Aravinda Das

Abstract

1.0  

Aravinda Das

Abstract

ଅନୁତାପ ଓ ଅଯୋଗ୍ୟ ପୁଅ

ଅନୁତାପ ଓ ଅଯୋଗ୍ୟ ପୁଅ

4 mins
767


ଗାଁ ସାରା ଲୋକ ଅଶୋକକୁ ଛିଃ ଛାକର କରି କଥା ହେଉଥିଲେ ।

  ଛକ ପାଖ ବରଗଛ ମୂଳେ ଥିବା ପାନ ଦୋକାନ ପାଖରେ ଠିଆ ହୋଇ ମୁଁ ଶୁଣୁଥିଲି ସେମାନଙ୍କ କଥାବାର୍ତ୍ତା।

କୁଳାଙ୍ଗାର ପୁଅ ସେଇଟା। ବାପାଙ୍କୁ ମୁଖାଗ୍ନି ଦେଲାନି କି କ୍ରିୟାକର୍ମ ବି କରିବନି ବୋଲି କହୁଛି। ନିଜ ବାପାର ଶ୍ରାଦ୍ଧକର୍ମ କେଉଁ ପୁଅ ନକରେ ? ନର୍କରେ ପଡିବ ସେ ଓ ତା ପରିବାର। ବିଚାରୀ ବୁଢ଼ୀ ମା ଟା ଅଛି ଘରେ ତାର ସାରା ଜୀବନ ଅନୁତାପ କରିବ।"

ଆରେ, ସେକଥା ଛାଡ଼। ସହରରେ ନିଜେ ଶୁଦ୍ଧି ନହେଲା ନାହିଁ ,ଗାଁରେ ନିଜ ସାହି ଭାଇ ଶୁ୍ଦ୍ଧି କେମିତି ହେବେ ସେକଥା ସେ ଚିନ୍ତା କରୁଛି ? ଏଇନା ଦଶ ଦିନ ଯାଏଁ ଗାଁ ର ସମସ୍ତେ, ବେଳିକିଆ ଖିଆପିଆ ତାଙ୍କ ଘରେ କରିବା କଥା। ଆମ ମାନଙ୍କ ଘରେ ତ ଚୁଲି ଜଳିବା କଥା ନୁହେଁ। ତାଙ୍କ ଘରେ ଖାଇ ନିଜ ଘରେ ଥିବା ବୋହୁ ଭୁଆଶୁଣୀ ଏମିତିକି ପୋଷା କୁକୁର ପାଇଁ ବି ଆମେ ଖାଇବା ଜିନିଷ ଆଣିବା କଥା।

ଖାଲି କଣ ସେତିକି ? ଦଶ ତୁଠ କାମ,ନୂଆ ଲୁଗା ପଟା, ଏଗାର ଭୋଜି ,ବାରପତ୍ରରେ ଆଇଁଷ ,ଚଉଦ ଦିନ କୀର୍ତ୍ତନ ହେବା କଥା। କାମ୍ପି ଓ ଛୋଟ ଲୋକ କେଉଁଠିକାର।"

  ପାଖରେ ବସିଥିବା ବ୍ରାହ୍ମଣ କହିଲେ,"ନିପାତ ହେବେ ସେ ପରିବାର। ଘୋର କଳିକାଳ ବ୍ରାହ୍ମଣ ଭୋଜନ,ଦାନ ନକଲେ ବାପ ର ଆତ୍ମା ଘାଣ୍ଟି ହେବ। ବୁଢ଼ା ଏମିତି ବେଳରେ ଗଲାଯେ ପୁଷ୍କରା ଲାଗିଛି। ଅଲଗା ପୂଜା କର୍ମ ଦାନ ଦରକାର। ଜାତି ଭାଇରୁ ବାସନ୍ଦ କରି ନିଆଁ ପାଣି ବନ୍ଦ କର।"

ନା,ବାସନ୍ଦ କଲେ ଅସୁବିଧା। ଏଇ ଟିଭି ବାଲା ଓ ପୋଲିସ ଅଯଥାରେ ଆମକୁ ହଇରାଣ କରିବେ। ଆମେ ବରଂ ଶୁଦ୍ଧି ହେବାନି ଓ ଆଗେ ଅଶୋକର ବୋଉକୁ ,ମାନେ ଆମ କନକ ଭାଉଜଙ୍କୁ ସବୁ କହିବା। ମା ଯେତେ ପୁଅ ପ୍ରେମୀ ହେଲେ ପଛେ ହେଉ, ନିଜ ସ୍ୱାମୀ ଶୁଦ୍ଧ କ୍ରିୟା କଥା ବିଷୟରେ ଚୁପ ରହିବନି। ଦୁନିଆରେ ଧର୍ମ କର୍ମ ବୋଲି କିଛି ଜିନିଷ ତ ପୁଣି ଅଛି ।

