STORYMIRROR

Ayushman Tripathy

Drama Romance Classics

4  

Ayushman Tripathy

Drama Romance Classics

ମେଘଦୂତ

ମେଘଦୂତ

3 mins
155

ଧନରାଜ ମହାଧନୀ କୁବେର ଅଟଇ

କୁବେରପୁରୀ ରେ ଥାଇ ଶିବଙ୍କୁ ପୁଜଇ,

ନୀଳକଣ୍ଠ ଅଟନ୍ତି ସେ ସଂହାର କରନ୍ତି

ପ୍ରସନ୍ନ ହୁଅନ୍ତି ଯିଏ ତାଙ୍କୁ ସୁମରନ୍ତି।


କୁବେର ଯେ ପ୍ରତିଦିନ ସକାଳେ ସନ୍ଧ୍ୟାରେ

ପ୍ରଭୁଙ୍କ ଆରତି କରେ ଭକ୍ତିସହକାରେ,

ଶହେ ଥର ମନ୍ତ୍ର ଜପି କମଳ ଅରପେ

ପ୍ରତି ମନ୍ତ୍ରେ ପ୍ରତି ପଦ୍ମ ପ୍ରଭୁ ପାଦେ ଥାପେ।


ନୀଳକଣ୍ଠ ଙ୍କର ଥିଲା ସେ ବଡ ଭକତ

ପୁଜା ଭଗ୍ନ ହେଲେ ହେଉଥିଲା କ୍ରୋଧିତ,

ଭାଙ୍ଗିଗଲା ପୁଜା ତାର ନୀଳୋହଳା ନ ପାଇ

କ୍ରୋଧିତ ମନରେ ଯକ୍ଷକୁ ସେ ଡାକଇ।


ପ୍ରଭୁ ଆଜ୍ଞା ଶୁଣି ଯକ୍ଷ ଧାଇଁ ଆସିଲା

କୁବେର ପାଖକୁ ଯାଇ ପ୍ରଣାମ କଲା,

ପଚାରିଲେ ତାକୁ ଶହ ପଦ୍ମ ଆଣିଥିଲୁ

ଶହେତମ ପୁଷ୍ପ କୁ ତୁ କୁଆଡେ ରଖିଲୁ।


ବିନମ୍ର ଭାବରେ ଯକ୍ଷ ଉତ୍ତର କହିଲା

ଶହ ପଙ୍କଜ କୁ ସରୋବରୁ ଆଣୁଥିଲା,

ପଥେ ଦେଖିଲା ଏକ ଯକ୍ଷିଣୀ ରମଣୀ

ତାଠାରେ ମୋହିତହେଇ ପୁଷ୍ପ ଦେଲା ଜାଣି,

ଯକ୍ଷିଣୀ ର ଗଭା ରେ ଦେଲା ସେ ନଳିନୀ

କାମବାଣ ଘାତ ପାଇ ଯକ୍ଷ ହେଲା ଋଣୀ।


ନଳିନୀ ର ସମ୍ମୁଖେ ନଳିନୀ ଥିଲା ପ୍ରିୟ

ପ୍ରଭୁ ଆଜ୍ଞା କୁ ସେ କରିଦେଲା ହେୟ ,

ଯକ୍ଷରାଜ ମନେ ଘର କଲା ସେ ଲଳନା

ଯଥା ସୀତା ଥିଲେ ଶ୍ରୀରାମଙ୍କ ଚେତନା।

