Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Drama Classics Children

4.0  

ବି. ନିରୁପମା

Drama Classics Children

ତୋ ଆଶିଷ ଲୋଡ଼ା

ତୋ ଆଶିଷ ଲୋଡ଼ା

1 min
11.5K



ବଉଳା ଲୋ ଖାଆ ଘାସ ଦୁଇ କେରା

ଆଣିଛି ତୋ ପାଇଁ ଆଜି ,

ମୋ ଉପରେ ରୁଷି ମୁହଁ ବୁଲାନା ଲୋ

ମନ ମୋର ଯିବ ଭାଜି ।


ଦେଖା ଟିକେ ତୋର ଗଳ କମଳକୁ

ଖୁସିରେ ଆଉଁଶି ଦେବି ,

ସେ ଦିନର କଥା ମନେ ନାହିଁକି ଲୋ

ପୁଣି ମନେ ପକାଇବି ।


ହମା ହମା ବୋଲି ଡାକ ଦେଉଥିଲୁ

ଶୁଣି ତୋ ପାଖକୁ ଗଲି ,

ଦେଖିଲି ପାଖରେ ଛୁଆ ନାହିଁ ତୋର

ପଘାଟି ଯାଇଛି ଖୋଲି ।


ବାଛୁରୀଟି ତେଣେ ଡିଆଁ ମାରୁଅଛି

ଖୁସିରେ ଲାଞ୍ଜକୁ ଟେକି ,

ବାରବାର ତେଣୁ ଡାକ ଦେଉଥିଲୁ

ଦୂରରେ ଛୁଆକୁ ଦେଖି ।


ଟିକିଏ ଅଟକି ଚାହୁଁଥିଲା ଚାନ୍ଦ

ପାଟିବାରି କାନଡେରି ,

ଖୁସିରେ କୁରୁଳି ଡିଆଁ ମାରୁଥିଲା

ପୁଣି ସେ ତରକି କରି ।


ଆ' ଆ' ବୋଲି ଡାକ ଦେଲି ତାକୁ

ଦେଲାନାହିଁ ଛୁଆଁ ଧରା, 

ଧରିବାକୁ ତା'ର ପଛେ ଗୋଡ଼ାଇଲି

ବାଛୁରୀ ମାଇଲା ଚିରା ।


ଘଡ଼ିଏ ଅଟକି ଡାକ ଦେଲି ପୁଣି

କଅଁଳିଆ ଘାସ ନେଇ ,

ଦଉଡ଼ି ଆସିଲା ମୋ ପାଖକୁ ଚାନ୍ଦ

ସେ ଘାସ ଖାଇବା ପାଇଁ ।


ଘାସ ଖୋଇ ଖୋଇ ଚୁପଚାପ କରି

ଧରି ପକାଇଲି ତାକୁ ,

ଖୁସିରେ ଆଉଁଶି ଆଉଁଶି ଆଣିଲି

ପରା ତୋହରି ପାଖକୁ ।


ମମତା ତୋହର ଅଜାଡ଼ି ଦେଇକି

ଚାନ୍ଦକୁ ତୁ ଦେଲୁ ଚାଟି ,

ଧୋବ ଫରଫର କରିଦେଲୁ ଦେହ

ପୋଛିଦେଲୁ ଧୂଳି ମାଟି ।


ତୋ ଦେହକୁ ଟିକେ ଆଉଁଶି ଦେଇ ମୁଁ

ଖୁସିରେ ଦଉଡ଼ି ଗଲି ,

ଧାଇଁ ଆସି ପୁଣି ପାଳ ଗଣ୍ଡେ ଆଣି

ଖାଇବାକୁ ତତେ ଦେଲି ।


ଆମ ଉପକାର କରୁ ତୁ ବଉଳା

ଜାଣିଛୁ କୁଟୁମ୍ବ ଯାକ ,

ତେଣୁ କରି ତୋର ଯତନ ନେବାଟା

ମଣୁଛୁ ପରମ ସୁଖ ।


ଅଭିମାନ ତୁହି କରନା ଲୋ ଆଉ 

ଖାଇଦେଏ ଘାସ ବିଡ଼ା ,

ଆମ ପରିବାର ମଙ୍ଗଳ ପାଇଁକି

ପରା ତୋ ଆଶିଷ ଲୋଡ଼ା ।



Rate this content
Log in