    ଆମ ପାଖ ଗାଁ ପିଲା ହିସାବରେ ଅଶୋକକୁ ଜାଣିଥିଲି,ଯଦିଓ ଚିହ୍ନା ପରିଚୟ ବେଶୀନଥିଲା। ନିଜ ଅଫିସ କାମରେ ଦୁଇଥର ତା ଘରକୁ ବି ଯାଇଛି। ଚାକିରୀ ବାକିରି କରି ସହରରେ ଭଲରେ ଅଛି। ହଠାତ ଏଭଳି ପରିବର୍ତ୍ତନ କଣ ପାଇଁ ଅଶୋକ ର ? ନିଜ ମୃତ ବାପାଙ୍କ ପ୍ରତି ଏତେ ଅସମ୍ମାନ ! ଟିକେ ବିରକ୍ତି ବି ଆସୁଥିଲା। କଥାବାର୍ତ୍ତା,ବ୍ୟବହାର ବହୁତ ମାର୍ଜିତ। ତେବେ କାହିଁକି ଏଭଳି କାମ? ଶୁଦ୍ଧିକର୍ମ କରିବାକୁ ପଛଘୁଞ୍ଚା କାହିଁକି ?

  କୌତୁହଳ ସମ୍ବରଣ କରିନପାରି ପହଞ୍ଚିଲି ଅଶୋକ ଘରେ। କଥାଟା କେମିତି ଆରମ୍ଭ କରିବି ଜାଣିପାରୁନଥିଲି।

ମଉସାଙ୍କ କଥା ଶୁଣି ଚାଲିଆସିଲି ଦେଖା କରିବାକୁ। ତମ ଗାଁ ଲୋକ

  ମୁହଁର ଭାବ କିଛି ନବଦଳାଇ ଅଶୋକ କହିଲା,"ମୋ ନାଁ ରେ ଇଆଡୁ ସିଆଡୁ କହୁଥିବେ। ଅଯୋଗ୍ୟ ପୁଅ ବୋଲି କହୁଛନ୍ତି। କୁହନ୍ତୁ,ମୁଁ ଖାତିର କରେନା। ଯାହା ମୋର ଇଛା ତାହା କରିବି।"

- ନା,ନା ତୁ ସେମିତି ଭାବନା। ତେବେ ସାହି ଭାଇ କଥା। ଗାଁ ଲୋକ ଶୁଦ୍ଧି ହେବେ ,ଆଉ

  ହସିଦେଇ ଅଶୋକ କହିଲା,"ଶୁଦ୍ଧି ହେବାକୁ କିଏ ମନା କରିଛି ? ବାପା,ବୋଉ ଗାଁ ଛାଡି ଏଠି ମୋ ପାଖରେ ଗତ ଦଶ ବର୍ଷ ହେଲାଣି ଅଛନ୍ତି। ଦୁଇବର୍ଷ ହେଲାଣି ବାପାଙ୍କର ଏତେ ଦେହ ଖରାପ ହେଲା,ଗାଁ ଲୋକ ତ ଜଣେ କେହି ଦେଖିବାକୁ ଆସୁନଥିଲେ। ଏଇନା ଭୋଜିଭାତ,ଲୁଗାପଟା ଦରକାର ? ଗାଡି ଖର୍ଚ୍ଚ ନଦେଲେ ଏଠିକୁ ଆସିବେନି। ଗାଁକୁ ଯାଇ ଭୋଜିଭାତ କରି ଲକ୍ଷେ ୨ଲକ୍ଷ ଖର୍ଚ୍ଚ କରିବାକୁ ମୋର ଟିକେ ବି ଇଛା ନାହିଁ କି ସମ୍ବଳ ବି ନାହିଁ। ମୋ ପିଠିରେ କେହି ପଡିବେନି।"

   ତାକୁ ବୁଝାଇଲା ଢ଼ଙ୍ଗରେ କହିଲି,"ମଉସାଙ୍କ ଆତ୍ମା ଶାନ୍ତି ପାଇଁ ,ଆମ ରୀତି ନୀତି । ପୁଷ୍କରା ଲାଗିଛି ପରା ?

 ମୋତେ ସିଧା କରି ଅନାଇ ଅଶୋକ କହିଲା,"ଭୋଜି ଭାତ କଲେ କଣ ଆତ୍ମା ଶାନ୍ତି ପାଏ ? ରାସ୍ତା କଡ଼ରେ ଲାବାରିସ ଭାବେ ପଡିଥିବା ମୃତ ଗରିବ ଲୋକର ଆତ୍ମା ତେବେ ଶାନ୍ତି କେମିତି ପାଇବ ? କେବେ ଭାବିଛୁ, ଟଙ୍କା ପଇସା ନଥିବା ଲୋକକୁ ବଡ଼ ବଡ଼ ହସ୍ପିଟାଲ ଆଡ଼ମିସନ ନକଲା ଭଳି, ସେମାନେ ମଲେ ପୁଷ୍କରା ଲାଗିଛି ବୋଲି ବ୍ରାହ୍ମଣ କାହିଁକି କୁହେନା ? ଟଙ୍କା ନଥାଏ ବୋଲି। ଆରେ ବଞ୍ଚିଥିଲା ବେଳେ, ଆମେ ଲୋକକୁ ସ୍ନେହ ଶ୍ରଦ୍ଧା ଦେଲେ ତା ଆତ୍ମା ନିଶ୍ଚେ ଶାନ୍ତି ହେବ। ବାପାଙ୍କ ଯତ୍ନ ନେବାରେ ଆମେ ଟିକେ ହେଲେ ଅବହେଳା କରିନୁ।"

 ଘର ଭିତରୁ କନକ ମାଉସୀ ବାହାରି ଆସି କହିଲେ,"ସଜ ମାଛରେ ପୋକ ପକାଇବା କିଛି ଲୋକଙ୍କ କାମ। ବାପା ର ଢେର ସେବା କରିଛନ୍ତି ଅଶୋକ ଓ ବୋହୁ। ଲୋକେ ବଞ୍ଚିଥିଲା ବେଳେ ବାପ ମାଙ୍କୁ ନପଚାରି,ମଲା ପରେ ଭୋଜି ଭାତ,ଲୁଗାପଟାରେ ଟଙ୍କା ଉଡାଉଛନ୍ତି। ସେଇ ଟଙ୍କା ଲୋକ ପାଇଁ ଖର୍ଚ୍ଚ କଲେ ଆହୁରି ଅଧିକ ଦିନ ଲୋକ ଭଲରେ ବଞ୍ଚେ ବୋଲି ଏବେ ମୁଁ ଜାଣୁଛି। ଅଶୋକ ମୋତେ କହିଥିଲା, ବାପାଙ୍କ ପାଇଁ ଯାହା ଦରକାର ସବୁ ବାପା ବଞ୍ଚିଥିଲା ବେଳେ ହିଁ କରିବି।"

 ଚୁପ ହୋଇଗଲେ ମାଉସୀ।

ଅଶୋକ କହିଲା,

-ବାପାଙ୍କ ଶେଷ ଇଛା ଅନୁଯାୟୀ ଭଲ ଥିବା ସମସ୍ତ ଅଙ୍ଗ ଦାନ କରି, ତାଙ୍କ ପାର୍ଥିବ ଶରୀରକୁ ମେଡିକାଲ କଲେଜକୁ ଦାନ କଲୁ। ଅଯଥାରେ ଲୋକ ଦେଖାଣିଆ ଖର୍ଚ୍ଚ ନକରି ବାପାଙ୍କ ଏଗାର ଦିନ ଏଇ ସହରରେ ରହୁଥିବା କିଛି ଭୋକିଲା ଲୋକଙ୍କୁ ଖାଇବାକୁ ଦେବାକୁ ବୋଉ କହିଛି।"

  କାନ୍ଥ ରେ ଟାଙ୍ଗା ହୋଇଥିବା ମଉସାଙ୍କ ଫଟକୁ ଅନାଇ ମାଉସୀ କହିଲେ,

-ମଲା ପୂର୍ବରୁ ନିଜ ପରିବାରର ସ୍ନେହ ଶ୍ରଦ୍ଧା ଯତ୍ନ ପାଇଥିବା ଲୋକର ଆତ୍ମା ସିଧା ମୋକ୍ଷ ପାଇ ସ୍ୱର୍ଗକୁ ଯାଏ;କୌଣସି ପୂଜା,ଶୁଦ୍ଧିକରଣ ର ଆଵଶ୍ୟକତା ନଥାଏ। ମୁଁ ମଲା ପରେ ବି ଏମିତି କରିବାକୁ ଅଶୋକ କୁ କହିଛି। ମୋ ପୁଅ ଧାର ଉଧାର କରି ବାପ ସେବାରେ ଟିକେ ବି ଉଣା କରିନି। ଡାକ୍ତର,ଔଷଦ, ତାଙ୍କ କାମ ପାଇଁ ଗୋଟେ ନର୍ସ ରଖିବା ଛଡା ପାଖେ ପାଖେ ରହୁଥିଲା। ଢେର କରିଛି ଅଶୋକ। ଏବେ କାହିଁକି ପୁଣି ଧାର ଉଧାର କରିବ ? ଏଇନା ଭୋଜିଭାତ କଲେ ତୋ ମଉସା ଜାଣିବ ? କଣ ମିଳିବ ଆମକୁ ? ବୁଢ଼ା ଢେର ଆଶୀର୍ବାଦ କରିଛି ତା ପୁଅ ବୋହୁକୁ। ଶୁଦ୍ଧିକ୍ରିୟାରେ ଖର୍ଚ୍ଚ ବଦଳରେ ବଞ୍ଚିଥିଲା ବେଳେ ଲୋକ ପାଇଁ ଖର୍ଚ୍ଚ କରନ୍ତେ ହେଲେ ପିଲାମାନେ। ଭଗବାନ କୋଟି ପରମାୟୁ ଦେଇଥାନ୍ତୁ ମୋ ପୁଅକୁ।

ଅଯୋଗ୍ୟ ନୁହେଁ, ମୋ ପୁଅ ଭଳି ଏମିତି ଯୋଗ୍ୟ ପୁଅ,ଦୁନିଆରେ ନଥିବେ। ଅନୁତାପ ସେଇ ଲୋଭୀ,ମୁର୍ଖ ଗାଁ ବାଲା କରିବା ଉଚିତ।


Rate this content
Log in

Similar oriya story from Abstract