STORYMIRROR

Ashutosh Chaudhury

Drama Romance

4  

Ashutosh Chaudhury

Drama Romance

ଯଦିଓ... ତଥାପି

ଯଦିଓ... ତଥାପି

3 mins
341

ଯଦିଓ

ମୋ ଫେରିବା ଲାଗୁନଥିଲା ସହଜ

ନା ଥିଲା କଲମ ନା ଥିଲା କାଗଜ।।

ତଥାପି

ହୃଦୟେ ସଞ୍ଚାରି ଅଦମ୍ୟ ସାହସ

ନିଶ୍ବାସକୁ ଆଜି ଦେଉଛି ବିଶ୍ବାସ।।

ଯଦିଓ

ଦୁର୍ବଳ ସେ ମୂହୁର୍ତ୍ତକୁ ଦୋଷ ଦେଇ

ସାନ୍ତ୍ବନାରେ ବିତେ ରାତି

ତଥାପି

ପ୍ରଶ୍ନର ଭଉଁରୀ ଭିତରେ ପହଁରି

ମୁଁ ଉତ୍ତର ଖୋଜେ ନିତି।।

ଯଦିଓ

କଳଙ୍କର ଦାଗ ଛାଡେନି ସହଜେ

ଯେତେ କରିଲେ ଯତନ

ତଥାପି

ନିଜର ତିଳେ ମାତ୍ର ଭୁଲ ନଥାଇ

ବିତେ ମଉନେ ଜୀବନ।।

ଯଦିଓ

ଶୁଭେନାହିଁ କାହାରିକୁ କେବେହେଲେ

ନୀରବତାର ଗର୍ଜନ

ତଥାପି

ଶତ ଚେଷ୍ଟା ପରେ ବି ମୁଁ ପାରୁନାହିଁ

କୋଳାହଳକୁ ବର୍ଜନ।।

ଯଦିଓ

ଘର କବାଟ ଝରକା ବନ୍ଦ କରି

କରୁନାହିଁ ମୁଁ ଅପେକ୍ଷା

ତଥାପି

କାହିଁକି କେଜାଣି ଲାଗୁଛି ଯେମିତି

କେହି ନେଉଛି ପରୀକ୍ଷା।।

ଯଦିଓ

ଇନ୍ଦ୍ରଧନୁର ରଙ୍ଗ ଉଧାର ନେଇ

ଗଢିବାର ନାହିଁ ଘର

ତଥାପି

ସପନର କାନଭାସକୁ ବେରଙ୍ଗ

ରଖିବାକୁ ଲାଗେ ଡର।।

ଯଦିଓ

ଅଦିନିଆ ବରଷାରେ ଭିଜିବାକୁ

ମନ ହୁଏନାହିଁ ମୋର

ତଥାପି

ନିତି ହାତରେ ଛତା ଧରି ଚାଲିବା

ବାନ୍ଧେ ସମ୍ପର୍କର ଡୋର।।

ଯଦିଓ

ଅମାବାସ୍ୟା ମୋର ଅତି ଆପଣାର

ଯେମିତି ହୋମିଓପାଥି

ତଥାପି

ଶତ୍ରୁତା ରହିଛି ଅନ୍ଧାର ସାଥିରେ

ଆଲୋକ ସାଜିଛି ସାଥି।।

ଯଦିଓ

ଆତ୍ମା ଶେଷ ନିଃଶ୍ବାସ ଥିବା ଯାଏଁ

ଦେଇ ପାରିବ ପରୀକ୍ଷା

ତଥାପି

ଇଚ୍ଛା ତ ଅଲଗା ଏହି ହୃଦୟର

ସେ ଚାହେଁ ନାହିଁ ଅପେକ୍ଷା।।

ଯଦିଓ

ଆହତ ମୋର ସବୁ ଆଶା ଆକାଂକ୍ଷା

ଅଜଣା ସହରେ ଆଜି

ତଥାପି

ସଂଘର୍ଷକୁ ଚିରଦିନ ସାଥି କରି

ଲଢିବି ଜୀବନ ବାଜି।।

ଯଦିଓ

ଗରମ ପାଣିରେ ଘର ପୋଡେ ନାହିଁ

ଏପରି କୁହନ୍ତି ଲୋକେ

ତଥାପି

ଯେବେ ମନ ପ୍ରାଣ ଦେହ କଷ୍ଟ ପାଏ

ଲୁହରେ ଜଳନ୍ତି ଥୋକେ।।

ଯଦିଓ

ଦିନ ହେଉ କିମ୍ବା ରାତି ସ୍ବପ୍ନ ପାଇଁ

ନିଦ ନିହାତି ଜରୁରୀ

ତଥାପି

ଏହି ହୃଦୟ କିନ୍ତୁ ବେଦନା ସହି

ସ୍ମୃତିକୁ କରେ ଗୁହାରୀ।।

ଯଦିଓ

ଜନ୍ମ ମୃତ୍ୟୁର ଚକ୍ର ମାୟା ମୋହର

ଶୃଙ୍ଖଳାରେ କବଳିତ

ତଥାପି

ମୋକ୍ଷ ପ୍ରାପ୍ତି ପାଇଁ ନାମ ସଂକୀର୍ତ୍ତନ

ପ୍ରାଣ କରେ ଆନ୍ଦୋଳିତ।।

ଯଦିଓ

ପାପପୁଣ୍ୟ ପ୍ରାରବ୍ଧର ଯୋଡି ହୋଇ

ମିଳିଥାଏ ସୁଖ ଦୁଃଖ

ତଥାପି

କିଛି ଅଧିକ ଆଶାରେ ଏ ମଣିଷ

ଝୁରେ ସେ କଳା ଶ୍ରୀମୁଖ।।

ଯଦିଓ

ସମର୍ପଣ ଭାବନାରେ ବଞ୍ଚିବାର

ପ୍ରୟାସ ନୁହେଁ ସରଳ

ତଥାପି

ହାର ନ ମାନି କରୁଥିବି ସଂଘର୍ଷ

ନିତି ମୁଁ ପିଇ ଗରଳ।।

ଯଦିଓ

ଜାଣିଥିଲି ତୁମେ ନିଜ ଲାଭ ପାଇଁ

କରୁଥିଲ ବ୍ୟବହାର

ତଥାପି

ତୁମ ପ୍ରତାରଣାକୁ ମୁଁ ଭାବୁଥିଲି

ମୋ ପ୍ରେମର ଉପହାର।।

ଯଦିଓ

ଭବିଷ୍ୟତରେ ତୁମକୁ ଭେଟିବାର

ନାହିଁ ଅଭିପ୍ରାୟ ମୋର

ତଥାପି

ପ୍ରଶ୍ନରେ ବାନ୍ଧି ତୁମ ପାଖକୁ ନିତି

ଟାଣୁଛି ଅଜଣା ଡୋର।।

ଯଦିଓ

ଶତ ପ୍ରଚେଷ୍ଟା ପରେ ବି ମିଳି ନାହିଁ

ଜୀବନରେ ସଫଳତା

ତଥାପି

ଆଜି ଯାଏଁ ବିଶ୍ବାସ ନେଇ ବଞ୍ଚିଛି

ନିତି ଗଣି ବିଫଳତା।।

ଯଦିଓ

ସିଏ ଏହି ଜନ୍ମରେ ଆଉ କାହାର

ଅଟେ ନିଜସ୍ବ ସମ୍ପତ୍ତି

ତଥାପି

ସବୁ କିଛି ଜାଣି ସୁଦ୍ଧା ଇଚ୍ଛା ହୁଏ

କୋଳେଇବାକୁ ବିପତ୍ତି।।

ଯଦିଓ

ନିନ୍ଦା ଅପମାନ ଏହି ଜୀବନରେ 

ମିଳିଥାଏ ବାରମ୍ବାର

ତଥାପି

ପ୍ରାଣ ହାରି ନ ଯାଇ ବଞ୍ଚିବା ପାଇଁ

ଦୃଢ ଶକ୍ତି ଦରକାର।।

ଯଦିଓ

ମୋ ଛାତି ଭିତରେ ସାଗର ଜୁଆର

ଘୂର୍ଣ୍ଣିବାତ୍ୟା ଧୂଳି ଝଡ

ତଥାପି

ବାହାରକୁ ଶାନ୍ତ ସୁନ୍ଦର ମଧୁର

ସତେ ଅବା ଛେନାପୋଡ।।

ଯଦିଓ

ତା ପାଇଁ କିଛି ମୂଲ୍ଯବାନ ସମୟ

ହୋଇଗଲା ମୋର ନଷ୍ଟ

ତଥାପି

ପ୍ରେମ ବଦଳରେ ପ୍ରତାରଣା ପାଇ

ଲାଗେ ନାହିଁ ମୋତେ କଷ୍ଟ।।

ଯଦିଓ

ସାଇତି ରଖିଛି ଅନେକ ବିସ୍ମୃତି

ଭଙ୍ଗା ସିଲଟର ଦେହେ

ତଥାପି

ଆଖିରୁ ଝରି ନାହିଁ ଲୁହର ବନ୍ୟା

ଓଠୋ ହସେ ନିତି କୋହେ।।

ଯଦିଓ

ତୁମ ପାପ ମୋର ଭୁଲ ଠାରୁ

ଶହେ ଗୁଣରେ ଅଧିକା

ତଥାପି

କ୍ଷମା କରି ସବୁ ତୁମ ଅପରାଧ

ମୁଁ ଚୁପ୍ ଅଛି ପ୍ରେମିକା।।

ଯଦିଓ

ଏ ସମୟର ମାୟାଜାଲ କରିଛି

ମୋତେ ଆଜି ଅବରୁଦ୍ଧ

ତଥାପି

ମୁଁ ପରମାତ୍ମାଙ୍କ ସହିତ ଆତ୍ମାର

ସନ୍ଧି ପାଇଁ ପ୍ରତିବଦ୍ଧ।।

ଯଦିଓ

ପାଖରେ ଘର ଠିକଣା ନାହିଁ ରକ୍ଷା

ପାଇବାକୁ ଏ ଶୀତରୁ

ତଥାପି

ତୁମକୁ ଖୋଜି ମୁଁ ବାହାର କରିବି

ଦୁନିଆ ଭିଡ ଭିତରୁ।।

ଯଦିଓ

ତୁମେ ଆସିଥିଲ ମୋ ଏ ଜୀବନରେ

ନିଜ ଦୁସ୍ଥ ସ୍ବାର୍ଥ ପାଇଁ

ତଥାପି

ତୁମର ସର୍ବ ମଙ୍ଗଳ କାମନାରେ

ପୂଜା କରିବ ଗୋସାଇଁ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama