Aravinda Das

Tragedy

4.1  

Aravinda Das

Tragedy

ମୁଠାଏ ଅବିର -ଦୁଇଟୋପା ଲୁହ

ମୁଠାଏ ଅବିର -ଦୁଇଟୋପା ଲୁହ

4 mins
729



- ସାର୍,କେଉଁ ରଙ୍ଗର ଅବିର ନେବେ ?

ଦୋକାନୀ ଡାକରେ ଭାବନାରାଜ୍ୟରୁ ଫେରିଆସିଲା ଚିତ୍ତ।ଏଇ କିଛି ସମୟ ପୂର୍ବରୁ ତ ଚନ୍ଦ୍ରିକା ସହ ଅଚାନକ ଭେଟ ଓ ସେ ମୋହବିଷ୍ଟ ହୋଇପଡିଛି।ଚାହିଁଲେ ବି କଣ ସେ ସହଜରେ ମୁକୁଳି ପାରିବ ଚନ୍ଦ୍ରିକା'ର ସ୍ମୃତିରୁ ?

  

 ଭିଜିଟିଙ୍ଗ କାର୍ଡଟା ଚିତ୍ତ ହାତରେ ଦେଇ ତରବର ହୋଇ ଚାଲି ଯିବା ଆଗରୁ ଚନ୍ଦ୍ରିକା କହିଥିଲା, "ବହୁତ ଜଲଦି ରେ ଅଛି ମୁଁ ।

ସୁବିଧା ଦେଖି ଘରକୁ ଆସିଲେ କଥା ହେବା। ପ୍ଲିଜ ଖରାପ ଭାବିବନି।"

   କାର ରେ ବସି ଚାଲିଗଲା ଚନ୍ଦ୍ରିକା।କାର୍ଡ ଉପରେ ଆଖିପକେଇଲା ଚିତ୍ତ।ଏଇ ସହରରେ ତେବେ ରହୁଛି ଚନ୍ଦ୍ରିକା !  


      ଏତେ ବର୍ଷ ପରେ ଚନ୍ଦ୍ରିକା ସହ ହାଠାତ୍ ଏମିତି ଦେଖା ହେବ ବୋଲି ଜମା ଭାବି ନଥିଲା ଚିତ୍ତ।ଔଷଧ ଦୋକାନରୁ କିଣାକିଣି ସାରି ସେ ରଙ୍ଗ ଦୋକାନ ଆସିଛି।କାଲି ହୋଲି।ଚନ୍ଦ୍ରିକା ସହ ପିଲାଦିନର ହୋଲି ଖେଳ,ରାଗରୁଷା, ହସ ଖୁସି .......

-ସାର୍,ପିଲାଙ୍କ ପାଇଁ ପିଚକାରୀ ନେବେ ?ମୋଦି ପିଚକାରୀ,ନବୀନ ପିଚକାରୀ, ଦାମ ପିଚକାରୀ।ମୁଣ୍ଡ ଫଟା ରଙ୍ଗ ନେବେନି ?

  ପିଲାଟାର ଡାକରେ ପୁଣି ଚମକି ପଡ଼ିଲା ଚିତ୍ତ। ରଙ୍ଗ ଓ ପିଚକାରୀ ନେଇ ଫେରିଲା ବେଳେ ସ୍ମୃତି ସବୁ ସଜାଗ ହୋଇ ଉଠିଲା।

- ମାଇଚିଆଙ୍କ ଭଳି କାନ୍ଦୁଛୁ କଣ ?ହୋଲି ନଖେଳି ସବୁବେଳେ ଘର ଭିତରେ ଲୁଚୁଛୁ ଡରକୁରା ?"ପ୍ରଶ୍ନ କରେ ଚନ୍ଦ୍ରିକା।

  ଏକଦମ ଟମବୟ ଆଟିଚ୍ୟୁଡ଼।ଚିତ୍ତ ଘର କି ବାରି ଖଳାରେ ନଡ଼ା ଗଦା ଭିତରେ ଲୁଚିଥିଲେ ବି ,ଖୋଜି ଖୋଜି ବାହାର କରି। ରଙ୍ଗ ବୋଳେ ଏଇ ଚଣ୍ଡୀ ଚନ୍ଦ୍ରିକା।ରଙ୍ଗ ଖେଳ ଜମା। ପସନ୍ଦ ନଥିଲା ଚିତ୍ତକୁ।ବୋଉକୁ କହେ "କିଏ ଖୋଜିଲେ କହିବୁ ମୁଁ ଘରେ ନାହିଁ ବୋଲି।"

- ସେ ଚନ୍ଦ୍ରିକା ଟୋକି ଶୁଣିବ ତ ?ଖଟ ତଳୁ ପରା ତୋତେ ଘୋଷାଡି ନିଏ ?ମୋ କଥା କଣ ଶୁଣିବ ?ଘର ଅସନା କରନା।ତୁ ଯାଇଁ ବାହାରେ ଲୁଚୁ।"

  ବୋଉ ବି ପଡିଶା ଘର ଝିଅଙ୍କ ସପୋର୍ଟର ପାଲଟି ଯାଏ କାହିଁକି ?


ପିଲାଦିନେ ତାକୁ ଚିଡାଇ ଚଣ୍ଡିକା ଡାକୁଥିଲେ ସେ।ହୋଲି ଦିନ ସେ ତ ପୁରାପୁରି ଭିଲିଆନ ହୋଇଯାଉଥିଲା।ହାତରେ ଜଡ଼ା ତେଲ ଲଗାଇ ହାଣ୍ଡି କଳା ନେଇ ଆସିଥାଏ ଓ ତା ସହିତ ମୁଣ୍ଡ ଫଟା ପାଣି ରଙ୍ଗ ।

 ରଙ୍ଗ ପାଣିରେ ଓଦା ସରସର ହୋଇ ଭିଜି ଯାଇଥିବା ବିଲେଇ ଭଳି ଦିଶେ ଚିତ୍ତ। ସାଙ୍ଗରେ ଥିବା ସାହି ପିଲାମାନେ ବି ମାଡି ବସି ରଙ୍ଗ ବୋଳି ହସନ୍ତି।

- ମାଙ୍କିଡିମୁହିଁ ଚନ୍ଦ୍ରିକା ତୁ ମରିବୁ ?ତୋତେ କାଳିଆ ବର ମିଳିବ।"ଚିଡି ଯାଇ ଚିତ୍ତ କହେ।

- ତୋତେ ମିଳିବ କାଳୀ କନିଆ। କାଉ ,କୋଇଲି ରଙ୍ଗ ବାଲି।"

- ଏଇ ଅସନା ରଙ୍ଗ କାହିଁକି ଲଗାଉଛୁ ?ମୋତେ ଥଣ୍ଡା ଧରିବ।ଆଗକୁ ଫାଇନାଲ ପରୀକ୍ଷା। ଟିକେ ଅବିର ମାରିବୁ କହି ଏଇ ହାଣ୍ଡି କଳା, କଦଳୀ କଷ, ମୁଣ୍ଡ ଫଟା ରଙ୍ଗ କାହିଁକି ବୋଳୁଛୁ ?

- ପାଟି ଚୁପ୍ କର।ତୁ ତ କ୍ଳାସରେ ଫାଷ୍ଟ ହେବୁ।ହୋଲିରେ ନଖେଳି ପଢିବୁ ?ଅବିର କଣ ଲଗାଇବୁ ?ତୁ କଣ ସିନେମା ହିରୋଇନ ?ଆର ସାହିରେ ପରା ଗୋବର ପାଣିରେ ଖେଳୁଛନ୍ତି।"

   ନିଜ ବିକୃତ ଚେହେରାକୁ ଦର୍ପଣରେ ବି ଦେଖିବାକୁ ସେତେବେଳେ ଡରମାଡେ। ବୋଉ ତ ତାକୁ ଚିହ୍ନି ନପାରି କବାଟ ବନ୍ଦ କରିଦିଏ।

ସତରେ ଚଣ୍ଡୀ ଥିଲା ଚନ୍ଦ୍ରିକା।ଗାଁ ପିଲାଙ୍କ ଲିଡର।ଗୋଟେ ସିନେମା ଆସିଥିଲା" ଗୌରୀ," ମହେଶ୍ୱତା ଓ ପ୍ରଶାନ୍ତ ନନ୍ଦ ଅଭିନୀତ।ସେଇ ଫିଲ୍ମ ଗୀତ ଛନ୍ଦରେ ଚନ୍ଦ୍ରିକା ପାଇଁ ବୋଲାହେଉଥିଲା,""ଏଇ ଗାଁ ର ମଉଡ଼ମଣି ଲୋ,ଆମ ଚଣ୍ଡିକା ନାନୀ।"


     ପ୍ରତିବର୍ଷ ହୋଲି ଖେଳି ସାରିଲାପରେ ଗାଧେଇଲା ବେଳେ ଯେତେ ଘସିଘାସି ହେଲେ ବି ଦୁଇ ଚାରି ଦିନ ରଙ୍ଗ ରହେ।ଥରେ ଆଟୁ ଭିତରେ ଲୁଚିଥିଲା ଚିତ୍ତ।ଚନ୍ଦ୍ରିକା ସିଡି ପକାଇ ଆଟୁ ଉପରେ ଚଢି ,ଚିତ୍ତକୁ ପ୍ୟାଣ୍ଟକୁ ଭିଡି ଆଣିଲା ବେଳେ ଲଙ୍ଗଳା ହୋଇ ପଡ଼ିଥିଲା ଚିତ୍ତ।ଲାଜ ଓ ରାଗରେ ସିଡିଟାକୁ ଠେଲି ଦେଇଥିଲା ସେ।ତଳେ ଖସିପଡି ମୁଣ୍ଡ ଫାଟି ଯାଇଥିଲା ଚନ୍ଦ୍ରିକା ର।ଝର ଝର ହୋଇ ରକ୍ତ ଝରିବା ଦେଖି ଡ଼ରିଯାଇଥିଲା ଚିତ୍ତ।ତଥାପି ଛାଡି ନଥିଲା ଚନ୍ଦ୍ରିକା।ଗୋଟେ ହାତରେ ଚିତ୍ତ ପ୍ୟାଣ୍ଟକୁ ମୁଣ୍ଡରେ ଚାପି ଧରି,ଅନ୍ୟ ହାତରେ ଚିତ୍ତକୁ ଟାଣି ଆଣିଥିଲା।ଛି ,କେତେ ଅପମାନ।ଝିଅ ପିଲା ହାତରେ ବସ୍ତ୍ର ହରଣ!

     ପ୍ରତିଶୋଧ ନେବାକୁ ମନେ ମନେ ଠିକ୍ କରିଥିଲା ଚିତ୍ତ। ବନ୍ଧୁ ପ୍ରଶାନ୍ତ ସବୁ ବୁଝାଇ ଦେଇଥିଲା ରଙ୍ଗ କେଉଁଠି ବୋଳିବା ପାଇଁ।

- ସେ ଗାଳି ଗୁଲଜ କଲେ ବି ଶୁଣିବୁ ନାହିଁ।ମରଦ ପୁଅ ହୋଇ ହୋଲି ଖେଳିବୁ।ହିନ୍ଦୀ ଗୀତ ବୋଲିବୁ।ତୋତେ ସେ ନଙ୍ଗଳା କରିଥିଲା ଵୋଲି ଭୁଲିବୁନି।ଯଦି ଚୁପ୍ ରହେ ଜାଣିବୁ ତୋତେ ଭଲ ପାଉଛି ବୋଲି।ଗୋଟେ କିସ୍ ବି ଦେଇଦେବୁ। ଆଜ ନା ଛୋଡେଙ୍ଗେ ଖେଳେଙ୍ଗେ ହମ୍ ହୋଲି......।ବୁରା ନା ମାନୋ ହୋଲି ହେ। "ଗୀତ ବୋଲିବୁ।

ମନକୁ ଦୃଢ଼ କରିଥିଲା ଚିତ୍ତ।ଛାଡ଼ିବନି ସେ ଚନ୍ଦ୍ରିକା କୁ।ବଦଲା ନେବ।ହାତରେ ରଙ୍ଗ ନେଇ ଲୁଚି ଲୁଚି ପ୍ରଥମ ଥର ରଙ୍ଗ ବୋଲିବା ଅଭିଯାନରେ ବାହାରି ଥିଲା ।ହେଲେ ସେ ଚଣ୍ଡୀ ଚନ୍ଦ୍ରିକାକୁ ସେ କଣ ରଙ୍ଗ ବୋଳିବ, ଓଲଟି ତାକୁ ମାଡି ବସି କେବଳ ରଙ୍ଗ ବୋଲି ନଥିଲା ବରଂ ତା ପାଖରେ ଥିବା ସବୁ ରଙ୍ଗ ବି ନେଇ ଯାଇଥିଲା।ମୁଣ୍ଡ ଫଟା ରଙ୍ଗ କିଛି ତା ପାଟିରେ ପୁରାଇ ଦାନ୍ତ ଘସାଇ ଦେଇଥିଲା।

  ପାଟି ପୁରା ଲାଲ।ପରାସ୍ତ ହୋଇଥିଲା ଚିତ୍ତ। ଚନ୍ଦ୍ରିକାକୁ ସେ ରଙ୍ଗ ବୋଳି ପାରିନଥିଲା। ଡରକୁରା ପାଲଟି ଯାଉଥିଲା ।

କାହିଁକି କେଜାଣି ପ୍ରତିବାଦ କରିନଥିଲା ସେ ?

ଘରୁ ମିଠା ଆଣି ଖୁଆଇ ଦେଇ ବୀର ଦର୍ପ ହସ ହସିଥିଲା ଚନ୍ଦ୍ରିକା।

ଭଲ ପାଇବାର ଛୋଟ କାହାଣୀ ଟେ ଆରମ୍ଭ ହୋଇଥିଲା।ତେବେ ସବୁ ପ୍ରେମକାହାଣୀର ହାପି ଏଣ୍ଡିଙ୍ଗ ନଥିଲା ଭଳି, ଚନ୍ଦ୍ରିକା ଓ ଚିତ୍ତ ଙ୍କ କାହାଣୀ ବି ହାପି ଏଣ୍ଡିଙ୍ଗ ହୋଇନଥିଲା।ଉଭୟେ ଅଲଗା ଜାଗାର ବାହା ହୋଇଯାଇଥିଲେ।


  ଏତେ ବର୍ଷ ପର ପୁଣି ଚନ୍ଦ୍ରିକା ସହ ଦେଖା;ଆସନ୍ତା କାଲି ହୋଲି।ହାତରେ ଚନ୍ଦ୍ରିକାର ଆଡ୍ରେସ । ଯିବାକୁ ଆମନ୍ତ୍ରଣ ଅଛି। ସେ ନଯିବ କାହିଁକି ?ରଙ୍ଗ ବୋଳିବ ଚନ୍ଦ୍ରିକାକୁ। ଏ ବୟସରେ ମୁଣ୍ଡଫଟା ରଙ୍ଗ କଣ ବୋଳି ହେବ ? କେଉଁ ରଙ୍ଗ ନେବ ସେ ? ସବୁ ରଙ୍ଗ ନେଇଯିବ । ନାଲି,ନୀଳ,ସବୁଜ,ବାଇଗିଣି,ଗୋଲାପି...ସବୁ ରଙ୍ଗ। ଯେଉଁ ରଙ୍ଗ ଚନ୍ଦ୍ରିକାର ଏବେ ପସନ୍ଦ ହେଵ ସେଇ ରଙ୍ଗ ବୋଳିବ।ପ୍ରତିବାଦ କରିବନି ତ ?

       ହାତରେ ଅଭିର ନେଇ ବାହାରିଲା ଚିତ୍ତ। ବାଟରୁ କିଛି ମିଠା ବି ନେଇଗଲା। ଚନ୍ଦ୍ରିକା ପରିବାର ବିଷୟରେ ତ ସେ ଜାଣିନି। ତା ସ୍ୱାମୀ କଳା ନା ଗୋରା ?ଗୋରୀ ଚନ୍ଦ୍ରିକାକୁ ସତରେ ଯଦି କାଳିଆ ସ୍ୱାମୀ ମିଳିଥିବ,ତେବେ ଚିତ୍ତର ହୋଲି ଗାଳି ସତ ହୋଇଯିବ ବୋଧେ। ଅଜଣାତରେ ମୁହଁରେ ହସ ଖେଳିଗଲା। ସ୍ୱାମୀ,ପରିବାର ସହ ନିଶ୍ଚେ ଖୁସିରେ ଥିବ। ସେ ବି ଖୁସିରେ ଅଛି।

 ଚନ୍ଦ୍ରିକାର ଆପାର୍ଟମେଣ୍ଟ ଭିତରେ ଲୋକ ଭିଡ଼। ଜୋରସୋରରେ ହୋଲି ଖେଳ ହେଉଛି ବୋଧେ। ଗେଟ ଭିତରକୁ ଆଗେଇଲା ଚିତ୍ତ। ୱାଚମ୍ୟାନକୁ ପଚାରିଲା, "ଚନ୍ଦ୍ରିକା ମ୍ୟାଡମଙ୍କ ଫ୍ଲାଟ କେଉଁ ପଟେ ?

  ହାତ ବଢ଼ାଇ ଦେଖାଇ ଦେଇ କହିଲା,"ହେଇ ସେଇଠି ପରା ଠିଆ ହୋଇ କାନ୍ଦୁଛନ୍ତି। ଆଜି ଭୋରୁ ସାର୍ ଚାଲିଗଲେ।"

   ଥମ୍ କିନା ହୋଇଗଲା ଚିତ୍ତର ଛାତି।

"ରାମ ନାମ ସତ୍ୟ ହେ"ଧ୍ୱନି ସହ ଗୁଡ଼ାଏ ଲୋକ ଆପାର୍ଟମେଣ୍ଟ ବାହାରକୁ ବାହାରି ଆସୁଥିଲେ। ପଛେ ପଛେ କୋକେଇ ଧରି ଅନ୍ୟମାନେ। ଦୂରରୁ ଦେଖି ପାରୁଥିଲା ଚନ୍ଦ୍ରିକା କୁ। କାନ୍ଦୁଥିଲା ବିଚାରୀ। ଏମିତି ଅବସ୍ଥାରେ ଚନ୍ଦ୍ରିକା !ହେ ଭଗବାନ !

- ରାମ ନାମ ସତ୍ୟ ହେ।ହରି ନାମ ସତ୍ୟ ହେ।"

ଚିତ୍ତ ଆଖିରୁ ଲୁହ ଜକେଇ ଆସିଲା। ଚନ୍ଦ୍ରିକା କଣ ତାକୁ ଏବେ କାନ୍ଦିବାର ଦେଖି ମାଇଚିଆ ବୋଲି କହିଵ ? ଆହୁରି ଜୋରର କାନ୍ଦ ମାଡୁଥିଲା ଚିତ୍ତକୁ। ଚନ୍ଦ୍ରିକା ତାକୁ ଦେଖି ସାରିଥିଲା। ଆଉ ଭେଟିବାର ସାହାସ ନଥିଲା ତା'ର। ବୁଲିପଡ଼ି ଶଵଯାତ୍ରା ସହ ଆଗେଇ ଚାଲିଲା ଚିତ୍ତ।

 ଆଜି ବି ସେ ଚନ୍ଦ୍ରିକାକୁ ରଙ୍ଗ ଲଗାଇ ପାରିନଥିଲା।

 ହାତରେ ଧରିଥିବା ବିଭିନ୍ନ ରଙ୍ଗ ଅବିର ପ୍ୟାକେଟରୁ, ଏଥର ମୁଠାଏ ଲେଖାଏଁ ଅବିର ପବନରେ ବିଞ୍ଚିବାକୁ ଆରମ୍ଭ କଲା ଚିତ୍ତ। ପବନରେ ଅବିର ଉଡିଆସି ତା ଦେହ ମୁହଁରେ ଲାଗିଯାଉଥିଲା। ଆଉ ତା ଆଖିରୁ ଝରିଯାଉଥିଲା ଦୁଇଟୋପା ଲୁହ।


Rate this content
Log in

Similar oriya story from Tragedy