ମହିଳା ଦିବସରେ ଜଣେ ମହିଳାଙ୍କ କାହାଣୀ
ମହିଳା ଦିବସରେ ଜଣେ ମହିଳାଙ୍କ କାହାଣୀ


- ମମି ଘର ଛାଡି ଚାଲିଯାଇଛି ଡ୍ୟାଡି । ଫୋନ୍ ବି ଉଠାଉନି । ତମେ ଜଲଦି ଘରକୁ ଆସ । "
ଝିଅ ପୁତୁଲ କଥା ଶୁଣି ଟିକେ ଡ଼ରିଗଲା ଅଭୟ । ମମତା ଘର ଛାଡି କୁଆଡ଼େ ଯିବ ?କାହିଁକି ବା ଯିବ ?ଆଜି ଅଫିସ ଆସିଲା ବେଳେ ତ ସେ ନର୍ମାଲ ଥିଲା । ବ୍ୟସ୍ତ ହୋଇ ଅଭୟ ଝିଅ କୁ ପଚାରିଲା,
- କେତେବେଳେ ଗଲା ମମି ?ଜେଜେମାକୁ ଫୋନ୍ ଦେଲୁ ।
ନାତୁଣୀ ଠୁ ଫୋନ୍ ନେଇ ପ୍ରମିଳା କହିଲେ, "ତୁ ଶୀଘ୍ର ଘରକୁ ଆସ । ଗୋଟେ ବ୍ୟାଗରେ ଲୁଗାପଟା ପୁରାଇ ଅଟୋରେ ବସି ଚାଲିଯାଇଛି ବୋହୁ । ମୋତେ ବି କିଛି ଜଣାଇନି । ତୁ ଅଫିସ ଗଲାପରେ ମନକୁ ମନ କଣ ସବୁ ଗପୁଥିଲା । ତମ ବେଡ଼ରୁମରେ କବାଟ ଆଉଜାଇ କାନ୍ଦୁଥିଲା । ମୁଁ ପଚାରିଲାରୁ ମୋତେ ବାଆଁରେଇ ଦେଲା । ତା ଫୋନ୍ ସୁଇଚ ଅଫ । ସନ୍ଧ୍ୟାରେ ପୁଣି ଆଜି ଘରେ ପୂଜା ହେବ ଓ କୁଣିଆ ଆସିବେ ବୋଲି ସେ ଭଲ ଭାବରେ ଜାଣିଛି । ସବୁ ତୋରି ଦୋଷ । ମୁଣ୍ଡରେ ବସାଇଥା । "
ମୁଣ୍ଡଟା ଗୋଳମାଳ ହୋଇଯାଉଥିଲା ଅଭୟର । ଆଜି ସନ୍ଧ୍ୟାରେ ତାର ଅଫିସରେ ନୂଆ ପ୍ରଡ଼କ୍ଟ ଲଞ୍ଚ ପାର୍ଟି ଅଛି,ତାପରେ ହୋଟେଲ ରେ ପାର୍ଟି । ଏବେ କିଛି ସମୟ ପରେ ମିଟିଙ୍ଗ । ଘରକୁ ଫେରିଲା ବେଳକୁ ଡେରି ହେବ ବୋଲି ସେ ମମତା କୁ କହିଥିଲା । ଏମିତି କେମିତି ଦାୟିତ୍ବହୀନ ହୋଇପାରିଲା ମମତା ?ପିଲାମାନେ ସ୍କୁଲରୁ ଆସିବେ । ଘରେ ବାପା ବୋଉ ଅଛନ୍ତି । ପୂଜା ପାଇଁ ଯୋଗାଡ଼ଯନ୍ତ୍ର,ରାତିରେ କୁଣିଆ ଆସିବେ । କାଲିଠୁ ଝିଅ ଓ ପୁଅର ସ୍କୁଲ । ନିଜେ ଫୋନ୍ ଲଗାଇଲା ଅଭୟ । ନେଟୱାର୍କ ବାହାରେ ଫୋନ୍ ଅଛି ବୋଲି ମେସେଜ୍ ଆସୁଛି ।
ମମତା ର ସାଙ୍ଗଙ୍କୁ ଫୋନ୍ ଲଗାଇଲେ ଜଣା ପଡିବ । ତେବେ ସେମାନଙ୍କ ଫୋନ୍ ନମ୍ବର ତ ନାହିଁ । ତାଛଡ଼ା କାହାକୁ ଫୋନ୍ କଲେ ସେମାନେ ବି ସନ୍ଦେହ କରିବେ । ଅଯଥାରେ ସମସ୍ତଙ୍କୁ ଉତ୍ତର ଦେବାକୁ ପଡିବ । ବ୍ୟାଗ ନେଇ କୁଆଡେ ଯିବ ମମତା ?ବାପଘର ଅଥବା ନିଜ ଭାଇଙ୍କ ପାଖକୁ ସମ୍ବଲପୁର ? ତରବର ହୋଇ ବସ୍ ଙ୍କୁ ଅର୍ଜେଣ୍ଟ କାମ ଅଛି କହି ବାହାରି ଆସିଲା । ବସ୍ ବି ତା କଥା ଶୁଣି ଟିକେ ଚିଡିଯାଇଥିଲେ,ବାଧ୍ୟ ହୋଇ ମିଛ କହିଲା ୱାଇଫ ହସ୍ପିଟାଲରେ ଆଡ଼ମିଟ ହୋଇଛି ବୋଲି । କଣ ଆଉ କହିଥାନ୍ତା ?
