ଗାଁ ପରିମଳ ଧୋବା ତୁଠ ରୁ
ଗାଁ ପରିମଳ ଧୋବା ତୁଠ ରୁ
ଅତି ଜଣାଶୁଣା ପୁରୁଣା ପ୍ରବାଦ ପ୍ରାୟ
ଗାଆଁ ପରିମଳ ଧୋବା ତୁଠ ରୁ ପ୍ରତ୍ୟୟ
ସ୍ଵଚ୍ଛତାର ମାପକାଠି ଥିଲା ଧୋବା ତୁଠ
ଗ୍ରାମ୍ୟ ପରିବେଶ ପ୍ରାୟତଃ ହୁଏ ଚିହ୍ନଟ
ସ୍ତ୍ରୀ,ବୋହୂ,ଶାଶୁ,ପୁତ୍ର ଓ ବନ୍ଧୁ ଚିହ୍ନିବାରେ
ତାଙ୍କ ଚିତ୍ର ଥିଲା ପରିଗୁଣ ଆଧାରରେ
ଗାଁ ର ସ୍ବଚ୍ଛତା ବା ପରିମଳ ଆପେ ଜ୍ଞାତ
ପୋଖରୀ କୂଳରେ ଧୋବା ତୁଠ ଧାରେ ବ୍ୟକ୍ତ
ସଭ୍ୟତାର କ୍ରମ ବିକାଶ ପ୍ରତି କ୍ଷେତ୍ରରେ
ପୁରୁଣା ପ୍ରବାଦ ରହିଛି ସ୍ମୃତି ଆକାରେ
ଧୋବା ତୁଠ ଆଜି ପରିତ୍ୟକ୍ତ ଅବସ୍ଥାରେ
ଗାଁ ପରିମଳ ଜ୍ଞାତ, ଶ୍ମଶାନ ର ଦୃଶ୍ୟ ଧାରେ
ଭରା ଉଦ୍ୟାନର ଭ୍ରମ ସେ' ମଶାଣି ଭୂଇଁ
ଆଲୋକର ଛିଟା ଗାଆଁ ପାର୍ଶ୍ଵେ ଅଛି ରହି
ରାସ୍ତାକଡ ଜମି ପ୍ରାୟ ହତ-ଶିରି ଧାରେ
ସୁନାର ଫସଲ ପ୍ରାୟ ବିଲୁପ୍ତ ପଥରେ
ଠିଆ ହେଲେ ନିଜ ଗାଆଁ ମୁଣ୍ଡିଆର ଧାରେ
ସ୍ଵଚ୍ଛତା ପ୍ରାୟତଃ ବୁଝି ହୁଏ ସହଜରେ
ଖାଁ ଖାଁ ଲାଗେ ନଦୀ ନାଳ ପୋଖରୀ ଗାଡିଆ
ନିତ୍ୟ କର୍ମ ହୁଏ, କିନ୍ତୁ ସହର ଭଳିଆ
ସବୁ ହେଉଛି, ନିବୁଜ କୋଠରୀ ଭିତରେ
ଅବିକଳ ନକଲ ବି, ସହରୀ ଢାଞ୍ଚାରେ
ସୁସ୍ଥ ପରିବେଶ ଆଜି, ବିଷ ବଳୟରେ
ସେଇ ପିଲାଦିନ ଗାଁ ଆଜି ନୂଆ ରୂପରେ
ବୟସ୍କ ବା ଗୁରୁଜନ ମେଳି ପ୍ରାୟ ନାହିଁ
ନାହିଁ ବି ଭାବର ଆଦାନ ପ୍ରଦାନ କାହିଁ
ଛୋଟ କଳି ଝଗଡ଼ା ବି ଥାନା ହାଜତରେ
ଗାଆଁ ଭଦ୍ରଲୋକ ନ୍ୟାୟ ଦେବା ଠୁ ଦୂରରେ
ପଞ୍ଚାୟତ ପଞ୍ଚ ନାମା ଆବଶ୍ୟକ ନାହିଁ
ଗୁରୁଜନ ପ୍ରତି,ଭକ୍ତି ଓ ସମ୍ମାନ ନାହିଁ
ତାତ୍ସଲ୍ୟତା ମନୋଭାବ ଗୁରୁଜନ ପ୍ରତି
ଧୋବା ତୁଠ ବୋଧେ ଏଇଠି ଅଛି ସମ୍ପ୍ରତି!!
