ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ନିଶା ଗରଜୁଛି ପବନ ବହୁଛି
ଅଧା ଅଧା ଜହ୍ନ ଦିଶେ ,
କଳା ବାଦଲର ହାତ ଧରି ଧରି
ତା ଦେହରେ କେବେ ମିଶେ ।
ଶ୍ୱାନ ଶୃଗାଳଙ୍କ ବିକଟାଳ ସ୍ଵର
ବହୁ ଦୂରୁ ଆସେ ଭାସି,
ଗଛ କୋରଡ଼ରେ ପେଚା ଚେମେଣିଆ
ଖାଦ୍ୟ ଉଣ୍ଡାଳନ୍ତି ବସି ।
ବୁଦା ମୂଳୁ ଶୁଭେ ଝିଙ୍କାରିର ରଡ଼ି
ଅସହ୍ୟ ଲାଗଇ ଭାରି,
ରାତ୍ରୀ ଚର ଯେତେ ଆତ ଯାତ ହୋଇ
ହଜାନ୍ତି ରାତ୍ରୀର ଶିରି ।
ଆମ୍ବତୋଟାର ସେ ଗହିର ଅନ୍ଧାରୁ
ଶୁଭେ କ୍ରନ୍ଦନର ସ୍ବର,
ମଣିଷ ନୁହେଁ ସେ ଅତୃପ୍ତ ଆତ୍ମା ଟେ
କାନ୍ଦୁଛି ଯେ ବାର ବାର ।
ଯା ପାଇଁ ସେ ଦିନେ ବଧୂ ସାଜିଥିଲା
ଭଲପାଇବାକୁ ଢ଼ାଳି ,
ସେ ଆଜି ପିଶାଚ ସୈତାନ ସାଜିଲା
ଚାଢାଇଲା ତାର ବଳି ।
ବାଧକ ସାଜିଲା ବ୍ୟାଧି ଯେ ତାହାର
ସିନ୍ଦୂର ସାଜିଲା ବିଷ ,
ପ୍ରେମକୁ ଭାବିଲା ବୋଝ ବୋଲି ସିଏ
ନିଜ ହାତେ କଲା ଶେଷ ।
ବାହୁନି ବାହୁନି ବୁଲୁଛି ଦୁଃଖିନୀ
ନ୍ୟାୟ ଦବ ତାକୁ କିଏ
ଶରୀର ମିଶିଛି ମାଟିର ଦେହରେ
ଅଶରୀରୀ ପରା ସିଏ |

