STORYMIRROR

SOUBHAGYABATI GIRI

Drama Romance Inspirational

4  

SOUBHAGYABATI GIRI

Drama Romance Inspirational

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
208

ପ୍ରେମ ଆଜି ପାଲଟିଛି ପାଷାଣ ପ୍ରତିମା,

ଲୁଚିଯାଇଛି ସାଗରର କେଉଁ ଅତଳ ଗର୍ଭରେ,

ପ୍ରକୃତ ପ୍ରେମକୁ ପାତାଳରେ ପୋତିଦେଇ

ତା' ଉପରେ ଆକର୍ଷଣ ଗଢିଛି

ଏକ ନଭଶ୍ଚୁମ୍ଭୀ ଅଟ୍ଟାଳିକା,

ପ୍ରେମ ଶବ୍ଦର ସାହାରା ନେଇ ବାଜି ଜିତୁଛି ଆକର୍ଷଣ।


ପ୍ରେମ ଏବେ ପାଲଟିଛି କେବଳ ମାତ୍ର ଦେହଦାହର କଥା,

ଶାରୀରିକ ଆକର୍ଷଣ ଆଉ ଭରା ଯୌବନର ଉନ୍ମାଦନ,

ପ୍ରେମ ନାମରେ ଏଠି ଅଙ୍ଗେଅଙ୍ଗେ ଖେଳୁଛି ଅପୂର୍ବ ଶିହରଣ,

ଦୁଇଟି ଶରୀରର କ୍ଷଣିକ ଉନ୍ମାଦନାର ଉଷୁମ ଆଶ୍ଲେଷରେ

ଜଳିପୋଡି ଛାରଖାର ହେଇଯାଉଛି ପବିତ୍ର ପ୍ରେମ,

ଅସରାଏ ଆକର୍ଷଣ ଭିତରେ ଦିଶି ଯାଉଛି

ମାତ୍ର କେଇବୁନ୍ଦା ବାସ୍ତବ ପ୍ରେମ।


ହେଲେ ପ୍ରେମୀଗଣ,ଗଣ୍ଠି କରିନିଅ ଗୋଟେ କଥା,

ବାସ୍ତବ ପ୍ରେମ ବିନା ଆକର୍ଷଣ କ୍ଷଣସ୍ଥାୟୀ,

ଇନ୍ଦ୍ରଧନୁ ପରି କେତେବେଳେ ଉଭେଇଯିବ

ସେକଥା କାହାକୁ ବି ଜଣା ପଡିବନି।


ପାରୁଛ ଯଦି ଥରେ ମୁକୁଳି ଦେଖ ସେ ଆକର୍ଷଣର ବନ୍ଦୀଗୃହରୁ,

ଗଢୁଛ ତ ଗଢ ଏକ ପ୍ରତିଜ୍ଞାବଦ୍ଧ ପ୍ରେମ ସମ୍ପର୍କ ,

ଭରିଦିଅ ଅତୁଟ ବିଶ୍ୱାସ ଆଉ ଅମାପ ଶ୍ରଦ୍ଧା,

ରଖନା ସେଠି କାମନା କି ବାସନାର କ୍ଷୁଧାପିପାସା ।


ପୁରୁଷୋତ୍ତମ ପାଷାଣୀ ଅହଲ୍ୟାଙ୍କୁ ଉଦ୍ଧାର କଲା ପରି

ପାତାଳ ବକ୍ଷରୁ ଉଦ୍ଧାର କର ସେ ପ୍ରକୃତ ପ୍ରେମକୁ,

ଡେଣା ଝାଡି ଉଡିଯାଉ ସିଏ,

ସମୟର ବଣ ବିଲ ପ୍ରାନ୍ତର ଅତିକ୍ରମ କରି,

ପ୍ରତିଟି ହୃଦୟକୁ ଛୁଇଁଯାଉ ଧୀରେଧୀରେ,

ପୁଣି ଥରେ ଏ ଧରାବକ୍ଷରେ ହେଉ ବାସ୍ତବ ପ୍ରେମର ପ୍ରତିଷ୍ଠା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama