STORYMIRROR

Papu parida

Drama Tragedy Classics

4  

Papu parida

Drama Tragedy Classics

ଅଶାନ୍ତ ପୃଥିବୀ

ଅଶାନ୍ତ ପୃଥିବୀ

1 min
394


ଅଶାନ୍ତ ପୃଥିବୀ ଅଶାନ୍ତ ଆକାଶ

ଅଶାନ୍ତ ହୋଇଛି ଜଳ

ମିଥ୍ୟା ଅହଂଭାବ ଉଗ୍ର ଜାତୀୟତା

ଖେଳୁଛି ବିଧ୍ଵଂସୀ ଖେଳ।


ଘନ ଘନ ଘନ ଗୋଳା ବାରୁଦରେ

କମ୍ପୁଅଛି ଚଉଦିଗ

ଧୂଆଁ ଧୂଆଁ ଧୂଆଁ ବାରି ବାୟୁ ଧାରା

ଅନ୍ଧାର ଦିଶଇ ନଭ।


ଜାତୀୟତା ଅଟେ ଦେଶ ବିକାଶାର୍ଥେ

ସର୍ବୋତ୍ତମ ସମର୍ପଣ

ଉଗ୍ର ଜାତୀୟତା ଆଣେ ଅହମିକା

ସାଜେ ଧ୍ବଂସର କାରଣ।


ତ୍ରାହି ତ୍ରାହି ତ୍ରାହି ଜୀବନ ଡାକଈ

ମୃତ୍ୟୁକୁ କରେ ଗୁହାରି

ଝର ଝର ଝର ଝରିଯାଏ ଲୁହ

ମୃତ୍ୟୁ ଆଗେ ମରି ମରି।


ବିଚାରଧାରାର ଭିନ୍ନତା ନେଉଛି

ବିଚାରହୀନ ନିଷ୍ପତ୍ତି

ନର ବିଚାରର ଶ୍ରେଷ୍ଠତା ପାଇଁକି

ମହୀ ଭୋଗୁଛି ବିପତ୍ତି।


ଲାଲ ଲାଲ ଲାଲ ରକତ ଛିଟାରେ

ଲାଲ ରଞ୍ଜିତ ଧରଣୀ

କଳା କଳା କଳା ଅଙ୍ଗାର ଗଦାରେ

ପାଉଁଶ କେତେ କାହାଣୀ ?


ମାନବିକତାର ହତ୍ୟା କରି ହିଂସା

ରଚୁଛି ମୃତ୍ୟୁ ତାଣ୍ଡବ

ଧ୍ଵଂସସ୍ତୁପେ ଛିଡା ମୃତ ମନୁଷ୍ୟତା

ଛାଡେ କୋହପୂର୍ଣ୍ଣ ରାବ।


ଗଦା ଗଦା ଗଦା ଶବର ପାହାଡ଼

ବିକୃତ ଓ ଛିନ୍ନଭିନ୍ନ

ଖୋଜି ଖୋଜି ଖୋଜି ପାଉନାହିଁ ଅଙ୍ଗ

ଅନ୍ୟ ଅଙ୍ଗର ସନ୍ଧାନ।


ଅମୃତ କୀର୍ତ୍ତିର ଘଟିଲାଣି ମୃତ୍ୟୁ

ଜାତି ହାରେ ପରିଚୟ

ପ୍ରତି ଛକେ ମୃତ୍ୟୁ ଛକିକି ବସିଛି

କବଳିତ କରେ ଭୟ।


ନାହିଁ ନାହିଁ ନାହିଁ ସହି ହେଉନାହିଁ

ଯୁଦ୍ଧ ଯନ୍ତ୍ରଣାର ଜ୍ବାଳା

ଶ୍ରେଷ୍ଠ ଶ୍ରେଷ୍ଠ ଶ୍ରେଷ୍ଠ ଘୋଷି ବୁଲୁଥିଲେ

ଶ୍ରେଷ୍ଠ ହେବୁକି ପାଗଳା ?


ସମାଧାନହୀନ ସମସ୍ୟା ବୋଲିଣ

ଅଛି କି କିଛି ଜଗତେ ?

ଶାନ୍ତିର ମହତ୍ତ୍ୱ ନ ବୁଝିଲେ ମତ୍ତ

ଶାନ୍ତି ଆସିବ କେମନ୍ତେ ?


ଜାଗ ଜାଗ ଜାଗ ଜାଗ ଅମୃତ ସନ୍ତାନ

ବଢ଼ାଅ ମୈତ୍ରୀର ହାତ

ଡାକ ଡାକ ଡାକ ବିଶ୍ୱନିୟନ୍ତାଙ୍କୁ

ଶମୁ ଏ ମୃତ୍ୟୁର ଯାତ।


ମୈତ୍ରୀ ନିକିତିରେ ଶାନ୍ତି ଓଜନିଆ

ଉଠିଯାଏ ଘୃଣାପଟ

ଧ୍ବଂସ ସହଯାତ୍ରୀ ବିନାଶର ଧାତ୍ରୀ

ଯୁଦ୍ଧ ନୁହେଁ ଶେଷ ବାଟ।

ଯୁଦ୍ଧ ନୁହେଁ ଶେଷ ବାଟ।

ଯୁଦ୍ଧ ନୁହେଁ ଶେଷ ବାଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama