ଚଢେଇ ଓ ଚଢେଇଆ
ଚଢେଇ ଓ ଚଢେଇଆ
ଜଙ୍ଗଲରେ ଚଢେଇଆ ଜାଲ ଓ ଅଠାକାଠି ବସାଇ, ପାଖରେ ଦାନା ବୁଣି ଦେଇଥିଲା ।
ଆକାଶରେ ଉଡ଼ି ଯାଉଥିବା ଦଳେ ଚଢେଇଙ୍କ ଆଖିରେ ପଡ଼ିଲା ଦାନା । ଚଢେଇ ଦଳର ମୁଖ୍ୟ ସମସ୍ତଙ୍କୁ ତାଗିଦ କରି କହିଲା ,"ହୁସିଆର, ଲୋଭରେ କେହି ଦାନା ଖାଇବାକୁ ତଳକୁ ଯିବନି । ଜାଲ ବସେଇଛି ଶିକାରୀ । "
ଟୋକା ଚଢେଇଟା କହିଲା, " କିଛି ଅସୁବିଧା ନାହିଁ । ପୁରୁଣା କଥା, ଆମେ ଆମ ଜେଜେ,ଅଜାଙ୍କ ପାଖରୁ ଶୁଣିଛେ । ଏକାଠି ମିଶି ଚଢେଇମାନେ ଜାଲକୁ ନେଇ ଉଡିଯାଇଥିଲେ । ସେଇ ଗପ "ଏକତା'ର ବଳ " ଗପ ପରା ମଣିଷମାନେ ସ୍କୁଲରେ ପଢ଼ୁଛନ୍ତି । ହେଲେ ସେମାନେ ଜାଣିନାହାନ୍ତି ଯେ ଆମ ଶିକ୍ଷାର ସିଲାବସ୍ ବି ବଦଳି ଗଲାଣି । "
ଦଳ ମୁଖ୍ୟ ଚିଲେଇଲା,"କାହିଁକି ରିସ୍କ ନେବ ? ସାମାନ୍ୟ କିଛି ଦାନା ପାଇଁ !"
ଚଢେଇମାନେ ଭୋକିଲା ଥିଲେ । ସରକାରଙ୍କର ବନ୍ୟ ଜୀବଜନ୍ତୁ ସୁରକ୍ଷା ଯୋଜନାରେ ମାଗଣା ଖାଦ୍ୟ ଖାଇଖାଇ, ଚଢେଇଙ୍କ ଖାଦ୍ୟ ଅନ୍ଵେଷଣ କରିବା ପ୍ରକୃତି ବଦଳି ଯାଇଥିଲା ।
ତେବେ ନୂଆ ବଦଳି ହୋଇ ଆସିଥିବା ଜଙ୍ଗଲ କର୍ମୀମାନେ, କିଛି ଉପୁରି ଆମଦାନୀ ପାଇଁ, ଚଢେଇଙ୍କ ଦାନା ସବୁ ବେପାରୀଙ୍କୁ ବିକିଦେଇଥିଲେ । ଖାତାରେ କିନ୍ତୁ ଲେଖାଯାଉଥିଲା, ଚଢେଇଙ୍କୁ ମାଗଣା ଦାନା ଦିଆଯାଉଛି ବୋଲି ।
ସେଥିପାଇଁ ଚଢେଇମାନେ ଭୋକରେ ଆଉଟୁପାଊଟୁ ହୋଇ ଜଙ୍ଗଲ ବାହାରକୁ ଆସିଥିଲେ । ଦାନା ଦେଖି ସେମାନଙ୍କ ଡେଣା ଅବଶ ହେବାକୁ ଲାଗିଲା । କ୍ଷୁଧାର ଜ୍ବାଳା, ସେମାନଙ୍କ ଚିନ୍ତା ଶକ୍ତିକୁ ଆଚ୍ଛାଦିତ କରିଦେଉଥିଲା ।
