STORYMIRROR

Papu parida

Drama Classics Inspirational

3  

Papu parida

Drama Classics Inspirational

ରକ୍ତଦାନ ଚକୁଳିଆ ପଣ୍ଡା ଗୀତ

ରକ୍ତଦାନ ଚକୁଳିଆ ପଣ୍ଡା ଗୀତ

2 mins
212


ଶୁଣ ହେ ରାଳବର      ସୁଜନମଣ୍ଡଳୀ

ଜଗତରେ କାହିଁ ପୁଣ୍ୟ    ରକ୍ତଦାନ ଭଳି।

ମନ ଦେଇ ଶୁଣ ସର୍ବେ    ଆମର ଏ ଗୀତ

ବୁଝାଇ କହିବୁ ରକ୍ତ      ଦାନର ମହତ୍ତ୍ୱ।

ଆହା ରକ୍ତଦାନର ମହତ୍ତ୍ୱ ।


ପ୍ରଥମେ କହୁଛୁ ଶୁଣ    କାହିଁ ଦରକାର

ରକ୍ତଭାବେ କାହିଁ ହୁଏ   ଅବଶ ଶରୀର।

ରକ୍ତ ଯୋଗୁଁ ଖାଦ୍ୟ ସବୁ  ଅଙ୍ଗରେ ପହଞ୍ଚେ

ବର୍ଜ୍ୟବସ୍ତୁ ସବୁ ଅଙ୍ଗୁ    ରକତ ହିଁ ସଞ୍ଚେ।

ବାଇମନ ରକତ ହିଁ ସଞ୍ଚେ ।


ସେଥିଲାଗି ରକ୍ତଭାବେ  ଚାଲିଯାଏ ପ୍ରାଣ

ବିକଳ୍ପ ନଥିବା ଯୋଗୁଁ   ହୁଅଇ ମରଣ।

ପ୍ରତକ୍ଷ ଦାନ ହିଁ ତା'ର   ଏକ ମାତ୍ର ବାଟ

ଶୁଣ ଆହେ ସୁଧିଜନ    ଶୁଣ ହେ ସଙ୍ଗାତ।

ଆହା ଶୁଣ ହେ ସଙ୍ଗାତ ।


ଘଟେ ଯଦି କେବେ ଆକ-  ସ୍ମିକ ଦୁର୍ଘଟଣା

ଅସ୍ତ୍ରୋପଚାର ହେଉ ବା    ପ୍ରସବ ବେଦନା।

ଜିନ ଗତ ରୋଗ ଯୋଗୁଁ   କେତେ ହନ୍ତସନ୍ତ

କିଡନୀ ରୋଗରେ ଦୁଃଖ   ହୁଏ ନାହିଁ ଅନ୍ତ।

ବାଇ ମନ ହୁଏ ନାହିଁ ଅନ୍ତ ।


ଆଜି ନୁହେଁ ଏହି କଥା   ସମସ୍ୟା ତୁମରି

କାଲି କଥା କିଏ ଜାଣେ  କି ହେବ କାହାରି।

ଆଜି ନାହିଁ ଏହା ତୋର  ଚିନ୍ତାର କାରଣ

ଭାଗ୍ୟର ବିଚାର କରି   ହେବକି ବାରଣ।

ଆହା ହେବ କି ବାରଣ ।


ନ' ଆସୁ କାହା ଜୀବନେ   ଏପରି ସମୟ

ସର୍ବ ସହଯୋଗେ ହେଉ  ସମସ୍ୟା ବିଲୟ।

ବିନା ସହଯୋଗେ ଏଠି   ହଲେନି ପତର

ରକ୍ତଭାବ ସମସ୍ୟାର    ଗୋଟିଏ ଉତ୍ତର।

ବାଇମନ ଗୋଟିଏ ଉତ୍ତର ।


ମନ ଦେଇ ଶୁଣ ସର୍ବେ   ଦାନର ଯୋଗ୍ୟତା

ବୁଝାଇ କହିବୁ ଆମେ    ଗୋଟି ଗୋଟି କଥା।

ମିଛ ଭୟ ସବୁ ଆଜି    ମନୁ ଦେବୁ ପୋଛି

ସଚେତନତାର ବାର୍ତ୍ତା    ଆମେ ଦେବୁ ବିଞ୍ଚି।

ଆହା ଆମେ ଦେବୁ ବିଞ୍ଚି‌।


ଅଠର ବର୍ଷରୁ ଉର୍ଦ୍ଧ୍ବ     ଯୁବକ ଯୁବତୀ

ଚାଳିଶି ଆଠରୁ ଉର୍ଦ୍ଧ୍ବ    ଓଜନ ହୁଅନ୍ତି।

ନିର୍ଦ୍ୱନ୍ଦରେ ସିଏ କରି    ପାରେ ରକ୍ତଦାନ

ଦାନ ମଧ୍ୟେ ଦାନ ରକ୍ତ   ଦାନ ମହାପୁଣ୍ୟ।

ଆହା ଦାନ ମହାପୁଣ୍ୟ ।


କିଛି କ୍ଷେତ୍ରେ ଉଭା ହୁଏ    କିଛି ବ୍ୟତିକ୍ରମ

ମଦ ପିଇ ଥିଲେ ରକ୍ତ     ଆସେ ନାହିଁ କାମ।

ଅସ୍ତ୍ରୋପଚାରର ନ ପୁ-    ରୁଣୁ ଛଅ ମାସ

