ଶୋଇଗଲେ ମୁଁ ଅଭଙ୍ଗା ନିଦରେ
ଶୋଇଗଲେ ମୁଁ ଅଭଙ୍ଗା ନିଦରେ
ଥରେ ଶୋଇ ଗଲେ ଆଉ ଉଠିବିନି
ଏମିତିକା ନିଦ ସିଏ ।
ଶୁଣି ପାରିବିନି କିଛି ଜାଣିପାରିବିନି
ଯେତେ ଡାକୁଥିଲେ ଯିଏ ।।
ଅଧା ରହି ଯିବ ନିଃଶ୍ୱାସ ମୋହର
ସ୍ପନ୍ଦନ ମୋ ଥମି ଯିବ ।
ଶୋଇ ଥିବି ହେଲେ ମୋ ଦୁଇ ଆଖି
ଯେ ସ୍ବପ୍ନ ଦେଖୁ ନଥିବ ।।
ଦୃଷ୍ଟିହୀନ ଦେଖି ଦାନ କରିଦେବ
ମୋର ଏହି ଦୁଇ ଆଖି ।
ମୋର ଆଖି ନେଇ ପାରିବ ଯେମିତି
ସିଏ ଏ ଦୁନିଆ ଦେଖି ।।
ହୃଦୟକୁ ମୋର ଦେଇ ଦେବ ଦେଖି
ଖୋଜୁଥିବା ଲୋକଟିକୁ ।
ଅନୁଭବ କରିବ ତା ପାଖରେ ତମେ
ମୋ ଅସ୍ଥିତ୍ଵର ସତାକୁ ।।
ମୁଖାଗ୍ନି ଦେଇ ମୋ ଶବର ସଂସ୍କାର
କେବେ କେହି କରିବନି ।
ଶ୍ମଶାନକୁ ପରା ଭାରି ଡରେ ମୁଁ ଯେ
ସେ କଥାକୁ ଭୁଲିବନି ।।
ଶବକୁ ମୋହର ଦେଇ ଦେବ କୋଉ
ଡାକ୍ତରୀ କଲେଜରେ ।
କେତେ ଯେ ପିଲାଏ ଉପକୃତ ହେବେ
ପାଠ ପଢି ସେଇଥିରେ ।।
ପ୍ରକୃତରେ ଯଦି ଭଲ ପାଉଥିବ
ଆସି ଦେଖିଯିବ ମୋତେ ।
ଆଣିବ ମୋ ପାଇଁ ଫୁଲ ହାର ଟିଏ
ମୂଲ୍ୟ ତାର ହେଉ ଯେତେ ।।
ଭଲ ପାଉଥିଲେ କାନ୍ଦିବନି କେବେ
ବସି ମୋ ଶବ ପାଖରେ ।
ମୋର ଇଚ୍ଛା ସବୁ କରିବ ଯେ ପୁରା
ତୁମେ ପରା ଖୁସି ମନରେ ।।
ଥରେ ଆଉଁସିବ ମଥାକୁ ମୋହର
ସବୁ ରାଗ ଭୁଲି ଯାଇ ।
କ୍ଷମା କରିଦେବ ସବୁ କଥା ମୋର
ଯାହା ଦେଇଥିବି କହି ।।
ମନ ଉଣା କେବେ କରିବନି କେହି
ମୁଁ ଚାଲିଗଲା ପରେ ।
ଆଉ ଫେରିବିନି ଯଦି ଥରେ ଶୁଏ
ମୁଁ ସେ ଅଭଙ୍ଗା ନିଦରେ ।।