ଗୃହିଣୀ
ଗୃହିଣୀ
ପ୍ରଭାତେ ପ୍ରଦୋଷେ ରଜନୀ ଦିବସେ
ନଥାଏ ବିରାମ ତିଳେ
ଖଟୁଥାଇ ନିତି ନପାଇ ବିରତି
ସକଳ କରମ ମେଳେ ।
ତା' କରମ ମୂଲ କେଡେ ଯେ ଅମୂଲ
ସହଜେ ହୁଏନି କଳି
ସଂସାର ପାଇଁ ସେ ମଙ୍ଗଳ ମନାସି
ସହଇ ସକଳ ଅଳି ।
ସହନ ଶକତି ସେନେହ ଭକତି
ସଦା ଥାଏ ଯା'ର ପାଶେ
ସବୁରି ହୃଦୟ ଜିଣିପାରେ ସେତ
ଯେତେ ଝଡ଼ ଝଞ୍ଜା ଆସେ ।
ନିତି କାତ ଧରି ନଦୀ କରେ ପାରି
ଚଳାଇ ସଂସାର ନାବ
ସେ ପରା ଗୃହିଣୀ ପରିବାର ମଣି
ତା' ସମ କିଏ ସେ ହେବ ।
ପ୍ରଭାତୁ ଉଠିଣ ହେଉଥାଏ ମଣ
ବିଳମ୍ବିତ ରାତି ଯାଏଁ
ତଥାପି ସଂସାରେ ଅବା ତାର ଘରେ
ପ୍ରଶଂସା ତିଳେ ନଥାଏ ।
କେତେ କେତେ କ୍ଳେଶ ସହିଥାଏ ସେତ
ସଂସାର ମଙ୍ଗଳ ପାଇଁ
ଦୀପଟିଏ ହୋଇ ନିତି ଜଳୁଥାଇ
ସଭିଁଙ୍କି ଆଲୋକ ଦେଇ ।
ଯଦି କେ' ଅତିଥି କୁଟୀରେ ଆସନ୍ତି
ତା'ପାଇଁ ହୁଅନ୍ତି ତୋଷ
ସହସା ସେ'କ୍ଷଣି ମନ ନିଏ ଜିଣି
ହୃଦେ ଥାଉ ଯେତେ କ୍ଳେଶ।
ଭୂମିକା ତାହାର ସତେ କେଡେ ବର
ପରିବାର ନିୟନ୍ତ୍ରଣେ
ସେ'ପାଇଁ ଜଗତ ତୋଷ ହୁଏ ସେତ
ତାର ଏ ସମରପଣେ ।
ଦେଖିଛ କି ତାରେ ତିଳେ ଭୁଞ୍ଜିବାରେ
କିସ ଭୁଞ୍ଜେ ସେ ଯେ ଶେଷେ
ତିଳେ ପାଣି ପିଇ ଶେଷେ ଯାଏ ଶୋଇ
ଦିନେ ଦିନେ କେତେ କ୍ଲେଶେ ।
ମହାମାରୀ କାଳେ ତାଲାବନ୍ଦୀ ବେଳେ
ସଭିଏଁ ଥାଆନ୍ତି ଗୃହେ
ଭଲ ମନ୍ଦ ବାଣୀ ସବୁରି ସେ ଶୁଣି
କେତେ ସେ ଯାତନା ସହେ ।
ଏ ଦୁର୍ଦ୍ଦିନ କାଳେ ଥାଏ ସେ ଜଞ୍ଜାଳେ
ବଢି ଚାଲେ ତାର ଦୁଃଖ
ଘରୋଇ ହିଂସାର ହୋଇ ସେ ଶିକାର
ତଥାପି ଖୋଲେନି ମୁଖ ।
ଘର ସାରା ଲୋକେ ବସି ଖା'ନ୍ତି ସୁଖେ
ବ୍ୟଞ୍ଜନ କେତେ ଯେ ଭଳି
ହୁଅଇ କେମନ୍ତ ବ୍ୟଞ୍ଜନ ଏମନ୍ତ
ତିଳେ କେ' ହ୍ୱନ୍ତି କି ଭାଳି ।
ତିଳେ ସହାୟତା ଥାଉ କି ନଥାଉ
ପ୍ରଶଂସା ବି ତିଳେ ନାହିଁ
ସହି ଏତେ କ୍ଳେଶ ନାହିଁ ଯହିଁ ଯଶ
ଖଟେ ତେବେ ସେ କା' ପାଇଁ ।
କେବେ ବଦଳିବ ଏ ମାନସିକତା
ପୁରୁଷ ପ୍ରଧାନ ଦେଶେ
ହୋଇବେ ଗୃହିଣୀ ଲକ୍ଷ୍ମୀ ଠାକୁରାଣୀ
କେବେ ଏ ସଂସାର ପାଶେ ।