କରିବେ ନାହିଁ ଯେ କେହି   ଦାନର ପ୍ରୟାସ।

ବାଇମନ ଦାନର ପ୍ରୟାସ ।


ମହିଳାଙ୍କ କ୍ଷେତ୍ରେ ଥାଏ   କିଛିଟା ବାରଣ

ପ୍ରସବ ସେଥି ମଧ୍ୟରୁ     ଗୋଟିଏ କାରଣ।

ଋତୁସ୍ରାବ ସମୟଟି      ନୁହେଁ ଉପଯୁକ୍ତ

ଅନ୍ୟ ସବୁ କ୍ଷେତ୍ରେ ଦେଇ  ପାରିବ ହେ ରକ୍ତ।

ଆହା ଦେଇ ପାରିବେ ହେ ରକ୍ତ ।


ପୋଛି ଦିଅ ମନୁ ସବୁ    ସଂକୋଚ ଓ ଭୟ

ସଂକଳ୍ପର ହାତ ଧରି     ଘେନ ହେ ବିଜୟ।

ମନୁଷ୍ୟତା ରକ୍ଷା ଲାଗି   ବଢ଼ାଅ ହେ ହାତ

ରକ୍ତର ସମ୍ପର୍କ ନୂଆଁ     ଗଢ଼ ହେ ସଙ୍ଗାତ।   

ଆହା ଗଢ଼ ହେ ସଙ୍ଗାତ ।


କେଇ ଘଣ୍ଟା ମଧ୍ୟେ ସୃଷ୍ଟି   ପୁଣି ସେ ରକତ

ଅପେକ୍ଷାରେ କଣିକାର   ସ୍ଥିର ଅନୁପାତ।

ସେଥିପାଇଁ ଲୋଡ଼ା ହୁଏ  ତିନି ଗୋଟି ମାସ

ମିଥ୍ୟା ସବୁ ଦେଲେ ରକ୍ତ  ହୋଇଯିବ ଶେଷ।

ବାଇମନ ହୋଇଯିବ ଶେଷ ।


ଶୁଣ ଏବେ ସୁଧିଜନେ   ଦେଇ ମନ ଧ୍ୟାନ

ଉପକାରିତା ର ବାର୍ତ୍ତା   କରୁଛୁ ବଖାଣ।

ତିନି ମାସକରେ ଥରେ  ଦେଉଥିଲେ ରକ୍ତ

କ'ଣ ଲାଭ ମିଳିଥାଏ    ଶୁଣ ହେ ସଙ୍ଗାତ।

ଆହା ଶୁଣ ହେ ସଙ୍ଗାତ ।


ମାଗଣାରେ ନିୟମିତ      ରକ୍ତର ପରୀକ୍ଷା

ଲକ୍ଷଣ ବିହୀନ ରୋଗ     ଥିଲେ ଦିଏ ଦେଖା

ସବେଳୁ ଜାଣିଲେ ଆମେ    ଜିଣିବା ହେ ତାକୁ

ଜାଣି ନ ପାରିଲେ ଶେଷେ   କହିବା କାହାକୁ।

ବାଇମନ କହିବା କାହାକୁ ।


ରକ୍ତଚାପ ହୃଦଚାପ     ନିୟନ୍ତ୍ରିତ ରୁହେ

ଅସାଧ୍ୟ ରୋଗ ଯେତେ   ଦୂରେ ଦୂରେ ଧାଏଁ।

ସକ୍ରିୟ ରୁହେ ଶରୀର    ସୁସ୍ଥ ରୁହେ ମନ

ପୁରୁଣା ବଦଳେ ନୂଆଁ    ହୁଏ ଉତ୍ପାଦନ।

ଆହା ହୁଏ ଉତ୍ପାଦନ ।


ଦାନ ପରେ ମିଳେ ଯେଉଁ   ଆତ୍ମତୃପି ଭାଇ

ଜଗତରେ ତା'ର ସମ    ତୁଳନା ହିଁ କାହିଁ ?

ସନ୍ତୋଷରେ ଭରି ଯାଏ    ଦାତାଙ୍କ ହୃଦୟ

ମହାମାନବିକତାର      ହୋଇଲେ ଉଦୟ।

ବାଇମନ ହୋଇଲେ ଉଦୟ ।


କେଈ ବୁନ୍ଦା ରକ୍ତ ଆମ  କା' ପାଇଁ ଜୀବନ

ରକ୍ତ ଆମ ସାଜେ କାହା ଖୁସିର କାରଣ।

କିଛି କ୍ଷଣ କଷ୍ଟ ଆମ   କା' ପାଇଁ ଜୀବନ

ଭାରି ଭୟଙ୍କର ମୃତ୍ୟୁ   ତା'ର ପରିଣାମ।

ଆହା ତା'ର ପରିଣାମ ।


ଛୁଞ୍ଚିର ତାଡନା ଯଦି    ସହିବାକୁ ଡର

କିପରି ସାଜିବ ତୁମେ   ସମାଜରେ ହିରୋ।

ବାଛୁଥିବ ବସି ଯଦି     ନିଜର ଓ ପର

ବଛା ହୋଇ ରହିଯିବ    ହେଲେ ଦରକାର।

ବାଇମନ ହେଲେ ଦରକାର ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama