STORYMIRROR

Aravinda Das

Comedy Tragedy

3  

Aravinda Das

Comedy Tragedy

ଟୋପାଏ ସିନ୍ଦୁର ଓ ଭାଗ୍ୟବତୀ

ଟୋପାଏ ସିନ୍ଦୁର ଓ ଭାଗ୍ୟବତୀ

2 mins
689


-ଏକ ଚୁଟକି ସିନ୍ଦୁର କି କିମତ ତୁମ କ୍ୟ ଜାନୋଗେ ରମେଶ ବାବୁ..........


ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ କହିଥିବା ହିନ୍ଦୀ ଫିଲ୍ମର ଏଇ ଡାଇଲଗ ଟି ଆଜି ବାରମ୍ବାର ମନେପଡୁଥିଲା ଅଭୟ'ର।

ସାନ ମଉସା ଚାଲିଗଲେ। ଅଭୟ ବି ବିଶ୍ବାସ କରିପାରୁନଥିଲା ଦୁଃସମ୍ବାଦଟିକୁ।

ନିଖିଲ ମଉସା ଏତେ ଫିଟ୍,କୌଣସି ବଦଭ୍ୟାସ ନଥିବା,ନିଜ ସ୍ବାସ୍ଥ୍ୟ ପ୍ରତି ସବୁବେଳେ ସଚେତନ ଥିବା ମଣିଷ ପୁଣି ହୃଦଘାତରେ ପ୍ରାଣ ହରାଇବେ ?କେତେବା ବୟସ ହୋଇଥିଲା ତାଙ୍କୁ ! ସାନମାଉସୀ କେତେ ବଢିଆ କରି ଲଗାଏ ସିନ୍ଦୁର !

ତୃପ୍ତି ମାଉସୀ ଅଭୟକୁ ଦେଖି କୋହ ସମ୍ଭାଳି ନପାରି ଭେଁ ଭେଁ ହୋଇ କାନ୍ଦି ପକାଇଲା।କିଛି ସମୟ ପରେ ସକେଇ ସକେଇ କହିଲା," ସକାଳେ ସଞ୍ଜରେ କସରତ,ଯୋଗ,ପ୍ରଣାୟମ କରୁଥିଲେ।ରୋଗ ବୈରାଗ ଚିନ୍ତା ଟେନ୍ସନ ନଥିବା ହସକୁରା ମଣିଷଟା ହାଠାତ୍ ଏମିତି ମୋତେ ଧୋକା ଦେବ ବୋଲି କିଏ ଭାବିଥିଲା ?ରାତିରେ ଭଲ ମଣିଷଟା ଶୋଇଲା,ସକାଳୁ ସବୁ ଶେଷ।ହସ୍ପିଟାଲ ନେବାକୁ ବି ସୁଯୋଗ ପାଇଲିନି।ମୋ ପରି ଦୁର୍ଭାଗ୍ୟ କାହାର ଅଛି ?ଆଉ କଣ ଶଙ୍ଖା ସିନ୍ଦୁର ପିନ୍ଧି ପାରିବି ?ତୋ ବଡ଼ ମାଉସୀକୁ ଦେଖେ ,କେତେ ଭାଗ୍ୟବତୀ।"

   ସାନ ମାଉସୀକୁ ପ୍ରବୋଧନା ଦେଇ ଛାତ ଉପରକୁ ଆସିଲା ଅଭୟ।ବଡ଼ ମାଉସୀ ଏକୁଟିଆ ଚେୟାରରେ ବସି କାନ୍ଦୁଥିଲା।ଅଭୟ ବୁଝୁଥିଲା,ସାନ ମଉସାଙ୍କ ମୃତ୍ୟୁ ତାଙ୍କୁ ବଡ଼ ଧକ୍କା ଦେଇଥିବ।ସାନ ମାଉସୀ ତୃପ୍ତିକୁ ବହୁତ ଭଲ ପାଆନ୍ତି ଶାନ୍ତିମାଉସୀ।

  ପାଖକୁ ଯାଇ ଅଭୟ କହିଲା,"ଭଗବାନଙ୍କ ବରାଦ ଯାହା ତାହା ହିଁ ହେବ।ସାନ ମାଉସୀର ବିନା ସିନ୍ଦୁର ଲଗା ମୁହଁକୁ ଅନାଇ ହେବନି। ତେବେ ଆମେ ବ୍ୟସ୍ତ ହେଲେ କିଛି ଲାଭ ହେବନି।ଯାହା କୁହ ପଛେ, ତୃପ୍ତି ମାଉସୀର ....."

  ଆଖିରୁ ଲୁହ ପୋଛି ଅଭୟ କଥାକୁ ଅଧାରେ ରଖି କହିଲେ," ତୁ ଠିକ୍ କହିଛୁ ଅଭୟ। ଭଗବାନ ସବୁବେଳେ ନ୍ୟାୟ କରନ୍ତିନି। ତୃପ୍ତି କଥା ହିଁ ମୁଁ ଭାବୁଥିଲି।ଠକ୍ କିନା ଚାଲିଗଲା ନିଖିଲ।।ଆଉ ତୋ ବଡ଼ ମଉସାକୁ ଦେଖେ।ଦଶ ବର୍ଷ ହେଲାଣି ବିଛଣାରେ ପଡି ନିଜେ ଘାଣ୍ଟି ହେଉଛନ୍ତି ଓ ଘୁଅ ମୁତ କରି କରି ମୁଁ ବି ଘାଣ୍ଟି ହେଉଛି।ମୋ ପରି ଦୁର୍ଭାଗ୍ୟ କାହାର ଅଛି ?ତୋ ସାନ ମାଉସୀକୁ ଦେଖେ,ସିନ୍ଦୁର ରୁ କଣ ମିଳିବ ତାକୁ ?କେତେ ଭାଗ୍ୟବତୀ "।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy