ଏ ପ୍ରତୀକ୍ଷା ହେଉ ଶେଷ
ଏ ପ୍ରତୀକ୍ଷା ହେଉ ଶେଷ
ସେଦିନ ଗୋପନେ କହିଥିଲ ମୋତେ
ଭେଟ ହେବ ଆଜି କୁଞ୍ଜେ ,
ବାହାନା କରି ମୁଁ ବାହାରି ଆସିଲି
ତରତରେ ମୁହଁ ସଞ୍ଜେ ।
ସଖୀଶ୍ରେଣୀ ମୋତେ ସାଜି ଦେଲେଣି ହେ
କେତେବେଳୁ ପରା ଏଠି ,
ଖୋସା ଯାଇଥିବା ସଜ ମଲ୍ଲୀକଢ଼ି
ଗଭାରେ ଗଲାଣି ଫୁଟି ।
ତୁମଲାଗି କୁଞ୍ଜ ସଜାଇଛନ୍ତି ସେ
କେତେ ଜାତି ଫୁଲ ତୋଳି ,
ଗଳାରେ ତୁମର ପିନ୍ଧାଇବା ଲାଗି
ଗୁନ୍ଥିଛି କଦମ୍ବ ମାଳି ।
ଆକାଶରେ ଜହ୍ନ ଜୋଛନା ବୁଣିକି
ଅବଶ ହେଲେଣି ତେଣେ ,
ତୁମକୁ ଅପେକ୍ଷା କରିକରି ମୋର
ମନ ମରିଲାଣି ଏଣେ ।
ଆସ ପ୍ରାଣ ସଖା, ଦିଅ ଏବେ ଦେଖା
ଅନ୍ତର ହୋଇବ ତୋଷ ,
ତୁମର ସେ ଦିବ୍ୟ ଆଲିଙ୍ଗନେ ମୋର
ଏ ପ୍ରତୀକ୍ଷା ହେଉ ଶେଷ ।

