହୁକ ସରାଗ ମାଣିକ
କେବେ କାନ୍ଦେ କେବେ ହସେ