ସମସ୍ତେ କିଚିରିମିଚିରି ହୋଇ ଗୋଟେ ନିର୍ଣ୍ଣୟ ନେଇ ଦାନା ଖାଇବା ପାଇଁ ମନସ୍ଥ କଲେ ଓ ଆନନ୍ଦ ମନରେ ଗୀତ ବି ବୋଲିଲେ । ଦଳର ମୁଖ୍ୟ ବୁଢ଼ା ଚଢେଇକୁ ,ସଭାପତି ପଦରୁ ହଟାଇ, ମଣିଷଙ୍କ ପରି କଥା ଶିଖିଥିବା ସେଇ ଯୁବ ଚଢେଇକୁ ସଭାପତି ପଦରେ ସର୍ବସମ୍ମତି କ୍ରମେ ନିଯୁକ୍ତି ଦିଆଗଲା ।
ବୁଢ଼ା ଚଢେଇ ନିରବ ରହିଲା । କାରଣ ଯୌବନନ୍ଦୀପ୍ତ ସେଇ ଟୋକାଟି ,ତାରି ଶାବକ ଥିଲା । ଦଳର ଅନେକ ଯୁବତୀ ଚଢେଇ ଥିଲେ ଟୋକା ଚଢେଇ ର ପ୍ରେମିକା । ଖୋଲାଖୋଲି ପ୍ରେମ ନିବେଦନ ଓ ରମଣ ନିତିଦିନିଆ କଥା ଥିଲା । ଆଜି ଗାଦିଚ୍ୟୁତ ଚଢେଇ ଖାଲି ଚିନ୍ତିତ ଥିଲା ଦଳର ସୁରକ୍ଷା ପାଇଁ ।
ଯୁବ ଚଢେଇ ଟି ଜଙ୍ଗଲ ଭିତରେ, ବନ୍ୟ ବିଭାଗ'ର ବିଭିନ୍ନ ପାହ୍ୟାରେ ଥିବା କର୍ମଚାରୀମାନଙ୍କର ଭିନ୍ନ ସଂଗଠନ,ସଭା,ଆଲୋଚନକୁ ନିରୀକ୍ଷଣ କରୁଥଲା । ସବୁ ଦିନ କାମ ଅପେକ୍ଷା ରାଜନୀତି ଅଲୋଚନା ଅଧିକ ହେଉଥିଲା । ବଡ଼ ହାକିମ ବା ବିପକ୍ଷ ଲୋକଙ୍କୁ କେମିତି ନିଜ ବଶକୁ ଆଣିବ, ତା'ର ଆଲୋଚନା ବି ହେଉଥିଲା । ଯୁବ ଚଢେଇ ଚୁପ୍ କିନା ସବୁ ଆଲୋଚନା ଶୁଣେ ଓ ମନେରଖେ । ଆଜି ସେଇ ବୁଦ୍ଧି କୁ କାମରେ ଲଗାଇବାକୁ ଚାହୁଁଥିଲା ।
ବୁଦା ଉହାଡରେ ବସି ଶିକାରୀ ଚିନ୍ତା କରୁଥିଲା ,ଚଢେଇମାନେ ଦାନା ଖାଇବାକୁ ଜାଲରେ କାହିଁକି ବସୁନାହାନ୍ତି !ଆହୁରି ଅଧିକ କିଛି ମୁଠା ଦାନା ପୁଣି ବିଞ୍ଚିଦେଲା ।
ଯୁବ ଚଢେଇ ଦେଖୁଥିଲା ଶିକାରୀ କୁ । ବହୁତ ଦୁର୍ବଳ ଦିଶୁଥିଲା ଚଢେଇ ଧରାଳିର ଦେହ । ଜୀର୍ଣ୍ଣଶୀର୍ଣ୍ଣ ଦେହରେ ଛିଣ୍ଡା ଲୁଗା ଖଣ୍ଡେ ପିନ୍ଧିଥିଲା । ଅନେକ ଦିନ ହେଲାଣି ବୋଧେ ଭଲ କରି ଦୁଇ ମୁଠା ଖାଇନଥିବା ଭଳି ଦିଶୁଥିଲା ବିଚରା ।
