STORYMIRROR

SOUBHAGYABATI GIRI

Fantasy Inspirational Children

4  

SOUBHAGYABATI GIRI

Fantasy Inspirational Children

ଜନ୍ମନିଅ ଆଉଥରେ

ଜନ୍ମନିଅ ଆଉଥରେ

1 min
178


ପୁନର୍ଜନ୍ମ ବୋଲି   ସତେ ଯଦି କିଛି 

    ଅଛି ଏଇ ଦୁନିଆରେ।

ଜାତିର ଜନକ   ଆହେ ବାପୁ ତୁମେ

    ଜନ୍ମନିଅ ଆଉଥରେ॥


ତୁମେ ଗଢିଥିବା    ସୁନାର ଦେଶକୁ

    ଦେଖିବ ନିଜ ଚକ୍ଷୁରେ।

ସପନ ତୁମର   କେତେ ସତ ଆଜି

    ପରଖିବ ଧିରେଧିରେ॥


ଅଖଣ୍ଡ ଭାରତ    ଗଢିଥିଲ ତୁମେ

    ବାଜି ରଖି କେତେ ମୁଣ୍ଡ।

ଦେଖିଯିବ ତୁମ    ସ୍ୱପ୍ନର ଭାରତ

    ହୋଇଅଛି କେତେ ଖଣ୍ଡ॥


ଅହିଂସା ବଳରେ    ଫିରିଙ୍ଗିକୁ ତଡି

    ଆଣିଥିଲ ସ୍ୱାଧୀନତା।

ଅହିଂସା ବଦଳେ   ହିଂସା ଜର୍ଜରିତ

    ଆଜି ଏ ସ୍ୱାର୍ଥୀ ଜନତା॥


କଳାଗୋରା ସାଥେ ଛୁଆଁ ଓ ଅଛୁଆଁ

    ନ ଥିଲାଟି ତୁମ ମନେ।

ଆଉ ଥରେ ଆସି   ସେହି ଗୁରୁମନ୍ତ୍ର 

    କହିଯାଅ କାନେକାନେ॥


ସ୍ୱାବଲମ୍ବୀ ହେବା   ଶିଖାଇଥିଲ ହେ

    କରିକି କେତେ ଆକଟ।

ଦିନୁ ଦିନ ଏଠି   ମୁଣ୍ଡ ଟେକି ଚାଲେ

    ଯୁବ ବେକାରୀ ସଙ୍କଟ॥


ଶାନ୍ତିର ବାର୍ତ୍ତା     ଦେଇଥିଲ ତୁମେ

    ସାଥେ ମନ୍ତ୍ର ଏକତାର।

ଯୁଦ୍ଧ ବିଭୀଷିକା     ଶାନ୍ତିକୁ ନିହତ

     କରେ ଆଜି ବାରବାର॥


ନାରୀଶିକ୍ଷାର      ପ୍ରଚାର ପ୍ରସାର

    ତୁମେ ପରା ଚାହିଁଥିଲ।

ମାତୃଗର୍ଭରୁ      କନ୍ୟାଭୃଣ ହତ୍ଯା 

    କରିବେ ଜାଣି ନଥିଲ॥ 


ନାବାଳିକା ଏଠି      ଧର୍ଷିତା ପୁଣି

     ନିଲାମ ନାରୀ ଇଜ୍ଜତ।

ଆଜିଯାଏ ନାରୀ     ଅସୁରକ୍ଷିତ ଓ

     ଯନ୍ତ୍ରଣାରେ ଜର୍ଜରିତ॥


ନିର୍ଭୟା ପରି     କେତେ ଝିଅ ଆଜି

     ବଳାତ୍କାରର ଶିକାର।

ଯୌତୁକ ଜୁଇରେ    ଜଳେ ନବବଧୂ

     ଶୁଭୁଛି ଆର୍ତ୍ତ ଚିତ୍କାର॥


ସ୍ୱଚ୍ଛ ଭାରତ      ଗଢିବାଟା ଥିଲା 

     ଲକ୍ଷ୍ୟ ତୁମ ଜୀବନର।

ରାମରାଜ୍ୟ ଏଠି    ସ୍ଥାପନା କରିବ

     ଆଶା ଥିଲାଟି ତୁମର॥


ତୁମ ଆଦର୍ଶର      ସତ୍ୟର ପଥ 

    ଥିଲା କେତେ କୁସୁମିତ।

ସେଇ ପଥଟିକୁ     ନଷ୍ଟଭ୍ରଷ୍ଟ କରି

    ଗଢିଛନ୍ତି ମିଥ୍ୟାପଥ॥


ସେବା ମନୋଭାବ  ସାଥିରେ ତୁମର

     ନିରିମଳ ଭାବମୂର୍ତ୍ତି।

ସମୟ ସାଥିରେ   ଲିଭାଇ ଦେଲେଣି

    ତୁମ ବହୁମୂଲ୍ୟ କିର୍ତ୍ତି॥


ପାଦପାଣି ଯୋଡି    କରୁଛି ବିନତି

    ଆହେ ଜାତିର ଜନକ।

ସ୍ୱପ୍ନର ଦେଶକୁ   ଦେଖିଯିବା ପାଇଁ

    କ୍ଷିତିପୃଷ୍ଠେ ପାଦ ରଖ॥


କାଲିର ଅରୁଣ      ଉଦୟ ପୂର୍ବରୁ

    ପାଦ ଥାପ ଏ ଧରାରେ।

ଅହିଂସା ମନ୍ତ୍ର ଓ    ଶାନ୍ତିର କପୋତ

     ଆଣିଥିବ ତୁମ କରେ॥


ପୁନର୍ଜନ୍ମ ବୋଲି    ସତେ ଯଦି କିଛି 

     ଅଛି ଏଇ ଦୁନିଆରେ।

ଜାତିର ଜନକ   ଆହେ ବାପୁ ତୁମେ

     ଜନ୍ମନିଅ ଆଉଥରେ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy