STORYMIRROR

Tapaswini DashSarangi

Drama Classics Inspirational

3  

Tapaswini DashSarangi

Drama Classics Inspirational

ଅଭିମାନୀଙ୍କର ମାନ ଭଞ୍ଜନ

ଅଭିମାନୀଙ୍କର ମାନ ଭଞ୍ଜନ

1 min
71

ପ୍ରାଣସହୀ ମୋର ଜୀବନ ସଙ୍ଗିନୀ

ଛାଡିଦିଅ ଅଭିମାନ ଗୋ

ଆଉ ଯିବି ନାହିଁ ତୁମକୁ ଛାଡିକି

ଖାଉଅଛି ପ୍ରିୟେ ରାଣ ଗୋ।


ସାଗର ତନୟା ହିରଣ୍ୟବର୍ଣ୍ଣା ହେ

କମଳା ମୋ ପ୍ରାଣ ପ୍ରିୟା ଗୋ

ତୁମେ ଦୂରେଇଲେ ପ୍ରିୟତମା ମୋର

କିଏ ସେ ବୁଝିବ ମନ ଗୋ।


ଯାଇଥିଲି ସିନା ଯାତରା କରି ମୁଁ

ମନ ଥିଲା ତୁମ ପାଶେ ଗୋ

ଆର ଥରକୁ ମୁଁ ସାଥେ ନେଇଯିବି

କରୁଅଛି ଆଜି ପଣ ଗୋ।


ତୁମ ଋଷା ଦେଖି ଡର ଲାଗେ ମୋତେ

ମନେ ପଡେ ପଛ କଥା ଗୋ

ଛାଡି ଯାଇଥିଲ ଶ୍ରୀମନ୍ଦିର ଯେବେ

ନିଃଶ୍ଵ ହୋଇଥିଲୁ ଆମେ ଗୋ।

 

ଅଭିମାନ ଆଉ କରନା ମାନିନୀ

ହସୁଛି ଏ ସାରା ଜଗତ ଗୋ

ଦାମ୍ପତ୍ୟ ଜୀବନ ମିଠା କଳି ବିନା

ଲାଗେନାହିଁ ସହୀ ସୁଖ ଗୋ।


ରସଗୋଲା ହାତେ ଧରିଛି ମୁଁ ପଦ୍ମା

ଦୁଆର ଜଲଦି ଖୋଲ ଗୋ

ତୁମ ହାତରନ୍ଧା ଝୁରୁଛି ମୁଁହି ହେ

ଉଦରେ ଅସରା ଭୋକ ଗୋ।

******

ଲକ୍ଷ୍ମୀ କହୁଛନ୍ତି:


ହଟିଆ ନାଟୁଆ ତୁମେ ଚକାଆଖି

ଦଗାଦିଆ ତୁମେ ପତି ହେ

କିବା ଦୋଷ ଦେଖି ଦଣ୍ଡିଲ ଠାକୁରେ

ଛାଡିଗଲ ଏକା କରି ହେ।


ଭାଇ ଭଉଣୀଙ୍କୁ ସାଥେ ନେଇଗଲ

ମୋର କଥା ଭୂଲିଗଲ ହେ

ଗଇଣ୍ଠାଳ ଫିଟି ନଥିଲା ଠାକୁରେ

ଭଣ୍ଡେଇକି ବୁଲି ଗଲ ହେ।


ସ୍ଵାମୀ ବିନା ପରା ସ୍ତ୍ରୀ ଜୀବନ ଫିକା

ଘୋର ଅନ୍ଧକାର ପରି ହେ

ଏଇଠି ଆସୁଛି କହିଗଲ ନାଥ

ନବ ଦିନ ଯାତ କରି ହେ।


ଶୂନ୍ୟ ଲାଗୁଥିଲା ଏ ଶିରିମନ୍ଦିର

ଶୂନ୍ୟ ଥିଲା ସିଂହାସନ ହେ

ଅଭଡା ବାସକୁ ଝୁରୁଥିଲା ଖଞ୍ଜା

ଶୂନ୍ୟ ଥିଲା ମୋର ମନ ହେ।


କି ଦିନ କି ରାତି ବିତୁଥିଲା ମୋର

ଅଜଣା କି ଅନ୍ତର୍ଯ୍ୟାମୀ ହେ

ବୈଶାଖୀ ସମ ଥିଲା ଏ ଜୀବନ

ଶ୍ରାବଣୀ ଏ ନେତ୍ର ହେଲା ହେ।


ରସଗୋଲା ନେଇ ଆସିଛ ମନେଇ

ଲାଜ ନାହିଁ ତୁମ ମୁହେଁ ହେ

ତୁମ ସାଥେ ଥିଲେ କିଛି ଲୋଡା ନାହିଁ

ଆହେ ମୋର ପ୍ରାଣନାଥ ହେ।


ତୁମ ପରି ମୁଁ ଯେ ପଥର ନୁହଁଇ

ଅନ୍ୟାୟ କରିବି ନାହିଁ ହେ

ଆସ ଜଗନ୍ନାଥ ଦୁଆର ଖୋଲୁଛି

ତୁମ ଶ୍ରୀମନ୍ଦିର ଖୋଜେ ହେ।


ଏଇଥର ନାଥ ଛାଡି ଦେଉଅଛି

ଆର ସନ ସାଥେ ଯିବି ହେ

ନହେଲେ କହୁଛି ଛାଡିଯିବି ମୁଁ ଯେ

ଶ୍ରୀହୀନ ତୁମକୁ କରି ହେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama