ଚାଳଘର
ଚାଳଘର
ଆସେ ବାରମ୍ବାର ସତେ ମାମୁଁଘର
କେମିତି ବଞ୍ଚିବି ମୁଁ ମୋ ପରିବାର
କେମିତି ସହିବ ବତାସ ପବନ
ମୋର ଝାଟିମାଟି ଚାଳଘର।
ସବୁ ବର୍ଷ ଆସି ଯାଏ ଭାଙ୍ଗି ଦେଇ
କାହିଁକି ଈଶ୍ୱର ଦୟା କାହିଁ ପାଇଁ
କି ପାପ କରିଛି କହି ଦିଅ ମତେ
ଆଉ ଜମା ସହିହେଉ ନାହିଁ।
ଆସବାବପତ୍ର ସଞ୍ଚିଥିବା ଧନ
ପବନରେ ସବୁ ହେଲା ଅନ୍ତର୍ଧ୍ୟାନ
ନିଜକୁ ସମ୍ଭାଳି କିପରି ବଞ୍ଚିବି
ଦିଅ ପ୍ରଭୁ ଦିଅ ସମାଧାନ।
ଗରିବ ପାଇଁକି ତୁମର ବିଚାର
ଭାଙ୍ଗି ଦେଉଅଛ ମୋର ଚାଳଘର
ପକ୍କାଘରେ ଧନୀ ଥାଏ ସୁରକ୍ଷିତ
ଗରିବ ମରଇ ବାରମ୍ବାର।
ଚାଳଘର ବାଲା ଦୁଃଖ କି କହିବ
ଲୁହ ପୋଛି ପୋଛି ସବୁ ସହିଯିବ
ଗରିବ ମରିଲେ ହୋଇ ହନ୍ତସନ୍ତ
କୁହ ପ୍ରଭୁ କି ଯଶ ରହିବ।
ପ୍ରଶ୍ନର ମୋହର ଦିଅ ହେ ଉତ୍ତର
ଦୟା ଟିକେ କର ଆହେ କୃପାକର
ତୁମରି ଦୃଷ୍ଟିରେ ଯଦି ମୁଁ ପାପୀଟେ
ରକ୍ଷା କରିବନି ଯେ ଏଥର।