ନାହିଁ ସେ ରଜ ?
ନାହିଁ ସେ ରଜ ?
ବରଷକେ ଥରେ ଆସିଛି ରଜ,
ଆଗ ଭଳି ନାହିଁ ତିଳେ ମଉଜ;
ପାଶ୍ଚାତ ପ୍ରଭାବେ ଶ୍ରୀହୀନ ରଜ,
ବନସ୍ତେ ଡାକୁନି ସେ ଗଜରାଜ।
ନାହିଁ ଆମ୍ବ ତୋଟା ନାହିଁ ସେ ତରୁ,
ଦିନୁଁ ଦିନ ଧରା ହେଲାଣି ମରୁ;
କ୍ଷଣେ ସୁଖ ପାଇଁ ଆଜିର ଜନ,
ହରାଏ ସେ ସୁଖ ସାରା ଜୀବନ।
ତରୁ ଡାଳେ ଦୋଳି ସାତ ସପନ,
କିଣା ଦୋଳି ଗୃହେ ଜିଣଇ ମନ;
ବେଳେ ବେଳେ ଦୋଳି ଝୁଲଇ ଏକା,
ତାର ପାଶେ କା'ର ନଥାଏ ଦେଖା।
ସାମାଜିକ ଗଣମାଧ୍ୟମେ ରଜ,
ପାଳନ ହୁଅଇ ସକାଳୁ ସଞ୍ଜ;
ଶୁଭେଚ୍ଛା ଦିଅନ୍ତି ଭଳି କି ଭଳି,
କି' ଯଶ ପାଆନ୍ତି ହୁଏନି କଳି!
ରଜେ ପୋଡପିଠା ହେଉନି ପୋଡା,
ତା' ବଦଳେ ମାଂସ ହୁଅଇ ଲୋଡ଼ା;
କେତେ ଯେ ନିରୀହ ପ୍ରାଣୀକି ମାରି,
ଭୁଞ୍ଜେ ସୁଖେ ନର ଉଦର ଭରି।
ଦିଶେ ନାହିଁ ତିଳେ କୁଆଁରୀ ମେଳି,
ବଉଳ ସଙ୍ଗାତେ ବଢ଼ଇ କଳି;
ମୋବାଇଲ ଧରି ଆପଣା ହାତେ,
ଭଳି ଭଳି ଛବି ଛାଡ଼ନ୍ତି କେତେ?
ପୟରେ ଅଳତା ମଥାରେ ବିନ୍ଦି,
ନୂଆ ଶାଢ଼ୀ, ଚୁଡି, ଗହଣା ପିନ୍ଧି;
ଝିଅ ବୋହୂ ଯହିଁ ହୁଅନ୍ତି ସଜ,
ଆଜ କିମ୍ପା ଆସେ ନାହିଁ ସେ ହେଜ ?
ନାହିଁ ସେ ସରାଗ ତରୁଣ ମନେ,
ପସା କି ବାଗୁଡି ଶୁଭୁନି କାନେ;
ସୁରାପାନେ ତାର ବିତେ ଦିବସ,
ନଥାଏ ବିରତି ନଥାଏ ଶେଷ।
ଏକ ସମ ଘର ନାହିଁ ସେ ଗାଆଁ,
ଏ ପରବେ ଯହିଁ ଥିଲା ତା' ନାଆଁ;
ଦେଉଥିଲା ସେତ ଦିନେ ବାରତା,
ସବୁଠୁଁ ଯେ ବଳୀ ଗାଆଁ ଏକତା ।
ଯେତେ ମୁଁ ଆତୁର ହୋଇ ଏ ରଜେ,
ମନେ ମନେ ତାର ସରାଗ ଖୋଜେ;
ପାଇ ନାହିଁ ତିଳେ ମହକ ରାଶି,
ପାଶ୍ଚାତ ପ୍ରଭାବେ ଯେ ହୁଏ ଗ୍ରାସି।