ଅଦିନ ପାବଚ୍ଛ
ଅଦିନ ପାବଚ୍ଛ
କବିତା - ଅଦିନ ପାବଚ୍ଛ
ରଚନା - ପଞ୍ଚାନନ ଜେନା
ତାରିଖ -୦୩-୦୩-୨୦୨୬
+++++++++++++++++
ତୁମ ନୀଳାମ୍ବୁ ଚିଲିକା ଆଖିରେ
ଏ ସହର ନଗରକୁ କି ଦେଖିହୁଏ?
ସବୁ ଲାଗେ ଫିକା ଫିକା ଫଗୁଣ
ଏ ସହର ବଜାରକୁ କି ବୁଝିହୁଏ ?
ତୁମ ଜଳଧି ଫେନିଳ ଭାବନାରେ
ଏ ଭାବ ତରଙ୍ଗ କି ମାପିହୁଏ?
ସବୁ ଲାଗେ ବେଳାଭୂମୀ ସିକତ ସୈକତ
ଏ ଭାବ ସମୁଦ୍ର କି ଡୁବିହୁଏ ?
ତୁମ ଶତ କଦମ୍ବ ରୋମାଞ୍ଚରେ
ଏ ରୂପ ଲାବଣ୍ୟ କି ଦେଖିହୁଏ?
ସବୁ ଲାଗେ ତୁଚ୍ଛ ରକ୍ତ ମାଂସର ସ୍ତୁପ
ଏ ମାର୍ବଲ ମଶୃଣ କି ଛୁଇଁ ହୁଏ ?
ତୁମ କଳା ମେଘି ଛାୟାକାନ୍ତିରେ
ଏ ପ୍ରୀତି ପାର୍ବଣ କି ବୁଲିହୁଏ ?
ସବୁ ଲାଗେ ମିଛ ମାୟା ଆବରଣ
ଏ ଦେହ ଦେହଳୀ କି ପାଇହୁଏ ?
ତୁମ ସାଧବ ବୋହୁ ପାଟଛାଟରେ
ଏ ତାଜମହଲ କି ଦେଖିହୁଏ?
ସବୁ ଲାଗେ ରଙ୍କ ହାତରେ ଚନ୍ଦ୍ର
ଏ ରମ୍ଭା ଭର୍ବସୀ କି ସରିନୁହେଁ ?
ତୁମ ପୂଜା ପାଠ ଭକ୍ତି ଶ୍ରଦ୍ଧାରେ
ଏ ମିଛ ମାୟା ସଂସାର କି କଳ୍ପିହୁଏ ?
ସବୁ ଲାଗେ ତୁଚ୍ଛ ଅସାର ସଂସାର
ଏ ଅଢ଼େଇ ଦିନର ବଢ଼େଇ କି କଳିହୁଏ?
ତୁମ ସୁଗ୍ରହଣୀ ସରାଗ ସଣ୍ଠଣାରେ
ଏ ତେଲ ଲୁଣର ଜୀବନ କି ସହିହୁଏ ?
ସବୁ ଲାଗେ ତୁଚ୍ଛ ଅଦିନ ଅଲିଭା ପାବଚ୍ଛ
ଏ ଆଚରଣ ଉଚ୍ଚାରଣ କି ଫେଣ୍ଟି ହୁଏ ?
