ଖୁଣିବ ବା ମୋତେ କିଏ !
ଖୁଣିବ ବା ମୋତେ କିଏ !
ମାଆ ମୋତେ ଏଇ ଶିଖିପୁଚ୍ଛ ଖୋସି
ସଜାଇ ଦେଉଛି ନିତି ,
କଳାରଙ୍ଗ ଯେହ୍ନେ ଝଲସି ଉଠିବ
ସୁନ୍ଦର ଦିଶିବ ଅତି ।
ଭାଇଙ୍କର ରଙ୍ଗ ଗୋରା ତକ ତକ
ସତେ କି ଲହୁଣୀ ମଖା ,
ସେଥିପାଇଁ ମାଆ ଏତେ ବେଶ କରେ
କାଳେ ପଡ଼ିଯିବି ଫିକା ।
ହାତେ ସୁନା ଖଡ଼ୁ,ମୁଦ୍ରିକା,ବାହୁଟି
କାନରେ କୁଣ୍ଡଳ ସାଜେ ,
କଟିରେ ମେଖଳା,ପାଦରେ ନୂପୁର
ରୁଣୁଝୁଣୁ କରି ବାଜେ ।
ଗଳାରେ ମୋହର ରତ୍ନହାର ଝୁଲେ
ଖଞ୍ଜାହୋଇଅଛି ମୋତି ,
କେଶ ବାନ୍ଧି ଦିଏ ଶିଖିପୁଚ୍ଛ ସହ
ସଜମଲ୍ଲୀ କଢ଼ି ନିତି ।
ପୀତ ବସନକୁ ପିନ୍ଧେଇ ଦେଇକି
ଗୋରୋଚନା ଚିତା ଦିଏ ,
ଯେ ଦେଖିବ ତା'ର ମନ ଲାଖିଯିବ
ଖୁଣିବ ବା ମୋତେ କିଏ !!
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।