କଲମ
କଲମ
କଲମ !
ହଁ କଲମ ! ଅସି ନହେଇ ବି ମୁନ ଯେ ତୀକ୍ଷ୍ଣ ଅତି ପ୍ରଖର ,
ଅତୀତ ଇତିହାସଠୁ କବି ଭାବନା କେତେ ଝରିଯାଏ ନେଇ କେତେ ଅଳଙ୍କାର ,
ସୁସଜ୍ଜିତ ରୂପସୀ ସେ କାହା କଳ୍ପନାର ,
ଧଵ ଫରଫର କାଗଜ ଉପରେ ଆଙ୍କି ଦିଏ ଅକୁହା ଯନ୍ତ୍ରଣା କାହା କୋହର ।୧।
କଲମ ଧରି ଲେଖିଲେ ରାମାୟଣ ବାଲ୍ମୀକି ,
କେତେ ଉପନ୍ୟାସ ଏକାଙ୍କିକା ରଚିଛନ୍ତି ଲେଖକ ତାକୁ ନେଇ ,
କେବେ ଶୋଷିତ ନିଷ୍ପେସିତର ସେ ପ୍ରତିବାଦକୁ ଆଙ୍କିଛି କରୁଣ କାହାଣୀ ଦେଇ ,
ପୁଣି ଏକ ମାତ୍ର ମଲମ ସେ ଏକ କ୍ଷତାକ୍ତ ହୃଦୟ ପାଇଁ ।୨।
ମନର ଭାବକୁ କରିବାକୁ ପ୍ରକାଶ ଝରିପଡ଼େ ବୁନ୍ଦା ବୁନ୍ଦା ସ୍ୟାହି ବିନ୍ଦୁ କାଗଜ ଉପରେ ,
ଅସଜଡ଼ା ନୀଡ଼କୁ ଦିଅ ସଜାଡି ଆଙ୍କି କେତେ କଥା କାଗଜ ଛାତିରେ ,
ସେ ଜାଣେ ଲେଖା ବିନ୍ୟାସ ପୁଣି ଯେ ମା ବାଗ୍ଦେବୀଙ୍କ ବାସ ତା ଠାରେ ,
ପୁଣି ଶାନ୍ତିର ଗୀତି ଗାନ କରିପାର ଯୁଦ୍ଧର କରାଳ ସମୟରେ ।୩।
କେବେ ସେ ଅଲିଭା ସ୍ମୁତିର ଚିର ଗାଥା ,
ପ୍ରେମ ପରିହାସ ଅଭିମାନ ଭରା ପ୍ରିୟତମା ପାଇଁ ଭାବ ପ୍ରକାଶର ରାସ୍ତା ,
ତା ବିନା ଅସମ୍ଭବ ରୂପ ବିନ୍ୟାସର କଥା ,
କେବେ ଲେଖିବାକୁ ସରମେ ନୂଆଇଁନି କେବେ ମଥା ।୪।
ସେ ଯେ ପ୍ରେମିକ ପଥିକ ଜୀବନ ଜନ୍ମର ପ୍ରତୀକ ସାହିତ୍ୟର ବାସ ,
ବର୍ଣ୍ଣିବାକୁ ତା ମହକ ଶବ୍ଦହୀନ ମୋ ଶବ୍ଦକୋଷ ,
କଲମକୁ ବର୍ଣ୍ଣିବାକୁ କରିଛି ଯଥାଶକ୍ତି ସମସ୍ତେ ପ୍ରୟାସ ,
ତଥାପି କାଣିଚାଏ ବୋଧେ କରି ପାରିନି ଗୁଣର ବିନ୍ୟାସ ।୫।