ନାହିଁ ଆଉ ପିଲାଙ୍କର ଡିଆଁ ଡେଇଁ ଖେଳ
ଚୋରି ହୋଇ ଅଛି ସେ ସବୁ ପୁରୁଣା ଖେଳ
କବାଡି ଓ ବୋହୂ ଚୋରୀ ପ୍ରାୟ ପ୍ରଶ୍ନବାଚୀ
ଯେ'ଖେଳିଅଛି,କି'ଲାଭ ,ସେ'କେବଳ ଜାଣିଛି
ଶୁଭୁ ନାହିଁ ଡାକ, ପିଣ୍ଡା ଅବା ଅଗଣାରେ
ଆ' କାଉ,ବାୟା,ଭୂତ ନାହିଁ ମା ମୁଖରେ
ଅଝଟ ପିଲାଙ୍କୁ ମା' ମୋବାଇଲ୍ ଦେଖାଇ
ହାତେ ଧରି ଅଛି ପିଲାଙ୍କୁ ଖୋଇବା ପାଇଁ
ନାହିଁ ନାହିଁ କହି, ପିଲା ଖାଉଛି ଖୁସିରେ
ରଡ଼ି କିନ୍ତୁ ଶୁଭେ, ମୋବାଇଲ୍ ବନ୍ଦ ଧାରେ
ଗାଁ ଝିଅଙ୍କୁ, ସିଂଘାଣି ନାକି କହିବା ଡର
ପୁରୁଣା କଥାକୁ କିଏ କରୁଛି ବିଚାର !!
ଅଳତା ରିବନ୍ ବିନା ବି ଦିବ୍ୟ ସୁନ୍ଦରୀ
ଗାଆଁ ଝିଅ ଆଜି କେଉଁ ଗୁଣେ ନୁହେଁ ସରି
ଛୋଟ ପୋଷାକରେ ସବୁ ଦୃଶ୍ୟ ସହଜରେ
ଲାଜ କଣ ପଚାରୁଛି କୁଳ-ବୋହୁ ଧୀରେ
ଘରୁ ବାହାରିଲେ ସ୍କୁଟି, ଘୋଡ଼ା ପରି ଚାଲି
ହିଁ ହିଁ,ମନ ଖୋଲା ହସ ପୁଣି ଖିଲି ଖିଲି
ଭାବ,ପ୍ରେମ,ରସ ରଙ୍ଗ ପ୍ରାୟ ନୀରବରେ
ସବୁ କିଛି ତ ମୋବାଇଲ୍ ସହାୟତାରେ!
ଭାଗବତ ଟୁଙ୍ଗି ନାମକୁ ମାତ୍ର ଗାଆଁରେ
ପୁରାଣ ପଢ଼ିବା ଦୃଶ୍ୟ ନାହିଁ କେଉଁ ଠାରେ
ପୁରାଣ ଥାଇ ବି,ନ ଥିଲା ପରି ସମାନ
ପାଠକ ଅଭାବ,କେମିତି ହେବ ଶ୍ରବଣ !
ଆଜିକାଲିର ପିଲାଙ୍କୁ ,ବୁଝାଇ ହୁଏନି
ମୋବାଇଲ୍ ଧରି ,ନିଜକୁ ଭାବନ୍ତି ଜ୍ଞାନୀ
କଥାରେ କଥାରେ ଅନ୍ ଲାଇନ୍ ର କଥା
ଗୁଗୁଲ୍ ର କଥା କେବେ ନୁହଇ ଅନ୍ୟଥା
ଗାଆଁ ବିଦ୍ୟାଳୟ କାନ୍ଥ ଧାରେ ଗୁରୁ ଜ୍ଞାନ
ନାହିଁ ଶିକ୍ଷା ଅବା ନାହିଁ ଦଣ୍ଡର ବିଧାନ
ମୂକ ସାକ୍ଷୀ କିନ୍ତୁ ଚାରି କାନ୍ଥ ଓ ଶିକ୍ଷକ
କିଏ ବୁଝୁଛି ସେ ଗୁରୁ ଶିଷ୍ୟର ସମ୍ପର୍କ!
ଆଧୁନିକତା ର ପ୍ରଭାବ ବି ଅନୁମେୟ
କଳା-ପଟା ଧଳା-ଖଡ଼ି ବି ବିଲୋପ ପ୍ରାୟ
କମ୍ପ୍ୟୁଟର ,ଶୌଚାଳୟ, ପ୍ରାୟ ଦୃଶ୍ୟ
ପାନୀୟ ଜଳ ର ବ୍ୟବସ୍ଥା ଅଛି ଅବଶ୍ୟ
ଜଣା ଶୁଣା ପର୍ବ ରଜ ସାଥେ ରଜ ଦୋଳି
ସବୁ କିଛି ପ୍ରାୟ ଯାଇଛି କ୍ରମେ ବଦଳି
କୁଆଁର ପୁନେଇଁ, ମାଣ ବସା ଗୁରୁବାରେ
ଗାଁ ରେ ହେଉଛି ,ମାତ୍ର ବାଧ୍ୟ-ବାଧ୍ୟକତା ରେ
ଆବଶ୍ୟକ ହେଉନାହିଁ ପୁରୁଣା ପୁରାଣ
ମୋବାଇଲ୍ ଖୋଲି ହୁଏ ପୁରାଣ ପଠନ
ହୁଳହୁଳି ଅବା ଶଙ୍ଖ ଧ୍ୱନି ପ୍ରାୟ ନାହିଁ
ହରିବୋଲ ଏକ ଶଦ୍ଦ ରୂପେ ଅଛି ରହି
ପରମ୍ପରା ଧାରେ ହେଉଛି ପର୍ବ ପର୍ବାଣୀ
ଆଜିର ପିଲାଙ୍କ ପ୍ରତି ପ୍ରଭାବ ପଡ଼ୁନି
ଆରିସା,କାକରା ,ଚକୁଳି, ମଣ୍ଡା ବିଲୋପ
ସଂସ୍କୃତି ଓ ପରମ୍ପରା କରୁଛି ବିଳାପ
ପୁନେଇଁ ପର୍ବରେ ନାହିଁ ପିଠା ର ମହକ
ସମୟ ଅଭାବ ଅବା ନୁହେଁ ଆକର୍ଷକ
ପୂର୍ବର ସେ ଅପରୂପ ଶୋଭା ଆଉ ନାହିଁ
ଗାଆଁ ଆଜି ପ୍ରାୟ ସହର ପରି ଲାଗଇ
ଗାଁ ରେ ପ୍ରାୟତଃ ସବୁ ଉପଲବ୍ଧ ହେଉଛି
ସହରୀ ସଭ୍ୟତା ଗାଆଁକୁ ଗ୍ରାସ କରିଛି
ଋତୁ ଚକ୍ର ଧାରେ ମନଲୋଭା ଗାଆଁ ଦୃଶ୍ୟ
ବିଲ ,ବଣ,ସବୁ ଘେରି ରହିଛି ଅବଶ୍ୟ
ଆଗନ୍ତୁକ ଅତିଥିଙ୍କ, ଗାଆଁ ଭାରି ପ୍ରିୟ
ପ୍ରାକୃତିକ ଦୃଶ୍ୟ ଧାରେ ମନ ବି ଅଥୟ
ମାଟି ହାଣ୍ଡି,ଚିତା ଝୋଟି, ଚାଳ ଘର ,ନାହିଁ
ଗାଈ ଗୋଠ, ହମ୍ବା ରଡ଼ି, ଲୁଚି ଗଲା କାହିଁ
ଧାନ ଖଳା, ଗହ୍ମା ଡିଆଁ,ବୋହୁ ର ସବାରୀ
ସବୁ କିଛି ଆଜି ମନେ ହୁଏ ସ୍ବପ୍ନ ପରି
ସେ' ଗାଁ ପରିବେଶ ଧାରେ ବିତିଛି ଜୀବନ
ସ୍ମୃତି ମାତ୍ର ହୃଦୟରେ, ସେଇ ପିଲାଦିନ
ଶିରା ପ୍ରଶିରା ରେ ପ୍ରବାହିତ ଗାଆଁ ସ୍ମୃତି
ନାଟକ ସମାନ ଦୃଶ୍ୟ ବଦଳି ସମ୍ପ୍ରତି
ଥିଲା ବି ପ୍ରେମିକା,ଥିଲା ପ୍ରେମ ସେ' ଗାଆଁରେ
ପ୍ରେମ- ନଦୀ ପ୍ରବାହିତ ଥିଲା ବି ସେ' ଗାଁ ରେ
ସେଇ ଦୃଶ୍ୟ ନାଚି ଉଠୁ ଅନ୍ତିମ ଶଯ୍ୟାରେ
ପ୍ରାଣ ବାୟୁ ଉଡି ଯାଇ ମିଶୁ ସେ'ମାଟିରେ।
ଛଳନା, ବାହାନା, ଲୁଚକାଳି ସମାଜରେ
ପୁରୁଣା ପ୍ରବାଦ ଲୁଚି ଯାଇ ଅଛି ଧୀରେ
ମୁଖେ ହସ ଥାଇ ହୃଦରେ ବିଷ ଯେପରି
ଧୋବା ତୁଠ ଧାରେ ସ୍ବଚ୍ଛତା ଜ୍ଞାନ ସେପରି
ଧୋବା ତୁଠ ଦେଖି ସ୍ବଚ୍ଛତା ଜାଣି ହେଉନି
ପୁରୁଣା ପ୍ରବାଦ କଥା ବି ଭୁଲି ହୁଏନି....