ପୁଣି ଫୋନ୍ ଲଗାଇଲା ମମତାକୁ । ସୁଇଚ ଅଫ । ମନେମନେ ରାଗି ଉଠୁଥିଲା ଅଭୟ । ଫୋନ୍ କାହିଁକି ଅନ କରୁନି ମମତା ?ରାଗିଛି ! ମନେ ପକାଉଥିଲା ସେ ।
- କାଲି ବିଶ୍ୱ ମହିଳା ଦିବସ । ସନ୍ଧ୍ୟାରେ ପିଲାଙ୍କୁ ନେଇ ବାହାରକୁ ଯିବା ?"ପଚାରୁଥିଲା ମମତା ।
-ବର୍ଷ ର ସବୁଦିନ ତ ମହିଳା ଦିବସ । ଆଜି ପୁଣି କେଉଁ ନୂଆ କଥା ?କାଲି ମୋ ଅଫିସରେ ପାର୍ଟି ଅଛି । ଫେରିଲା ବେଳକୁ ଡେରି ହେବ ।
- ମୋର କିଛି ସାଙ୍ଗମାନେ ବାରମ୍ବାର କହିଛନ୍ତି । କେଵଳ ଲେଡିଜ ମାନଙ୍କ ପାଇଁ । ବୋଉଙ୍କୁ ନେଇ ମୁଁ ଚାଲିଯିବି ?ତମେ ସାଙ୍ଗରେ ଥିଲେ ବାପା ଓ ପିଲାଙ୍କୁ ସେଇ ହୋଟେଲରେ ଖୁଆଇ ଦେଇଥାନ୍ତ ।
- ବାପା ଓ ପିଲାମାନେ ଘରେ ଏକୁଟିଆ କେମିତି ରହିବେ ?
ସେମାନଙ୍କ କଥାଶୁଣି ବୋଉ ପାଖକୁ ଆସି ପଚାରିଲା,"କିଏ ଏକୁଟିଆ ରହିବ ?"