ଏହା ଶୁଣି କୁବେର ହୋଇଲେ ଅତିଷ୍ଠ

ଅଭିଶାପ ଦେଲେ ସେ ହୋଇ ମହାନିଷ୍ଠ,

କହିଲେ ତୁ ମୋହେଛନ୍ଦି ପାଶୋରିଲୁ କାମ

କାମ ତୋର କାମ କୁ କରିଲା ବେନାମ।


ଲଳନା ର ଲାଳତ୍ବ ରେ ହେଲୁ ତୁ ଅଧମ

ସେହି ନାରୀ ଠାରୁ ବର୍ଷେ ରହିବୁ ଅକାମ,

ଅଳକାପୁରୀ ଠୁ ବର୍ଷେ ରହିବୁ ଅଲଗା

କାମ ବିଳାପ ବିରହେ ହବୁ ହତଭାଗା।


ଏହା କହି ପାଣିରେ ନୀର କୁ ଦେଲେ ଛିଞ୍ଚି

ଅଭିଶପ୍ତ ହେଲା ଯକ୍ଷ କାମମୋହ ବିଞ୍ଚି,

କ୍ଷମା କର ପ୍ରଭୁ କହି ପାଦତଳେ ପଡେ

ଅଶ୍ରୁଧାର ବୋହାଇଲା ପଶ୍ଚାତାପ ଘଡେ।


କହିଲେ ହେ ଯକ୍ଷ ଅଭିଶାପ କୁ ନ ଡର

ଏକବର୍ଷ ପରେ ପୁଣି ଭେଟ ହେବ ତାର,

ପ୍ରଭୁ ଆଜ୍ଞା ଘେନି ଯକ୍ଷ ପ୍ରସ୍ଥାନ କରିଲା

ଅଳକାପୁରୀ କୁ ଛାଡି ରାମଗିରୀ ଗଲା।


ରାମଗିରୀ ଶିଖର ରେ ରହିଲା ବିରହୀ ଯକ୍ଷିଣୀ ର

ବିରହ କୁ ହୃଦେ ଚାପେ ସହି,

ଏହିପରି ଆଠ ମାସ ବିତିଲା ସମୟ

ବିରହ ଜ୍ବାଳା ରେ ଜଳି ହେଲା ଅଗ୍ନିମୟ।


ବେଦନା ର ଅନଳ କଲା ତାକୁ ଗ୍ରାସ

ଆଠମାସ ସତେ ଅବା ଲାଗେ ନାଗଫାସ,

ସହ୍ୟ ଶକ୍ତି ହରାଇଲା ଯକ୍ଷ ମହାରାଜ

ଆରାଧନା କଲା ସେ ବେରିଦ ଜଳଜ।


ସୁମରଣ କଲା ଦିବ୍ୟ ଘନ ଦେବତାକୁ

ପୁଷ୍ପ ଅର୍ଘ୍ୟ ଦେଇ ପୁଜା କଲା ସେ ତାଙ୍କୁ,

ଆରଧନା ଶୁଣି ପ୍ରକଟ ହେଲେ ଘନ

ପ୍ରସନ୍ନ ହେଲେ ଦେଖି ଯକ୍ଷର ସେ ଯାଚନ।


ପଚାରିଲେ ଯକ୍ଷ ସୁମରଣ ର କାରଣ

କି ପାଇଁ ପ୍ରାର୍ଥନା କଲ ଇଛ୍ଛା ତବ କଣ?

