STORYMIRROR

Papu parida

Drama Classics Others

4  

Papu parida

Drama Classics Others

ଭିନ୍ନ ଏକ ରାମାୟଣ

ଭିନ୍ନ ଏକ ରାମାୟଣ

2 mins
245


ଶୁଣିଥିବେ ସର୍ବେ ବାଲ୍ମୀକି ରଚିତ     କାଳଜୟୀ ରାମାୟଣ

ସତ୍ୟ ଧର୍ମ ନ୍ୟାୟ ମର୍ଯ୍ୟାଦାର ବାର୍ତ୍ତା   ଗାଉଅଛି ସେ ପୁରାଣ।

ଜାଣିଥିବେ ସର୍ବେ ତୁଳସୀ ଦାସଙ୍କ    ରାମ ଚରିତ ମାନସ

ସଂସ୍କାରୀ ଚରିତ୍ର ସତ୍ୟ ପାଳନାର୍ଥେ    ଘେନିଥିଲେ ବନବାସ।

ଦେଖିଛକି କେବେ ଗଞ୍ଜାମ ମାଟିର    ବାଦ ମଞ୍ଚ ରାମାୟଣ

କିପରି ଚିପନ୍ତି ଧାତ୍ରୀଙ୍କ ତଣ୍ଟିକୁ      ଜାଣିନାହଁ ଯଦି ଜାଣ।


ଲକ୍ଷ୍ମଣ ମାରନ୍ତି ଲକ୍ଷ୍ମଣଙ୍କୁ ତୀର     ରାମଙ୍କୁ ମାରନ୍ତି ରାମ

ଅଶ୍ଲୀଳ ଇଙ୍ଗିତେ ଅଶ୍ଲୀଳ ଭାଷାରେ   ପୁରି ଉଠେ ଧରାଧାମ।

ସତୀ କରୁଥାନ୍ତି ସତୀଙ୍କ ଭର୍ତ୍ସନା     ସତୀଙ୍କର ବେଶ ଧରି

ବିସ୍ଫୋରଣ ଶବ୍ଦ ପ୍ରଦୂଷଣ ଗନ୍ଧ      ଲାଗେ ବିଶ୍ୱଯୁଦ୍ଧ ପରି।

ସଂସ୍କୃତିର ହତ୍ୟା ପୁରାଣର ହତ୍ୟା   ପୁରାଣେ ବିକୃତି ଜାଗି

ଏ କି ବାଦ ହାଏ ଏ କି ପ୍ରତିସ୍ପର୍ଦ୍ଧା    କ୍ଷଣସ୍ଥାୟୀ ଯଶ ଲାଗି ?


ଏ ପଟେ ଦାନବ ସେପଟେ ଦାନବ     ପ୍ରକାଶନ୍ତି ପରାକ୍ରମ

ହାତରେ ଗୋଡ଼ରେ ଜାଗା ଅଜାଗାରେବାଣ ଦେଖି ଡରେ ଯମ।

ଦେବ ଦାନବଙ୍କ ଅପୂର୍ବ ମିତ୍ରତା       ଦର୍ଶକେ ଦେଖନ୍ତି ପୁଣି

ବିରାଦ୍ଧ ଲଭିଣ ଲକ୍ଷ୍ମଣଙ୍କ ଶିକ୍ଷା       ମାରନ୍ତି ବଡ଼ ଫୁଟାଣି।

କେଉଁ ପୁରାଣରୁ ଲଭିଲ ଏମନ୍ତ       ଚିତ୍ରନାଟ୍ୟ ନିର୍ଦ୍ଦେଶନା

ଧନ୍ୟ କଳାକାର ଧନ୍ୟ ନିର୍ଦ୍ଦେଶକ     ଧନ୍ୟ ତୁମର କଳ୍ପନା।


ନା ଯେ ସୂର୍ପଣଖା ନା ମନ୍ଥରା ବୁଢ଼ୀ   ନା ଯେ ରାଜା ଦଶରଥ

ଚରିତ୍ର ଭୁଲିଣ ସଭିଏଁ ଏଇଠି      ନିଜ ସଙ୍ଗେ ହୁଏ ଯୁଦ୍ଧ।

ଡିଅନ୍ତି କଅମ ଉଡାନ୍ତି ଅଧିକ       ଅସଭ୍ୟ ଇଙ୍ଗିତ ରାଜି

କୁହ କେହି ଯାଇ ମାଙ୍କଡ଼ ମାନଙ୍କୁ    ଲଗାଅନି ପ୍ରାଣ ବାଜି।

ସଂସ୍କାର ସଂସ୍କୃତି ଅଟେ ମଣିଷର    ଜୀବନରେ ଆତ୍ମା ପରି

କି ହେବ ଏ ଯଶ କି ହେବ ଏ ନାମ  ଧାତ୍ରୀ ପୁରାଣଙ୍କୁ ମାରି।


ପୁରାଣ ଯୁଗରେ ଶବର ପଲ୍ଲୀରେ      ଶବର ନଥିଲେ ପରା

ଯାତ୍ରା ଜଗତର ନୃତ୍ୟଶିଳ୍ପୀ ସବୁ       ଯାଉଥିଲେ ବୋଧେ ଭଡା

ଅନ୍ୟ ଗ୍ରହେ ଜୀବ ସତ୍ତା ଖୋଜି ଖୋଜି   ନାସା ଇସ୍ରୋଚିନ୍ତାମଗ୍ନ

ରାବଣ ତପସ୍ୟା ଦୃଶ୍ୟରେ ଏଠାରେ    ଡେଉଁଛନ୍ତି ଏଲିଅନ।

ସୃଜନଶୀଳତା ପ୍ରଦର୍ଶନ ନାମେ       କାହିଁ କରୁଅଛ ନଷ୍ଟ

କେଜାଣି କିପରି ସ୍ୱାଭିମାନି ପୁଅ       ହେଉଛନ୍ତି ପଥଭ୍ରଷ୍ଟ ?


