ରଙ୍ଗ ହୀନ ଆଜି ରତନ ବେଦୀ
ରଙ୍ଗ ହୀନ ଆଜି ରତନ ବେଦୀ
ଜଗତର ଜ୍ୟୋତି ଅନନ୍ତ ଶକ୍ତି
ହେ ସୃଷ୍ଟିର ସ୍ରଷ୍ଟା ପୁରୁଷୋତ୍ତମ,
ତୁମ ଲାଗି ସବୁ ଦିବ୍ୟ ସୁନ୍ଦର
ସଂସାରରେ ଲାଗେ ତା' ଅନୁପମ।
ତୁମେ ବିଶ୍ଵକର୍ମା ତୁମେ ବିନ୍ଧାଣୀ
ରଙ୍ଗ ତୂଳୀ ଧରି ଦିଅ ରଙ୍ଗାଇ,
ତୁମେ ଚିତ୍ରକର ତୁମେ ହିଁ ଶିଳ୍ପୀ
ତୁମରି କଳାରେ ଦିଅ ହସାଇ।
ସୁନ୍ଦର ମଧୁର କରି ବସୁଧା
ଶ୍ରୀକ୍ଷେତ୍ରରେ କଲ ଦେଉଳ,
ନୀଳ କନ୍ଦରରୁ ବାହାରି ଆସି
ନୀଳାଚଳ ଧାମେ କର ଉଜ୍ଜ୍ୱଳ।
ତୁମ ଶ୍ରୀମନ୍ଦିରେ ତୁମେ ତ ଶିରୀ
ଇଛାରେ ତୁମର ହୁଏ ରଙ୍ଗୀନ,
ତୁମ ବିନା ରଙ୍ଗ ସବୁ ବେରଙ୍ଗ
ତୁମେ ଅଟ ପରା ଜୀବ ଜୀବନ।
ରଥେ ବସି କଲ ଗୁଣ୍ଡିଚା ଯାତ
ଭକତ ହୋଇଲେ ଯେ ବିମୋହିତ,
ଉଡାଇ ତୁମର ଯଶର ନେତ
ସାରା ଦୁନିଆଁକୁ କଲ ଚକିତ।
ନବ ରାତ୍ର ଯାଏଁ ଆଡ଼ପେ ରହି
ଶ୍ରଦ୍ଧାଳୁ ଭକତେ ଦିଅ ଆଶିଷ,
ସୁମିଷ୍ଟ ଅଭଡ଼ା ମଣ୍ଡପେ ଖାଇ
ବାଙ୍କ ଚାହାଁଣୀରେ ନିଅ ତ ମୋହି।
ତୁମ ବିନା ଖାଲି ଖାଲି ଶ୍ରୀକ୍ଷେତ୍ର
ରଙ୍ଗହୀନ ଆଜି ରତନ ବେଦୀ,
ମାତା ମହାଲକ୍ଷ୍ମୀ ଯେ ଏକାକିନୀ
କେମନ୍ତେ ଛାଡ଼ିଲ କିଛି ନ ଭାବି ?
ଶ୍ରୀମନ୍ଦିର ବେଢ଼ା ଲାଗେ ନିସ୍ତବ୍ଧ
ଚାରି ଦିଗ ଦିଶେ ଯେ ଶୂନ୍ୟ ଶୂନ୍ୟ,
ତୁମେ ପରଂବ୍ରହ୍ମ ପୁଣ୍ୟର ପୁଣ୍ୟ
ସବୁ ଆଶା କର ତୁମେ ହିଁ ପୂର୍ଣ୍ଣ।
ଦ୍ବାପରେ ବି ତୁମେ ଗଲ ମଧୁରା
ଛାଡି ଦେଇ ଗୋପ କରି ଏକଲା,
ରାଧା ଝୁରି ହେଲେ ତୁମ ବିହୁନେ
ଯମୁନା ପୁଲୀନ ଶୂନ୍ୟ ପଡ଼ିଲା।
ତ୍ରେତୟାରେ ଗଲ ହେ ବନବାସେ
ଅଯୋଧ୍ୟାକୁ କରି ଦେଇ ଶ୍ରୀହୀନ,
ନ ଦେଖି ଆଖିରେ ତୁମ ବଦନ
ପୁତ୍ର ବିନା ପିତା ହାରିଲେ ପ୍ରାଣ।
ଯହିଁ ନାହିଁ ତୁମେ ସେ ମରୁ ସମ
ଲାଗେ ଶୂନ୍ୟ ଶୂନ୍ୟ ଘନ ଅନ୍ଧାର,
ତୁମେ ତ ଆଲୋକ ଶକ୍ତିର ଉତ୍ସ
ତୁମ ବିନା ସବୁ ଯେ ହାହାକାର।
ଫେରି ଆସ ପ୍ରଭୁ ମେଲାଣି ନେଇ
ରତ୍ନ ସିଂହାସନ ପଡ଼ିଛି ଖାଲି,
ହସିଲେ ଶ୍ରୀକ୍ଷେତ୍ର ହସିବେ ଜନେ
ସୁବର୍ଣ୍ଣ ହୋଇବ ଶରଧା ବାଲି।
ତୁମେ ମହାପ୍ରଭୁ କରୁଣା କର
ଡାକୁଛି ଭକତ ବଢ଼ାଇ ହାତ,
ଫେରି ଆସି ତୁମେ ଦିଅ ଆଶିଷ
ନାଚି ଉଠିବ ଏ ସାରା ଜଗତ।
ଶରଣରେ ରଖ ହେ ମହାବାହୁ
ରଖ ଯେବେ ତୁମେ କି ଲୋଡ଼ା ଆଉ ?
ତୁମ ଚରଣରେ କରେ ପ୍ରଣାମ
ତୁମ ଦର୍ଶନରେ ଜୀବନ ଯାଉ।।
