ବାହୁଡିବେ ବୋଲି
ବାହୁଡିବେ ବୋଲି
ପୌଷ- ମାଘ ଦୁଇ
ଆଗପଛ ହୋଇ
ବାହୁଡିବେ ବୋଲି
ସଜବାଜ ହେଲେଣି ପରା ।
ଦକ୍ଷିଣା ପବନ
ବହେ ଘନଘନ
ପାଚିଲା ପତ୍ର ଝଡିପଡ଼େ
ଛାଡି ଗଛର ଡେମ୍ଫ କେରା କେରା ।
ବୋଧେ ଶୀତଋତୁ ଚାଲିଯିବ
ବର୍ଷକ ପାଇଁ ବାହୁଡିବ
ଛାଡିଦେଇ କମ୍ୱଳ ତଳର ଉଷ୍ମତା
ମଇଳା ମଫଲର୍
ସୁଇଟର ଜ୍ଯାକେଟ୍
ସବୁ ଲୋଚାକୋଚା ଜୀର୍ଣ୍ଣଶୀର୍ଣ୍ଣ ତିକ୍ତତା ।
ଆମ୍ବ ବଉଳକୁ ଦେଖି
କୃଷ୍ଣଚୂଡ଼ା ହସେ ମୁରୁକେଇ
ନବ ପଲ୍ଲବ ଗଜୁରେ
କଆଁଳ ପତ୍ରରେ ଗଛ ହସୁଥାଇ ।
ପବନର ସ୍ପର୍ଶ ହିଲ୍ଲୋଳରେ ଦେଖ
ଖସିପଡ଼େ କୁଢ଼ କୁଢ ପତର
ପତ୍ରଝଡା ଋତୁ ବୋଧେ ଆରମ୍ଭ
ଆସିଯିବ ତତଲା ଝାଞ୍ଜି ପ୍ରହର ।
ଶୀତ ଋତୁ ବିଦାୟ ନେବ ଭଲକଥା
କିନ୍ତୁ ପୁଣି ଫେରିବ ଆର ବର୍ଷକୁ
ସମୟ ଚକ୍ରର ଆବର୍ତ୍ତମାନରେ ବି
ଛାଡ଼ ନାହିଁ ଋତୁଚକ୍ର ବିବର୍ତ୍ତନକୁ ।