ଯେଉଁ ମଞ୍ଚେ ହୁଏ ଶ୍ରୀରାମଙ୍କ ଜନ୍ମ     ବିଷ୍ଣୁଙ୍କର ଆବିର୍ଭାବ 

ସେ ପବିତ୍ର ମଞ୍ଚେ କାହିଁ ଅଭଦ୍ରତା      ଛାଡଇ କର୍କଶ ରାବ।

ସବୁ ସୀମା ଲଙ୍ଘେ ଅଶ୍ଲୀଳତା ଏଠି     ମନୋରଞ୍ଜନର ନାମେ

ଅଙ୍ଗ ପ୍ରଦର୍ଶନ ଅସଂଯତ ମୁଦ୍ରା        ଆସର ଏଇଠି ଜମେ।

ଅସଭ୍ୟ ଦର୍ଶକ ଉତ୍ତେଜିତ କଲେ      ଉଦଣ୍ଡତା ହୁଏ ବେଶୀ

ଦୋଷୀ କ'ଣ ଏଠି ଖାଲି କଳାକାର    ଦର୍ଶକ କଣ ନିର୍ଦ୍ଦୋଷୀ ?


କଳା ନୈପୁଣ୍ୟତା ପରୀକ୍ଷା ନୁହେଁ ଏ    ଶବ୍ଦ ବିକୃତିର ପରୀକ୍ଷା

ଷଣ୍ଡ ଭାଙ୍ଗିଦିଏ ଶିବ ପେଣ୍ଡାଲ ଯେ     କିଏ କରିବ ହେ ରକ୍ଷା ?

ଲଢେଇ ହେବରେ ଅଲବତ ହେବ ରେ  ମଞ୍ଚ ହୁଏ କିରି କିରି

ମାହାଲ ମାଣ୍ଡା ଓ ରଙ୍ଗମହଲରେ     ରାମାୟଣ ଯାଏ ସରି।

ମଞ୍ଚର ସମ୍ମାନ କଳାର ଆଦର      କରିବା କେବେ ହେ ଆମେ 

ଫୁଲଚିହ୍ନା ଦୃଶ୍ୟ ଚିହ୍ନିଲେଣି ପିଲେ     ଏଠି ଲଭ ସିନ ନାମେ।


ସବୁ ସମୟରେ ଅଣ କଳାକାର      ରହିବେ ମଞ୍ଚ ଉପରେ

ଅନ୍ତର୍ଯ୍ୟାମୀଙ୍କର କାନରେ ଏମାନେ    କହୁଥିବେ ଧୀରେ ଧୀରେ

ବିପକ୍ଷ ଦଳକୁ ଇଙ୍ଗିତ କରିବା       ଅଟଇ କର୍ମ ତାଙ୍କରି 

କଳାକୁ ନଜାଣି ଶ୍ରେଷ୍ଠ ବୋଳାଇବେ  ନିଜେ ନିଜେ ତାଳି ମାରି।

ମଞ୍ଚ ଚରିତ୍ରର ଚରିତ୍ର ମଞ୍ଚର        ତୁମର କି ଅବା କାମ

କାହିଁ ଚଢି ମଞ୍ଚେ ମଞ୍ଚର ଗାରିମା      ନଷ୍ଟ କର ଅବିରାମ।


ମଞ୍ଚ ରାମାୟଣ ଉଦ୍ଦେଶ୍ୟ ନଥିଲା     ଦୁଃସାହସ ପ୍ରଦର୍ଶନ

ମଞ୍ଚ ରାମାୟଣ ଉଦ୍ଦେଶ୍ୟ ନଥିଲା     ଅଶ୍ଲୀଳତା ନିଦର୍ଶନ।

କାହିଁ କେଉଁ କାଳୁ ସଂସ୍କୃତି ପ୍ରଚାରେ    ହୋଇଥିଲା ସମର୍ପିତ

ଆଧୁନିକତାର ଅସଭ୍ୟ ସ୍ପର୍ଶରେ      ତା ରୂପ ହେଲା ବିକୃତ।

ସଚେତନ ହୁଅ ସଚେତନ ହୁଅ      ଆହେ ଗଞ୍ଜାମିଆ ଗଣ

ଲେଖନାହିଁ ଆଉ ଅସଭ୍ୟ କଲମେ    ଭିନ୍ନ ଏକ ରାମାୟଣ।


ଲେଖାନାହିଁ ଆଉ ଅସଭ୍ୟ କଲମେ 

ଭିନ୍ନ ଏକ ରାମାୟଣ ।




Rate this content
Log in

Similar oriya poem from Drama