ଶାଶୁଙ୍କୁ ଦେଖି ମମତା କହିଲା,"କାଲି ବିଶ୍ୱ ମହିଳା ଦିବସ ବୋଲି ସାଙ୍ଗ ମାନେ ରାତିରେ ହୋଟେଲରେ ପାର୍ଟି ରଖିଛନ୍ତି । ଆପଣ ଓ ମୁଁ ଯିବା ପାଇଁ ୟାଙ୍କୁ କହୁଥିଲି । "
ଆଶ୍ଚର୍ଯ୍ୟ ହୋଇ ପ୍ରମିଳା କହିଲେ,"କାଲି ଘରେ ସନ୍ଧ୍ୟାରେ ପୂଜା ହୋମ ହେଵ । ଠାକୁର ଘର ସଜଡା ହେବ । ରାତିରେ ମୋ ପିଉସୀ ପୁଅ ଟୁନା ଭାଇ ତା ପିଲାଙ୍କୁ ନେଇ ଆସିବ । ସେମାନେ ପାଞ୍ଚ ଜଣ ଆସିବେ ।
- ବୋଉ ,ସେମାନଙ୍କୁ ପହରଦିନ ଆସିବାକୁ କୁହନ୍ତୁନା ।
- ଆଛା,ତୁ ତୋ ସାଙ୍ଗଙ୍କ ସହ ହୋଟେଲରେ ପାର୍ଟି କରିବୁ ବୋଲି ମୋ ପରିବାର ଲୋକ ଘରକୁ ଆସିବେନି ?ଆମେ କଣ ମହିଳା ନୋହୁଁ ?ଆମ ବେଳେ ତ ଏ ମହିଳା ଦିବସ ନଥିଲା? ଆଜିକାଲି ତ ସବୁଦିନ ଗୋଟେ ଗୋଟେ ଦିବସ । ଶାଶୁ ଶଶୁରଙ୍କ ପାଇଁ କିନ୍ତୁ ଗୋଟେ ଦିବସ ନଥିବ । ବେମୁରବି ହେଲେ ଯାହା ହୁଏ । "
ଅଭୟ ଆଡ଼କୁ ଚାହିଁ ମମତା କହିଲା,"
- ଶୁଣ ବାହାରୁ କାଲି କିଛି ଖାଇବା ମଗାଇଦିଅ । ମୁଁ ରାଇସ ଓ ଦୁଇଟା ତରକାରୀ ସକାଳୁ ବନାଇ ରଖିଦେବି । ଖଟା,ଦହି ,ସାଲାଡ଼ ଓ ମିଠା ତ ଏମିତି ରହିବ । "
- ଥାଉ ଥାଉ ତାହେଲେ । ବିସ୍କୁଟ,ଚାହା ଦେଇ ସେମାନଙ୍କୁ ପଠାଇଦେବି । ଘରେ କଣ ଚାହିଁଲେ ସବୁ ହୋଇପାରିବନି ?ସାହାଯ୍ୟ କରିବାକୁ ମୁଁ ଅଛି, ଚାକରାଣୀ ମଞ୍ଜୁ ଅଛି । ବାହାରୁ କାହିଁକି କିଣାହେବ ?ପେଟ ଖରାପ,ଟଙ୍କା ବି ଖର୍ଚ୍ଚ । "
ଚୁପ୍ କିନା ବେଡ଼ରୁମକୁ ଚାଲି ଆସିଲା ମମତା ।
କରୁଣ ଦେଖାଗଲା ମମତା ର ମୁହଁ । ଗୋଟାଏ ଦିନ ବି ତାକୁ ବିଶ୍ରାମ ନାହିଁ ?ଅଭୟ ଚାହିଁଲେ କଣ ତା କଥାରେ ରାଜି ହୋଇ ନଥାନ୍ତା ?ଶାଶୁ କି ହେଲ୍ପ କରିବେ ତାହା ସେ ଭଲ ଭାବେ ଜାଣେ । ଦହି ରେ ବୁନ୍ଦି ମିଶାଇ ରାଇତା ଓ କାକୁଡି ରୁ ଚୋପା ଛଡାଇବା ବ୍ୟତୀତ ଆଉ କିଛି କରିବେନି । ହାତ,ଅଣ୍ଟା ଦରଜ ବୋଲି କୁହନ୍ତି । ମମତା କିଛି ନକହି ସବୁ ଆପେ ଆପେ କରେ । ଚାକରାଣୀ ଆହୁରି ଠକ । ପିଆଜ ଚାରିଟା କାଟିଦେଲା ବେଳେ ଆଗ କହିବ, ମା ମୋ ପିଲାଙ୍କ ପାଇଁ ଆଇଁଷ ତରକାରୀ ଅଲଗା ରଖିବ । ଘାଣ୍ଟି ହେବା ହିଁ ନାରୀ ଜୀବନ । ଟିକେ ଫୁରୁସତ କଥା ଭାବିବା ତା ଭଳି ମହିଳାଙ୍କ ପାଇଁ ସ୍ବପ୍ନ । ପୂଜା ଓ କୁଣିଆଙ୍କ ଦିନ ଘୁଞ୍ଚିବ ନାହିଁ । କେଵଳ ନିଜକୁ ଘୁଞ୍ଚାଇ ଆଡ଼ଜଷ୍ଟ କରିବ ଗୃହିଣୀଟେ । କିନ୍ତୁ ତା ଭଳି ଅନେକ ଗୃହିଣୀ କିଛି କାମଦାମ ନକରି କେତେ ଆରାମରେ ଅଛନ୍ତି ?ସବୁ କାମ ପାଇଁ ଲୋକ ଅଛନ୍ତି । ହୋଟେଲ,ପାର୍ଟି ,ମସ୍ତି । ସେ ତ ଫୋନ୍ ରେ ଟିକେ ଗପିଲେ ଅଭୟ ଓ ଶାଶୁଙ୍କ ଦେହରେ ଯାଏନା ।
ରୁମକୁ ଆସିଲା ଅଭୟ । "ଆଛା ମମତା,ପିଲାଙ୍କ ଫାଇନାଲ ପରୀକ୍ଷା ତ ଥିବ । "
- ପିଲାଙ୍କ ପଢା ପଢି ଦିନେ ଦେଖିଛ ?ଦୁଇଦିନ ତଳୁ ସେମାନଙ୍କ ପରିକ୍ଷା ସରିଲାଣି ।
ଟିକେ ଚିଡିଯାଇ ଅଭୟ,",ତାହେଲେ ତ ତମେ ଆରାମରେ କାଲି ସବୁ ରୋଷେଇ କରିପାରିବ । ପିଲାଙ୍କ କାମ ତ ନଥିବ ।
ଝିଅ ପାଖକୁ ଆସି କହିଲା,"ମମି ପ୍ରୋଜେକ୍ଟ ପାଇଁ ଗୋଟେ ଉଡାଯାହାଜ ବନାଇଦିଅ । ରୋହନ ର ବି ଆଇସକ୍ରିମ କାଠିରେ ୱାଲ ହ୍ୟାନ୍ଗିଙ୍ଗ ଦରକାର ।
ସ୍ୱାମୀ ଆଡ଼କୁ ଅନାଇ ଏକ ଅର୍ଥ ପୂର୍ଣ୍ଣ ହସ ହସିଲା । ଫୋନ୍ ବାଜିଉଠିଲା । ଚାକରାଣୀ ମଞ୍ଜୁ ର ଫୋନ୍ । କଥା ହୋଇ ରଖିଲେ ମମତା ।
- କାହିଁକି ଫୋନ କରିଥିଲା ରାତିରେ ?
- କାଲି ମହିଳା ଦିବସ ବୋଲି ତାଙ୍କ ବସ୍ତିରେ କଣ ଫଙ୍କସନ ଅଛି ବୋଲି କାଲି ସେ ଆସିବନି ।
- ଆଡ଼ଭାନ୍ସ ଟଙ୍କା ଆହୁରି ଦିଅ ।
- ବିଚାରୀ ର ଦେହ ଖରାପ ବୋଲି ଧାର ମାଗିଥିଲା ।
-ପଇସା ଗଛରେ ଫଲୁନି । କେତେ କଷ୍ଟରେ ମୁଁ ରୋଜଗାର କରୁଛି । ଅଥଚ ତମେ ବାଣ୍ଟି ଚାଲିଛ ?
କାନ୍ଦ ମାଡୁଥିଲା ମମତାକୁ । ନିଜେ ହେଲେ ରୋଜଗାର କରୁଥାନ୍ତା ?ଅବଶ୍ୟ କିଛି ଫରକ ପଡିନଥାନ୍ତା । ନିଜ ଦୁଇ ଭଉଣୀ ଓ କିଛି ଚାକିରୀଆ ସାଙ୍ଗଙ୍କ କଥା ଭଲ ଭାବେ ଜାଣେ । ରୋଜଗାର କରି ଆଣ, ହେଲେ ନିଜ ଇଛାରେ ଖର୍ଚ୍ଚ କରିପାରିବନି । ସବୁଥିରେ ସ୍ୱାମୀ ,ଶଶୁର ଘର ଲୋକଙ୍କ ଅନୁମତି ଦରକାର ।
ଅଭୟ ଘରେ ପହଁଚିଲା । ବ୍ୟସ୍ତ ହୋଇ ବୋଉ କହିଲା," ଯଦି ସେ କହୁଥିଲା, ଆଜି ହୋଟେଲ ଯିବାକୁ କାହିଁକି ମନା କରୁଥିଲୁ ?ସ୍ୱାମୀ ସ୍ତ୍ରୀ ଭିତରେ ମନାନ୍ତର ତ ହୁଏ । ତା ବୋଲି ତୁ ତାକୁ ଏମିତି କଣ କହିଲୁ ଯେ ସେ ଘର ଛାଡିଦେଲା ?ଆଗେ ତା ବାପଘର କୁ ଫୋନ୍ ଲଗା । ଆଜିକାଲି କି ବିଶ୍ବାସ ବୋହୁ ମାନଙ୍କୁ ? ଶାଶୁ ଅତ୍ୟାଚାର କରିଛି ବୋଲି ଥାନାରେ ମିଛରେ କହିଦେଇ କେସ କରୁଛନ୍ତି । କୁଣିଆ ଆସିବେ ବୋଲି ରୋଷେଇ କରିବାକୁ କହିବା ଯଦି ଦୋଷ, ପୂଜା ପାଇଁ ଯୋଗାଡ଼ କରିବାକୁ କହିବା ଯଦି ଦୋଷ ତେବେ ମୁଁ ଜେଲ ଯିବାକୁ ରାଜି । ବାପାଙ୍କ କଥା ତୁ ବୁଝିବୁ । "
କେସ ! ମମତା କେସ କରିବ !
- ଡ୍ୟାଡି ,ତମେ କଣ ମମିକୁ ମାରିଲ ?
ବେଡ଼ ରୁମ କୁ ଯାଇ ଆଲମାରୀ ଦେଖିଲା ଅଭୟ । ଟଙ୍କା,ଅଳ୍ପ କିଛି ଗହଣା ସବୁ ସେମିତି ଅଛି । ମମତା ଟ୍ରଲି ବ୍ୟାଗ ନେଇ ଯାଇଛି । କେତେ ଟଙ୍କା ଥିବ ମମତା ପାଖରେ ?ତାକୁ ଡ଼ରାଇବାକୁ ମମତା ଏମିତି କରିଛି ?
ବିଛଣା ଉପରେ ମମତା ର ପିନ୍ଧା ଶାଢ଼ୀ ଟା ପଡିଛି । ନିଜ ହାତରେ ଉଠାଇ ଆଣି ମୁହଁ ପାଖକୁ ନେଲା ଅଭୟ । ମମତା ମମତା ବାସ୍ନା ଆସୁଛି ସେ ଶାଢ଼ୀ ରୁ ।
- ପାପା, ଆମ ପ୍ରୋଜେକ୍ଟ । ମମି କେତେବେଳେ ଆସିବ ?"ପୁଅ,ଝିଅ ପଚାରୁଥିଲେ ।
- ଅଭି, ତୁ ଟୁନା ଭାଇକୁ ଫୋନ୍ କରି ମନା କରି କହିଦେ ମୋର ଓ ବୋହୂର ଦେହ ଭଲ ନାହିଁ । ନନାଙ୍କୁ କହିଦେ ଆମର ଛୁତିକା ମୁର୍ତିକା ହୋଇଛି ବୋଲି ।
ଡ୍ରେସିଂ ଟେବୁଲ ଉପରେ ଅଭୟ ଓ ମମତା ର ବାହାଘର ବେଳର ଫଟ । ଜମା ବଦଳିନି ମମତା । ସମସ୍ତଙ୍କ ଅଳି ଅର୍ଦଳି ସହିଛି ବିନା ପ୍ରତିବାଦ ରେ । ବରଂ ଅନେକ ସମୟରେ ରୁକ୍ଷ ହୋଇଛି ଅଭୟ । ଅସହାୟ ହୋଇପଡୁଥିଲା ଅଭୟ । ଠାକୁରଙ୍କୁ ମନେମନେ ଡ଼ାକୁଥିଲା ।
ଜଣେ ମଣିଷ ନଥିଲେ ଘର ଅଚଳ ?ଅଥଚ ସେଇ ଲୋକଟିର ମୂଲ୍ୟ କେହି ବୁଝନ୍ତିନି ।
ମମତା ର ପଦେ କଥା ଆଜି ମନେପଡୁଥିଲା,"ଯେତେବେଳେ ମୁଁ ନଥିବି, ସେତେବେଳ ମୋ ମୂଲ୍ୟ ବୁଝିବ । "
ଚମକି ପଡ଼ିଲା ଅଭୟ । ଏମିତି କେମିତି ଚାଲିଯିବ ମମତା ?ପାଗଳ ହୋଇଯିବ ସେ । କ୍ଷଣ ଟେ ତ ସେ ଚଳି ପାରିବିନି ।
କାହାକୁ ଆଗ ଫୋନ ଲଗାଇବ ?
ବାହାରେ ଅଟୋ ରହିବାର ଶବ୍ଦ ।
- ମମି ଆସିଗଲା ,ମମି ଆସିଗଲା । "ପାଟି ଶୁଭିଲା ।
ଦୌଡିଯାଇ ଅଭୟ ଦେଖିଲା । ବ୍ୟାଗ ଧରି ଆସୁଥିଲା ମମତା ।
- କୁଆଡେ ଯାଇଥିଲ ?ଫୋନ୍ ବି ସୁଇଚ ଅଫ ।
ଆଶ୍ଚର୍ଯ୍ୟ ହୋଇ ମମତା ସମସ୍ତଙ୍କୁ ଅନାଉଥିଲା ।
- ଅଭି, ଫୋନ୍ କରି ନନା ଓ ଟୁନା ଭାଇଙ୍କୁ ଡ଼କାଇ ଦେ । ମମତା ତ ଫେରିଲାଣି । ପୂଜା କାହିଁକି ବନ୍ଦ ହେବ ?
- ପୂଜା ବନ୍ଦ କରିବାକୁ ତମେ କହିଥିଲ ?
କାହିଁକି ?ସବୁ ତ ମୁଁ ସଜାଡି ରଖିଦେଇଛି । ଡିନର ବ୍ୟବସ୍ଥା ବି କରିଦେଇଛି । ଖାଲି ଫ୍ରାଇଡ଼ ରାଇସ ବନେଇବି ।
- ଟୁନା ଭାଇ ଓ ତା ସ୍ତ୍ରୀ ପରା ରୁଟି ଖାଆନ୍ତି ।
-ହସିଦେଇ ମମତା କହିଲା ,ରୁଟି ବି ହେବ ବୋଉ ।
-ଲୁଗାପଟା ନେଇ ତୁ କୁଆଡେ ଯାଇଥିଲୁ ?
ପାଣି ଗ୍ଲାସେ ପିଇଦେଇ ମମତା କହିଲା,"ଆଜି ମହିଳା ଦିବସ ପାଇଁ ନାରୀ ନିକେତନ ରେ ରହୁଥିବା ମହିଳାଙ୍କୁ ଦେବା ପାଇଁ କିଛି ପୁରୁଣା ଲୁଗା ଓ ମିଠା,ବିସ୍କୁଟ ନେଇଯାଇଥିଲି ।
ଅଭୟ ଆଡ଼କୁ ଅନାଇ କହିଲା,"ତମ ର ପରା ଆଜି ଅଫିସରେ ପାର୍ଟି ଥିଲା । "
ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଅଭୟ କହିଲା,"ଆଜି ଆମେ ସମସ୍ତେ ବାହାରକୁ ମିଶିକି ଯିବା । ଘର ପ୍ରୋଗ୍ରାମ କ୍ୟାନସଲ । ପୂଜା ଓ ଟୁନା ଭାଇ ସମସ୍ତେ ଆର ସପ୍ତାହରେ ଆସିବେ । "
- ବୋହୁ ପରା ତରକାରୀ ପତ୍ର କରିଦେଇଛି ।
- କାଲିକି ଖାଇବା ।
ଖୁସିରେ ମୁହଁଟା ଝଲମଲ କରୁଥିଲା ମମତା ର ମୁହଁ । ପିଲାମାନେ ହୋଟେଲ ଯିବେ ବୋଲି ଖୁସି ଥିଲେ । ମୁହଁ ମୋଡି ଚାଲିଗଲେ ଶାଶୁ । ଗଲାବେଳେ କହୁଥିଲେ,ମୁଣ୍ଡରେ ବସାଇଥା ସ୍ତ୍ରୀ କୁ ।
ବେଡ଼ରୁମ କୁ ଆସି ବ୍ୟାଗ ଟା ରଖିଲା ବେଳେ ପଛପଟୁ ମମତାକୁ କୁଣ୍ଢେଇଧରି ଅଭୟ କହିଲା,"ଆଉ କେବେ ଡରାଇବା ପାଇଁ ମୋତେ ଛାଡି କୁଆଡେ ଯିବନି । ହାପି ଓମେନ୍ସ ଡ଼େ । "