ଅନାଇ ବସିଛି ମୁହିଁ ତୁମ୍ଭ ବାଟ ଚାହିଁ
ଅନାଇ ବସିଛି ମୁହିଁ ତୁମ୍ଭ ବାଟ ଚାହିଁ
ବିଳମ୍ବିତେ ଫେରିବାକୁ ଦେଇଥିଲ କଥା,
ଭାଳି ହୋଇ ତୁମ୍ଭ କଥା, ବଢେ ମୋର ବ୍ୟଥା;
ବିତିଗଲା ଏତେ ଦିନ ତୁମ୍ଭ ଦେଖା ନାହିଁ,
ଅନାଇ ବସିଛି ମୁହିଁ ତୁମ୍ଭ ବାଟ ଚାହିଁ।
ଆଗ ଭଳି କିଆଁ ମତେ ଡାକୁ ନାହଁ ଧନ,
ଖେଳିବାକୁ ତୁମ୍ଭ ସାଥେ ମନ ମୋ' ଉଛନ;
ଭୁଲିଲ କି?ତୁମ୍ଭ କଥା ଦେଇଥିଲ ଯହିଁ,
ଅନାଇ ବସିଛି ମୁହିଁ ତୁମ୍ଭ ବାଟ ଚାହିଁ।
କହିଥିଲ ଆଣିବାକୁ ପୋଷାକ ମୋହର,
କଣ୍ଢେଇ ସାଥେ ଖେଳନା କେତେ ପରକାର;
ଭଲେ ମୁଁ ଜାଣଇ ତୁମ୍ଭେ ମିଥ୍ୟା କୁହ ନାହିଁ,
କେବେ ତ ଫେରିବ ତିଳେ କୁହ ମତେ ଚାହିଁ।
କେତେ ଦିନ ଆଉ ପିତା କରିବି ପ୍ରତୀକ୍ଷା,
ଅଥୟ ହେଲାଣି ଚିତ୍ତ ଦିଅ ତିଳେ ଦେଖା;
ଅବୋଧ ଝିଅକୁ ତମ ଦିଅ ହେ ବୁଝାଇ,
କୁହ ପିତା କୁହ ତମେ ମଉନ କିମ୍ପାଇଁ?
ତୁମ୍ଭେ ଦେଖିବାକୁ ମନ ବ୍ୟାକୁଳ ହୁଅଇ,
ଅଶ୍ରୁ ମୋର ବହେ ଆଜ ଧାର ଧାର ହୋଇ;
ଧନ, ରତ୍ନ ଅବା ଜନ ତିଳେ ଲୋଡ଼ା ନାହିଁ,
ଫେରିଆସ ତୁମ୍ଭେ ଥରେ ତୁମ ଧନ ପାଇଁ।
ମାଟି ମାଆ ପାଇଁ ଯେ'ତ ସହିଦ ହୁଅଇ,
ମାଆ କହୁଥିଲା ସିଏ ଆଉ ଫେରେ ନାହିଁ;
ଏଇ କଥା କେତେ ସତ ଜାଣି ନାହିଁ ମୁହିଁ,
ତଥାପି ବସିଛି ମୁହିଁ ତୁମ୍ଭ ବାଟ ଚାହିଁ।
ଆଜି ମୁହିଁ ତୁମ ପାଶେ କରୁଛି ଶପଥ,
ଲଙ୍ଘିବି ଜୀବନେ ମୁହିଁ କଣ୍ଟକିତ ପଥ;
ଦେଶ ରକ୍ଷା ପାଇଁ ଏଠି ମୋ' ଜୀବନ ଦେଇ,
ତୁମ୍ଭ ଭଳି ହେବି ଯୋଦ୍ଧା ମାଟି ମାଆ ପାଇଁ।