"କଣ ମଉସା, ଚଢେଇ ଧରିବାକୁ ବସିଛ ?କେତେ ଟଙ୍କା ପାଇବ ଆମକୁ ବିକି ?ଆସ ତମେ , ଆମେ ମିଶି ଗୋଟେ ଡିଲ କରିବା । ଯଦି ତମେ ରାଜି, ପ୍ଲାନ ମୁଁ କହିବି । ଆମ ବିଶ୍ଵାସରେ ବିଷ ନଦେଲେ, ତମେ ମାଲାମାଲ ହେବ । "
ଚମକି ପଡ଼ିଲା ଚଢେଇଆ । କଥା କୁହା ପକ୍ଷୀକୁ ଆଶ୍ଚର୍ଯ୍ୟ ହୋଇ ଅନାଉଥିଲା ସେ । ଏ କେମିତି ସମ୍ଭବ ?କୂଟନୀତି,ରାଜନୀତି ଓ ଗଠବନ୍ଧନ ତ କେବଳ ମଣିଷ କରନ୍ତି ନିଜ ଭିତରେ । ଆଜି ଚଢେଇ ସହିତ ! ଏହା କିଭଳି ସମ୍ଭବ !
"ମୁଁ ବୁଝି ପାରିଲିନି । ମୁଁ ତ ତୁମ ଶତ୍ରୁ । ମୋ ସହିତ ତମେ କେମିତି ମିଶିବ ?"
ନିଜ ଡେଣା ଝାଡ଼ି ନୂଆ ସଭାପତି ଚଢେଇ କହିଲା, "ଆଜିର ଯୁଗ ହେଲା ଗଠବନ୍ଧନ ଯୁଗ । ହାତ ମିଶାଇଲେ ଦୁହିଁଙ୍କ ଲାଭ । ନହେଲେ ଆମକୁ ବିକ୍ରୀ କଲେ, ଜଙ୍ଗଲ ଆଇନ୍ ଅନୁସାରେ ତମେ ଜେଲ ଯିବ । "
ବୁଢ଼ା ହସିଲା । ତା, ଶୀର୍ଣ୍ଣକାୟ ଦେହଟା ଟିକିଏ ଆନ୍ଦୋଳିତ ହେଲା । "କିଏ କହିବ ମୋ ବିଷୟରେ ?"
" ଆମେ ଏବେ କଥା କହିପାରୁଛୁ । ବ୍ଲୁ-କ୍ରସ ମେମ୍ବର ବି ଆମର ଚିହ୍ନା । ତେଣୁ ତମେ ଆମପରି ବିଲୁପ୍ତ ପ୍ରଜାତି ର ଚଢେଇଙ୍କୁ ଧରିବା ଅଭିଯୋଗରେ ଜେଲ ଯିବ । "
ବୁଢ଼ା ଟିକେ ଡରିଗଲା । ସତ କଥା । ଏ ଚଢେଇଙ୍କୁ କିଛି ବିଶ୍ବାସ ନାହିଁ ।
"ତମେ ଏ ଜାଲ ଉଠାଇ ନିଅ,ଓ ମୁଁ ଯାହା କହୁଛି ଶୁଣ । ଅଳ୍ପ ଦିନ ଭିତରେ ତମେ କୋଠା ବାଡେଇଦେଵ । "ଚଢେଇର ଯୋଜନା ଶୁଣିଲା ଶିକାରୀ । ଆରେ ବାପ୍ ରେ !ଏ ତ ପୁରା ରାଜନୈତିକ ଘୋଡା ବେପାର ଠାରୁ ବଳିଗଲା ।
ଚଢେଇଆ ରାଜିହୋଇ ଜାଲ ଉଠାଇ ଚାଲିଗଲା ଓ ଦାନା ଖାଇବାରେ ଲାଗିଗଲେ ଚଢେଇମାନେ ।
ବୁଢ଼ା ଚଢେଇ ପଚାରିଲା, " କି ଡିଲ କଲୁ ?"
ଟୋକା ଚଢେଇ ହସୁଥିଲା କେବଳ ।
ପରଦିନ ଖବରକାଗଜ ରେ ଗୋଟାଏ ବିଜ୍ଞାପନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଅନେକ ରୁଣ୍ଡ ହୋଇଥିଲେ ଖୋଲା ପଡ଼ିଆରେ ।
ନିଜକୁ ଏକ ବଡ଼ ଜାଲ ଓ ଅଠାକାଠିରେ ଛନ୍ଦି ଚଢେଇଆ ଦୁଇ ହାତରେ ଧରିଥିଲା ଦୁଇଟା ବଡ଼ ଦାନା ର ପାତ୍ର ।
"ପକ୍ଷୀ ଆମ ବନ୍ଧୁ । ଆସନ୍ତୁ ସେମାନଙ୍କ ବିଶ୍ବାସଭାଜନ ହେବା “ଲେଖା ବଡ ବଡ଼ ପ୍ଲାକାର୍ଡ ଚାରିଆଡେ ଝୁଲା ହୋଇଥିଲା । କିଚିରିମିଚିରି ଶବ୍ଦ କରି ଚଢେଇମାନେ ତା ହାତରୁ ନିର୍ଭୟରେ ଦାନା ଖାଉଥିଲେ ବିନା ସଙ୍କୋଚରେ । ଦର୍ଶକ ମାନେ ଆଶ୍ଚର୍ଯ୍ୟ । ସବୁ ଦିନ ଗୋଟାଏ ଶୋ କରୁଥିଲା ଚଢେଇଆ । ଗୋଟିଏ ଛୋଟ ଜାଲଟିକୁ ,ଶୋ ଶେଷରେ ଚଢେଇମାନେ ଟେକିନେଇ ଉଡିଯାଇ କିଛି ଦୂରରେ ଫିଙ୍ଗିଦେଉଥିଲେ ।
ଶିକାରୀ ସବୁ ଦିନ ନିଜେ, ଶିକାର ବନିବାର ଅଭିନୟ କରୁଥିଲା ଓ ପ୍ରଚୁର ପଇସା ରୋଜଗାର କରୁଥିଲା । ଚଢେଇମାନେ ନିଜ ମନ ପସନ୍ଦ ର ନୂଆ ଖାଇବା ଜିନିଷ ବରାଦ କରୁଥିଲେ । ମାଗଣାରେ ବିନା ପରିଶ୍ରମ, ଖୋଜା ଲୋଡ଼ାରେ ମନ ପସନ୍ଦର ପେଟ ଭରି ଖାଦ୍ୟ ମିଳୁଥିବାରୁ ଚଢେଇପଲ ଖୁସିଥିଲେ ନିଜ ଯୁବ ନେତା ଚଢେଇ ଉପରେ । ଅନ୍ୟ ଦଳ ଚଢେଇ ବି ସେମାନଙ୍କ ଦଳରେ ଯୋଗ ଦେଇଥିଲେ । ଯୁବ ଚଢେଇ ଏହାକୁ ସବୁଜ ଗଠବନ୍ଧନ କହୁଥିଲା ।
ବୁଢା ଚଢେଇଟା କିନ୍ତୁ କେବେ ସହରକୁ ନ ଆସି, ଏକୁଟିଆ ଜଙ୍ଗଲରେ ରହି, ପୋକ ଜୋକ ଖାଇ ଉଦାସ ରହୁଥିଲା । ନିଜ ଛୁଆ ଚଢେଇ ର ନୂଆ କାରନାମା ଓ ଚଢେଇ ଶିକାରୀ ସହ ଏକାଠି ମିଶି ମିଛିମିଛିକା ଖେଳ ଦେଖା ତାକୁ ପସନ୍ଦ ନଥିଲା । ଈର୍ଷା, ଅସହିଷ୍ଣୁତାପଣ ତାକୁ ଆବୋରି ବସୁଥିଲା । ଏକେତ ସେ କ୍ଷମତାଚ୍ୟୁତ ହୋଇଥିଲା; ତା ଛଡ଼ା,ପୁଅ ର ଏଇ ଲୋକପ୍ରିୟତା ଓ ନିଜ ଦଳର ତାକୁ ଅଣ ଦେଖା ଯୋଗୁଁ ସେ ପ୍ରତିହିଂସା ପରାୟଣ ହୋଇଉଠିଥିଲା । ଚିନ୍ତା କରୁଥିଲା କେମିତି ପାନେ ଦେବ ନିଜ ଦଳକୁ ଓ ପୁଅକୁ ।
ଉପାୟ ଠିକ୍ କରିଦେଲା । ଦିନେ ସୁଯୋଗ ଦେଖି ନିଜେ କାମ କରିଦେଇ ଆସିବ । ବାସ୍,ଚଢେଇପଲଙ୍କ ଦାନା ବନ୍ଦ ହୋଇଯିଵ ଓ ତା କଥା ପୁଣି ମାନିବେ ।
ସେଦିନ ଯୁବ ଚଢେଇ'ର ରାଜ୍ୟାଭିଷେକ ଯୋଗୁଁ ସବୁ ଚଢେଇ ଜଙ୍ଗଲରେ ପାର୍ଟି କରୁଥିଲେ ।
ବୁଢ଼ା ଚଢେଇକୁ ମଉକା ମିଳିଗଲା ସହରକୁ ଯିବାକୁ । ସିଧା ସେଇ ଜଙ୍ଗଲ ପାଖ ପଡ଼ିଆରେ ପହଂଚି ଉଡ଼ି ବୁଲିଲା ଚଢେଇଆ ମୁଣ୍ଡ ଉପରେ,ତା ଆଖିକୁ ଖୁମ୍ପି କଣା କରିବାକୁ ।
ଦୁର୍ଭାଗ୍ୟକୁ ସେଦିନ ଚଢେଇଆ'ର ପୁଅ, ବାପକୁ ବାନ୍ଧି ଘରେ ପକାଇ, ନିଜେ ଆସିଥିଲା ପଡିଆକୁ ବାପ ବେଶରେ ଖେଳ ଦେଖାଇବା ବାହାନାରେ ସେଇ ଚଢେଇପଲଙ୍କୁ ଧରିବା ପାଇଁ । ଜୁଆରେ ହାରି ଲକ୍ଷାଧିକ ଟଙ୍କାର କରଜ ସୁଝିବାପାଇଁ ପକ୍ଷୀ ବ୍ୟବସାୟୀଙ୍କ ସହ ସେ ଡିଲ କରିଥିଲା ।
ଚଢେଇଆ ପୁଅ ଜାଲରେ ପଡ଼ିଥିଲା, କେବଳ ସେଇ ବୁଢ଼ା ଚଢେଇଟା ଓ ବୁଢ଼ା ଚଢେଇ ଖୁମ୍ପାରେ ଚଢେଇଆ ପୁଅର ଦୁଇ ଆଖି ଲହୁ ଲୁହାଣ ହୋଇ ଚିତ୍କାର କରୁଥିଲା ସାହାଯ୍ୟ ପାଇଁ ବାପାକୁ ଡାକ ପକାଇ । ବୁଢ଼ା ଚଢେଇ ବି ଜାଲରେ ପଡି ନିଜ ପୁଅ ଓ ଦଳକୁ ଖୋଜୁଥିଲା କିଚିରିମିଚିରି ହୋଇ ।
ଉପସ୍ଥିତ ଜନତା ଏକ ନୂଆ ଖେଳ ଦେଖୁଥିଲେ ସେଦିନ ।
(ଅରବିନ୍ଦ ଦାସ)