ଏହା ଶୁଣି ଯକ୍ଷ କହିଲା ହେ ମେଘଜ

ବାର୍ତ୍ତା ମୋର ପ୍ରେରଣ କରିବେ କି ଆଜି।


ବାରିବାହ ଏହା ଶୁଣି ହେଲା ପ୍ରଶଂସିତ

କହିଲା କାହାକୁ ଦେବି ଚିଠି ପ୍ରଶମିତ,

ଅଳକାପୁରୀ ର ପ୍ରିୟା ପାଶକୁ ଏହା ନେବ

ବିରହୀ ପରାଣ କୁ ସୁଖ ଟିକେ ଦେବ।


ତମେ ଅଟ ସୁରେନ୍ଦ୍ର ଙ୍କ ପ୍ରମୁଖ କମାଣ

ଜୀବନ ର ଆଶା ତୁମେ ପ୍ରଫୁଲ୍ଲ ମୋହନ,

ଶକ୍ତି ର ଆଧାର ତମେ ଧରା ର ପାବନ

ତବ ଠାରୁ ନାହିଁ କିଏ ମୁକ୍ତି ର ଧାରଣ।


ଧୁମ ମରୁତ ସଳିଳେ ମିଶିଲେ ହୁଅ ଘନ

ଜ୍ୟୋତି ଯେ ତୀବ୍ର ସୌଦାମିନୀ ମନ,

ଏ ଧରା ଜଗତେ ତବ ସାମର୍ଥ୍ୟ ବିପୁଳ

ଅଟ ତୁମେ ମୋର ଜୀବନ ମାଦଳ।


ମୋ ପ୍ରେମ ର ପତ୍ର ନିଅ ତା ପାଖକୁ

ବିରହୀ ପରାଣେ ଜୀବନ ଦିଅ ତାକୁ,

ବିଦାୟ ନେଇ ଗଗନେ ଯାଅ ତୁମେ

ନୀଳାକାଶ ଭେଦି ଅଳକାପୁରୀ ମର୍ମେ।


ପ୍ରିୟତମା ମୋର ବିଚ୍ଛେଦ ହୃଦୟେ

ଭାଙ୍ଗିପଡିଥିବ ଚାହିଁ ପଥ ର ପାଥୟେ ,

କୁସୁମ ପ୍ରାଙ୍ଗଣେ ସେ ଭାବୁଥିବ ବସି

ନବ ଯୌବନ ର ବିରହ ଅବିଶ୍ବାସୀ।


ମିଳନ କାଳରେ ବଭାଜିତ ହୋଇଲୁ

ନବ ସଂପର୍କ ଟିରେ ବିରହ ପାଇଲୁ ,

ଚାହିଁନାହିଁ ଏତେ ଦିନୁ ତା ପ୍ରଫୁଲ୍ଲ ଲପନ

ବେଦନା ରେ ଜଳୁଛି ମୁଁ କରୁଛି କ୍ରନ୍ଦନ।


ମୋର ବିରହ ବେଦନା ଶୁଣ ଆହେ ଘନ

ପ୍ରେମ ର ଜ୍ବାଳା ରେ ଭସ୍ମିଭୁତ ହେଲା ମନ,

କୁସୁମ ହୃଦୟ ତାର ଯାଇଥିବ ଭାଙ୍ଗି

ବାଲିଘର କୁ ଜୁଆର ଦିଏ ସତେ ଲଙ୍ଘି।


ବିଦୃପ ଯାମିନୀ ଆସି ଗଢିଥିଲା ସ୍ବପ୍ନ

ପ୍ରତାପୀ ଭାଷ୍କର ସତେ ଭାଙ୍ଗିଦେଲା ମନ,

ନିଶା ରଜନୀ ର ମନ ହେଲା ଯେ ଉଛନ୍ନ

ଶୀତଳ ଚନ୍ଦ୍ରାଭା କୁ କରିଦେଲା ସେ ଭଗ୍ନ।


ତିମିର ବିଧ୍ବଂସୀ ପ୍ରାଚୀ କୁଳେ ହେଲା ଜାତ

ନିଶା ଆଶାନଳ କୁ ସେ କଲା ମଥାନତ,

ଚିର ଅଙ୍କୁଶ ର ନବ୍ୟ ଦିନ ଭବମୟ

ନୀପତୁଲ ଅବା ପିକ କାକ କୁ ଦିଏ ଲୟ।


ବାରିବାହ ତୁମ୍ଭେ ଅଳକାପୁରୀ କୁ ଯାଅ

ପ୍ରିୟତମା ମୁଖେ ନବ ଉନ୍ମୋତନା ଦିଅ,

ଶୁଭ ବିଦାୟ ସ୍ନିଗ୍ଧ ମନ୍ଦାକିନୀ ର ସାଥେ

ସଫଳ କାମନା ପ୍ରଭୁ ଙ୍କ ପାଖେ ତମ ପଥେ ।


ଶୁଭ ସମ୍ବାଦ ଘେନି ହେଉ ତବ ଆଗମନ

ବିଷାଦ ନିଶା ତବ ସୁଖ ରବି କରୁ ଦମନ,

ବ୍ୟୋମ ପଥେ ଗତି କରି ଯାଅ ହେ ଘନ

ଚୁମ୍ବନ କର ସୁଉଚ୍ଚ ଗିରଶୃଙ୍ଗି ପଥ ମାନ।


ନବପଥେ ନବ ଦୂତ ସାଜି ଯାଉଛ ତୁମେ

ପଥଭ୍ରାନ୍ତ ପଥ ତ୍ୟକ୍ତ ହେବ ନାହି ତୁମେ,

ପ୍ରଫୁଲ୍ଲ ଚିତ୍ତେ ଭ୍ରମିବ ନବ ପ୍ରଦେଶ ର

ଶୁଣିବ କି ପଥ ମାର୍ଗ ସଙ୍କେତ ପ୍ରିୟା ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama