ଦି ଛକିରେ ଜୀବନ
ଦି ଛକିରେ ଜୀବନ


ବିବେକ ସାହୁ ଥିଲା ତା ଅସଲି ନାଁ । ତେବେ ସମସ୍ତେ ତାକୁ ଡାକୁଥିଲେ 'ଡୁପ୍ଳିକେଟ' । କେବେ ରାସ୍ତାଛକରେ ତ କେବେ ମାର୍କେଟ ତ ଆଉ କେବେ ସପିଙ୍ଗ ମଲ୍ ପାଖରେ କିମ୍ବା ଆଉ କେବେ ମେଲୋଡି ଷ୍ଟେଜ୍ ଉପରେ ଅଳ୍ପ କିଛି ସମୟ ପାଇଁ ସେ ମେଲିଦିଏ ନିଜ ଅଭିନୟ ପସରା ।
ଦେଖେଣାହାରୀ ଭିଡ଼ ଜମାନ୍ତି । ଘଡ଼ିଏ ଚାହାନ୍ତି,ଦେଖି କେବେ ଖୁସି ହୁଅନ୍ତି ତ କେବେ ମୁହଁ ମୋଡି ଚାଲିଯାଆନ୍ତି । କେହି କେହି ଫଟ, ସେଲ୍ଫି ନିଅନ୍ତି ତା ସହ । ତେବେ, ତା ଆଖି ଗଣୁଥାଏ କେତେ ଟଙ୍କା, ଖୁଚୁରା ପଇସା ମିଳିଲା । ଜୀବନ ସଂଗ୍ରାମ ପାଇଁ ଟଙ୍କା ତ ସବୁଠୁ ଆଗେ ଦରକାର ।
ବିଦ୍ରୁପ,ସମାଲୋଚନା, ଲାନ୍ଛନାକୁ ସେ କିନ୍ତୁ କିଛି ଖାତିର କରେନା । ସେ ଭାବେ ଏହା ତାର ରୋଜିରୋଟି ।
କଥାରେ ଅଛି,ପେଟ ପୋଷ ନାହିଁ ଦୋଷ । ସେ ତ ଚୋରୀ,ଡକାୟତି କରୁନି । କରୁଛି କେଵଳ ଅନୁକରଣ ।
ବିଗତଦିନ'ର ସିନେମା ସୁପରଷ୍ଟାର କ୍ରାନ୍ତିକୁମାରଙ୍କ'ର ପ୍ରଥମେ ସେ ଥିଲା ସବୁଠୁ ବଡ଼ ପ୍ରଶଂସକ;ଆଉ ଅନେକ ଦିନରୁ ବନିଯାଇଛି ତାଙ୍କ ଡୁପ୍ଲିକେଟ ।
ହଁ ସେ ଡୁପ୍ଲିକେଟ । କ୍ରାନ୍ତିକୁମାରଙ୍କ ଡୁପ୍ଲିକେଟ ।
ଭଗବାନଙ୍କ ପ୍ରଦତ୍ତ ପାଖାପାଖି ଚେହେରା ସହ ; ଅବିକଳ କ୍ରାନ୍ତି କୁମାରଙ୍କ ଭଳି ମୁଣ୍ଡ ବାଳ, ନିଶ, ବେଶ ଭୂଷା, ଷ୍ଟାଇଲ, ଭଡାପୋଷାକରେ ତାଙ୍କୁ ଅନୁକରଣ କରୁଥିଲା ବିବେକ ।
- କେବେ ସିନେମା, ଟିଭିରେ ଟ୍ରାଏ କରୁନ?
ଦେଖେଣାହାରୀ ପ୍ରଶ୍ନ କରନ୍ତି । କଣ ଉତ୍ତର ଦେବ ସେ ?ହଜାରେ ଥର ତ ସେ ଉତ୍ତର ଦେଇଛି । ସେ ବି ଚାହେଁ ଅଭିନୟ କରି ଲୋକଲୋଚନ'କୁ ଆସିବା ପାଇଁ ।
ଅନେକ ଥର ଅଡିସନ ଦେବାକୁ ଯାଇଛି ସେ । ରେଡିଓ, ଟିଭି,ସିନେମା,ଯାତ୍ରା,ନାଟକ ସବୁ କିଛି ପାଇଁ । ସବୁଠି ସେଇ ଗୋଟାଏ ପ୍ରଶ୍ନ ।
"ତୁମ ନିଜ ଷ୍ଟାଇଲରେ କିଛି ଅଭିନୟ କରୁନ କାହିଁକି?ସୁପରଷ୍ଟାର କ୍ରାନ୍ତି କୁମାର'ର ଏଇ ଗରିବ ଅଵତାର ଆମର ଦରକାର ନାହିଁ । ଯେତେବେଳେ ଅରିଜିନାଲ ହାତ ପାଖରେ ଅଛି, ଡୁପ୍କିକେଟ କଣ ଦରକାର ?
ଚମକି ପଡ଼େ ବିବେକ । ତା ଅନ୍ତରାତ୍ମା ଦୋହଲି ଯାଏ । ସାରା ଜୀବନ ସେ କଣ ଏମିତି ହୋଇ ରହିଯିବ ?
କାହାର ଅଭିନୟ କରିବ ସେ ?କିଏ ସେ ?କଣ ତା ପରିଚୟ ?ସେ କଣ ଆଉ ବିବେକ ସାହୁ ହୋଇ ରହିଛି ? ତା ଆତ୍ମା ଭିତରେ ତ କେବେଠୁ କ୍ରାନ୍ତି କୁମାର ହିଁ ବସା ବାନ୍ଧି ରହିଯାଇଛନ୍ତି; ପରମାନେଣ୍ଟଲି; ସବୁଦିନ ପାଇଁ ବୋଧେ । ତା ଜୀବନର ଅବିଛେଦ୍ୟ ଅଙ୍ଗ ।
-କ୍ରାନ୍ତି କୁମାରଙ୍କ ଲୋକପ୍ରିୟତା କମିଗଲେ କିମ୍ବା ସେ ମରିଗଲେ କଣ କରିବୁ ?"ଜଣେ ପ୍ରଶ୍ନ କରିଥିଲା ।
-ଅଭିନେତା କଣ କେବେ ମରିପାରେ ? ଦର୍ଶକଙ୍କ ହୃଦୟରେ ସବୁଦିନ ପାଇଁ ବସା ବାନ୍ଧି ରହିଥାଏ । ସୁପରଷ୍ଟାର ତ ସବୁବେଳେ ଅମର । ତେଣୁ ସେମାନଙ୍କ ଡୁପ୍ଲିକେଟଙ୍କ ଚିନ୍ତା କଣ ?"ଉତ୍ତର ଦେଇଥିଲା ସେ ।
ଷ୍ଟେଜ ଉପରେ କିଛି ଝିଅଙ୍କ ସହ ନାଚିଲା ବେଳେ ସେ ଭାବେ କିଛି ସମୟ ପାଇଁ ସୁପରଷ୍ଟାର ବନିଛି ।
ବିବେକ'ର ରୁମ ଭିତରେ କେବଳ କ୍ରାନ୍ତି କୁମାରଙ୍କ ଫଟ । ବିଭିନ୍ନ ସିନେମାର କଟ୍ ଆଉଟ । ବିଭିନ୍ନ ପୋଜ,ପୋଷାକ ର ଫଟ । ଏବେ ତ ମୋବାଇଲରେ ଭିଡିଓ ଏବଂ ୟୁ ଟ୍ୟୁବ ରେ ସିନେମା ଗୀତ,ଦୃଶ୍ୟ କ୍ଲିପିଙ୍ଗ । ସୁବିଧା ହେଉଛି ତାକୁ ରିହରସଲ କରିବା ପାଇଁ । ଗୋଟାପଣ କ୍ରାନ୍ତି କୁମାର କେଵଳ ତାର ଯେମିତି ।
ଦଶହରା,ବାଲିଯାତ୍ରା,ଗଣେଶ ପୂଜା,ଲଷ୍ମୀପୂଜା ଇତ୍ୟାଦି ବିଭିନ୍ନ ପୂଜା ଛଡ଼ା ମେଳା, ମଉଛବ, ବାହାଘର, ଜନ୍ମଦିନ, ଘରପ୍ରତିଷ୍ଠା ରେ ବି ଡାକରା ମିଳିଲେ ହାଜର ହୋଇଯାଏ ବିବେକ । କେବେ ଭଲ ଖାଇବା ମିଳିଗଲେ ଖୁସି ହୋଇଯାଏ ସେ । ନହେଲେ ପାଞ୍ଚ ଟଙ୍କିଆ ମିଲ ତ କେବେ କେବଳ ପାଣି ପିଇ ଶୋଇପଡ଼େ ।
ତିନିଟା ସିନେମାରେ ସେ ଅଭିନୟ କରିଛି ।
ଗୋଟେ ଲୋ ବଜେଟ ସିନେମାରେ ପ୍ୟାରଡ଼ି ସଙ୍ଗୀତ ରେ ଅଳ୍ପ କିଛି ସେକେଣ୍ଡ ପାଇଁ କ୍ରାନ୍ତି କୁମାରଙ୍କ ବେଶରେ ନାଚ ଓ ଅନ୍ୟ ଦୁଇଟି ସିନେମାରେ କ୍ରାନ୍ତି କୁମାରଙ୍କ ବଡ଼ି ଡବଲ ଭାବେ ତାକୁ ବ୍ୟଵହାର କରାଯାଇଥିଲା । ଅର୍ଥାତ୍ କ୍ୟାମେରା ଆଡ଼କୁ ପିଠି କରି ଠିଆ ହୋଇଥିଲା କ୍ରାନ୍ତିକୁମାର'ଙ୍କ ବେଶରେ । ସାଙ୍ଗ ମାନେ ତା କଥା ଶୁଣି ହସି ହସି କହିଥିଲେ,"ତୋତେ ତ ଅସ୍କର ମିଳିବ । ପିଠି ଦେଖାଇବା ପାଇଁ । "
ଲାଜ,ଅପମାନରେ ସେ ସଢି ଯାଇଥିଲା । ତେବେ ତା ଜୀବନର ସେଇ ଅଭୁଲା ମୁହୂର୍ତ୍ତ ବି ସେଇ ସିନେମା ସୁଟିଂ ସମୟରେ ହୋଇଥିଲା, ଯେତେବେଳେ ସ୍ୱୟଂ କ୍ରାନ୍ତି କୁମାର ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଓ ପ୍ରଶଂସା କରିଥିଲେ । ଫଟ ଉଠାଇ ଫ୍ରେମ କରି ରଖିଛି ତାକୁ । ସବୁଠୁ ମହାର୍ଘ୍ୟ ମୁହୂର୍ତ୍ତ । ତା ହାତରେ ହଜାରେ ଟଙ୍କା ଧରାଇ ଦେଇ କ୍ରାନ୍ତିକୁମାର କହିଥିଲେ," ତୁମ ପାଇଁ ବୋଧେ ମୋର ଅଧିକ ପ୍ରଚାର ହେଉଛି,ଗାଁ ଗହଳି ଲୋକଙ୍କ ପାଖରେ ମୁଁ ପହଁଚୁଛି । କିନ୍ତୁ ମନେରଖ, କେବେ ଏମିତି କିଛି କାମ କରିବନି ଯାହା ଦ୍ବାରା ମୁଁ ବଦନାମ ହେବି । ଭିକମଗା, ଚୋରୀ, ଠକେଇ ଇତ୍ୟାଦି କେବେ କରିବନି । କାରଣ ତୁମେ ମୋ ଚେହେରା ନେଇ ବୁଲୁଛ । ମୋ ସମ୍ମାନ ତୁମ ହାତରେ । ତୁମେ ମୋ ପ୍ରତିଛବି । "
" ପ୍ରତିଛବି" !ବାଃ ! କି ସୁନ୍ଦର ଶବ୍ଦରେ ବୁଝାଇ ଦେଲେ ସୁପରଷ୍ଟାର!ସେ କ୍ରାନ୍ତି କୁମାର'ଙ୍କ ପ
୍ରତିଛବି ।
ଆଜିଯାଏଁ ସେ କଥା ମନେ ରଖିଛି । ଅସୁବିଧା ପଡିଲେ ବି ସେ ଭିକ ମାଗିନି । ବରଂ ଅଭିନୟ କରିଛି ।
ଡ୍ୟାନ୍ସଗ୍ରୁପରେ ନାଚୁଥିବା ଝିଅ ପ୍ରିୟଙ୍କା ସହ ବିବେକ'ର ବନ୍ଧୁତା ହୋଇଥିଲା । ସେ ବି ସଂଘର୍ଷ କରୁଛି ବିବେକ ଭଳି । ଭଲ ନାଚୁଛି ବୋଲି କିଛି ସିନେମା ରେ ଵ୍ୟାକ ଡ୍ୟାନସର ଭାବେ କାମ ସହ ଯାତ୍ରାରେ ବି କାମ କରି ଭଲ ରୋଜଗାର କରୁଛି ।
- ଯାତ୍ରାରେ କାଳେ ରେକର୍ଡ ଡ୍ୟାନ୍ସ କରୁଥିବା ଝିଅଙ୍କସହ ଭଲବ୍ୟବହାରକରାଯାଏନା । "ପଚାରି ଥିଲା ବିବେକ ।
- କିଏ କହିଲା ?କାଷ୍ଟିଙ୍ଗ କାଉଚ ସବୁଠି ଅଛି । ଯାତ୍ରା ଖାଲି ଅଯଥାରେ ବଦନାମ ହେଉଛି ,କାରଣ ଗରିବ ଅଭିନେତା,ଅଭିନେତ୍ରୀ ସେଠି ଅଧିକ । ମୁଁ ତ କହୁଛି ତମେ ଏ ଡୁପ୍ଲିକେଟ କାମ ଛାଡିଦିଅ । ମୋତେ ଲାଜ ମାଡୁଛି ତୁମ କଥା ଆମ ଘରେ କହିବା ପାଇଁ । ନାଟକ,ଯାତ୍ରାରେ କାମ କରୁଥିଲେ ବି କିଛି ନାହିଁ ।
- କିନ୍ତୁ ମୋତେ ଅନ୍ୟ କାମ କେହିଦେଉନାହାନ୍ତି । ସମସ୍ତେ ସେଇ ଡୁପ୍ଳିକେଟର କାମ କରିବାକୁ କହୁଛନ୍ତି । ଇନକମ ତ ହେଉଛି ।
-ତମେ ଟିକେ ଭାଵ, ଯଦି ତୁମ ଚେହେରାକୁ କିଛି ହୋଇଯାଏ ତେବେ କଣ କରିବ ?
ତେବେ ,ସେଦିନ ପ୍ରିୟଙ୍କା ବିବେକକୁ ଯାହା କହିଲା ତାହା ଶୁଣି କାନମୁଣ୍ଡା ଗରମ ହୋଇଗଲା ବିବେକ'ର ।
-"ତୁମ ଦେବତା, ସେ କ୍ରାନ୍ତି କୁମାର ଆଜି ମୋ ସହ କଣ କଲା ଜାଣିଛ? ମଦ ନିଶାରେ ଟଣା ଓଟରା କରୁଥିଲା । ଗୋଟାଏ ଚଟକଣା ମାରିଲି । ସେ ସିନେମାରୁ ମୋତେ ବାହାର କରିଦେଲା । "
- ତମେ ମିଛ କହୁଛ ।
- କାହିଁକି ମିଛ କହିବି? ମୁଁ ତ କହୁଛି, ସେମିତିକା ଗୋଟେ ଅଭଦ୍ର ଲୋକର ଡୁପ୍ଲିକେଟ ବନିବା ଛାଡିଦିଅ ତୁମେ ।
- କିନ୍ତୁ କଣ କରିବି ମୁଁ? ମୋ ପରିଚୟ ତ କ୍ରାନ୍ତି କୁମାରଙ୍କ ଡୁପ୍ଲିକେଟ ।
- ନିଜକୁ ପୁଣିଥରେ ସଜାଡି ଦେଖ ବିବେକ । ସେ ପାପୀର ଖୋଳପା ଭିତରୁ ନିଜକୁ ବାହାର କରିନିଅ । ଯଦି ନକରି ପାରିବ, ତେବେ ମୋତେ ଭୁଲି ଯାଅ । ମୁଁ ଚାହେଁନା ମୋତେ ଭଲ ପାଉଥିବା ଲୋକ ଗୋଟେ ଅଭଦ୍ର'ର ଡୁପ୍ଲିକେଟ ବନୁ ।
ରାତିସାରା ଚିନ୍ତା କରିଥିଲା ବିବେକ । ଛଟପଟ ହେଉଥିଲା ତା ମନ । କି ନିଷ୍ପତ୍ତି ନେବ ସେ ?
ପରଦିନ ଟିଭି ଓ ସମ୍ବାଦପତ୍ରରେ ବ୍ରେକିଙ୍ଗ ନିଉଜ, ମୁଖ୍ୟ ଖବର ।
"ମହିଳାଙ୍କୁ ଯୌନ ନିର୍ଯାତନା ଓ ଘରେ ବିନା ଲାଇସେନ୍ସରେ ମାରଣାସ୍ତ୍ର ରଖିବା ଅପରାଧରେ ସୁପର ଷ୍ଟାର କ୍ରାନ୍ତି କୁମାର ଗିରଫ । "
ତନ୍ନ ତନ୍ନ କରି ଆମୁଳ ଚୁଳ ଖବରଟି ପଢିଲା ବିବେକ । ପ୍ରିୟଙ୍କାର ଫଟ ବି ବାହାରିଛି । ହେ ଭଗବାନ ! କ୍ରାନ୍ତି କୁମାର ଏତେ ନୀଚ !ଚାରିଆଡେ ଛି ଛାକର, ଅପମାନ ମନ୍ତବ୍ୟ ।
ବର୍ତ୍ତମାନ ସେ ଚିନ୍ତାରେ ପଡ଼ିଲା; କ୍ରାନ୍ତି କୁମାର ଭାବି ତାକୁ ଦେଖି ହୁଏତ କିଏ ମରାମରି କରିପାରେ !
ପ୍ରଥମ ଥର ଅରିଜିନାଲ ପାଇଁ ଡୁପ୍ଲିକେଟ ଅସୁବିଧାରେ !କଣ କରିବ ସେ ?
ଦୁଇ ଛକିରେ ଜୀବନ ।
କଇଁଚି ଆଣି ଦର୍ପଣ ସାମ୍ନାରେ ଠିଆ ହୋଇ ନିଜ ବାଳ ସବୁ କାଟିପକାଇଲା । ନିଶ ବି ସଫା କରିଦେଲା । ଗୋଟେ ଟୋପି ଓ କଳା ଚଷମା ପିନ୍ଧିଲା । ଏଥର ସେ ଟିକେ ଅଲଗା ଦିଶୁଥିଲା । କ୍ରାନ୍ତି କୁମାର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଲାଗୁଥିଲା । ତା ଭିତରେ ଥିବା କ୍ରାନ୍ତି କୁମାରକୁ ମାରିବାକୁ ପଡିବ । ହୁଏତ କିଛି ଦିନ ଲାଗିବ ।
ପ୍ରିୟଙ୍କା ର ଫୋନ ସୁଇଚ ଅଫ ଆସୁଥିଲା । ତା ଘର ବି ତାଲା ପଡ଼ିଥିଲା । କୁଆଡେ ଗଲା ପ୍ରିୟଙ୍କା ?ଡରରେ ହୁଏତ....
କ୍ରାନ୍ତିକୁମାରଙ୍କୁ ଜେଲ ହେବ ନା ଫାଶୀ ?ଦଣ୍ଡ ପାଉ ସେ ଦୁଷ୍ଟ । ସୁପରଷ୍ଟାର ହୋଇ ବୁଲୁଥିଲା ବଦମାସ ।
ସେଦିନ ଟ୍ରେନରେ ବସି ବିବେକ ଚାଲିଗଲା କଲିକତା । ମନ ପରିବର୍ତ୍ତନ ପାଇଁ ହୁଏତ କିଛି ଦିନ ।
ପ୍ରିୟଙ୍କା ଫୋନ୍ କରୁନି,ତା ଫୋନ ଉଠାଉନି । କଣ ହେଇଛି କେଜାଣି ?
ଚାରି ମାସ ପରେ ଖବରଟା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା ବିବେକ । ପ୍ରିୟଙ୍କା ,କ୍ରାନ୍ତି କୁମାରଙ୍କ ଉପରୁ ଅଭିଯୋଗ ଉଠାଇନେଇଥିଲା ଓ ସିଜ ହୋଇଥିବା ବନ୍ଧୁକ ଲାଇସେନ୍ସ କାଗଜ କାଳେ ଠିକ୍ ଥିଲା ବୋଲି ପୋଲିସ ବୟାନ ଦେଇଛି । ଏମିତି ସବୁ କେମିତି ହେଲା ?
-ତୋ ଗାର୍ଲଫ୍ରେଣ୍ଡ, ସେ ଟୋକି କାଳେ ବ୍ଲାକମେଲ କରି କ୍ରାନ୍ତିକୁମାର ଠାରୁ ଗୁଡ଼ାଏ ଟଙ୍କା ନେଇଛି । ତା ଲାଇଫ ବନିଗଲା । ମିଛରେ କାଳେ ଫସେଇ ଥିଲା ବିଚରା କ୍ରାନ୍ତିକୁମାରକୁ । ଭାରି ଚାଲାକ ଝିଅ । ଏବେ ତମ ଦୁଇଜଣଙ୍କ ମଜା । "
ଫୋନରେ ସାଙ୍ଗ ଠାରୁ କଥାଟା ଶୁଣି ପ୍ରିୟଙ୍କା ଉପରେ ଘୃଣା ଆସୁଥିଲା ବିବେକକୁ । ସାମାନ୍ୟ କିଛି ଟଙ୍କା ପାଇଁ !
ପ୍ରିୟଙ୍କା ଫୋନ୍ ରିସିଭ୍ କରୁନି କାହିଁକି ?
ବିବେକକୁ ମେସେଜ ଆସିଲା
- ମୋତେ ଡିସଟର୍ବ କରନା ।
ଦୀର୍ଘ ନିଶ୍ବାସ ନେଲା ବିବେକ । ଘରକୁ ଫେରିଆସିଲା ।
ପରଦିନ ସେଲୁନ ଯାଇ ଦର୍ପଣରେ ନିଜକୁ ଦେଖିଲା । ବାଳ,ଦାଢ଼ି,ନିଶ ସବୁ ଅଯତ୍ନରେ ବଢ଼ିଛି ।
ସେଲୁନ ବାଲା ପଚାରିଲା, ", କେମିତି କାଟିବି ଆଜ୍ଞା ?"
ପୁଣି ଦି ଛକିରେ ଜୀବନ । ଗମ୍ଭୀର ସ୍ୱରରେ ବିବେକ କହିଲା,
- "କ୍ରାନ୍ତି କୁମାରଙ୍କ ଷ୍ଟାଇଲରେ କାଟ । ଠିକ୍ ଯେମିତି ତାଙ୍କ ଡୁପ୍ଲିକେଟ ଭଳି ଦେଖାଯିବି ମୁଁ । "