STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଯୁଗେ ଯୁଗେ ମହାପ୍ରଭୁ ତୁମେ ଭକ୍ତର

ଯୁଗେ ଯୁଗେ ମହାପ୍ରଭୁ ତୁମେ ଭକ୍ତର

1 min
307


ଯୁଗେ ଯୁଗେ ମହାପ୍ରଭୁ ତୁମେ ତ ଭକ୍ତର

ଭକତ ବତ୍ସଳ ହୋଇ କର ଯେ ଉଦ୍ଧାର,

ତୁମେ ପ୍ରଭୁ ଆର୍ତ୍ତବନ୍ଧୁ

ଆରତ ଜନର ଲାଗି ତୁମେ କୃପାସିନ୍ଧୁ।


ଜୀବର ଜୀବନ ଡ଼ୋର ହାତରେ ତୁମର 

ତୁମ ଇଙ୍ଗିତରେ ଚାଲେ ଏ ସଚରାଚର,

ଅଗତିର ଗତିଦାତା

ତୁମରି ଆଶିଷ ପାଇ ଦୂର ହୁଏ ଚିନ୍ତା।


ତୁମ ବାହୁ ଛାୟା ତଳେ ସକଳେ ଆଶ୍ରିତ

କୃପାରେ ତୁମର ରହି ହୁଅନ୍ତି ମୁକତ,

ଅନାଥର ତୁମେ ନାଥ

ଅଜ୍ଞାନ ଅମା ଅନ୍ଧାରେ ଆଲୋକର ପଥ।


ସତ୍ୟ ଯୁଗରେ ପ୍ରହ୍ଲାଦ ତୁମକୁ ଯେ ଭଜି

ଖମ୍ଵ ମଧ୍ୟେ ଦେଖାଇଲା ସେ ତୁମକୁ ଖୋଜି

ତୁମେ ହିଁ ତ ସର୍ବବ୍ୟାପୀ

ତୁମକୁ ଧ୍ୟାନରେ ଧ୍ୟାୟୀ ତରି ଯାଏ ପାପୀ।


ନୃସିଂହ ବେଶରେ ତୁମେ ନାଶିଲ ହିରଣ୍ୟ

ଭାବ ଭକ୍ତି ବଳେ ଭକ୍ତ ଅରଜଇ ପୁଣ୍ୟ,

ଦୁଃଷ୍ଟକୁ ସଂହାର କର

ସନ୍ଥ ପାଳି ରଖ ବୋଲି ତୁମେ ହରିହର।


ଦ୍ବାପର ଯୁଗରେ କଲ କୁବ୍ଜାକୁ ସୁନ୍ଦରୀ

ରୂପରେ ଜିଣିଲା ସିଏ ସ୍ବର୍ଗ ଅପସରୀ,

ତୁମେ ପ୍ରଭୁ ଅନ୍ତର୍ଯ୍ୟାମୀ

ଶ୍ରଦ୍ଧାଳୁ ଲଭେ କରୁଣା ଚରଣେ ପ୍ରଣମି।


କୁରୁସଭା ସ୍ଥଳେ ଶୁଣି ଦ୍ରୌପଦୀଙ୍କ ଡ଼ାକ

କୋଟି ବସ୍ତ୍ର ଦାନ କରି ରଖିଲ ହେ ଟେକ,

ତୁମେ ତ ଦୟାସାଗର

ମହା ମହା ବିପଦରୁ କର ଯେ ଉଦ୍ଧାର।


ଅକ୍ଷୁର୍ଣ୍ଣ ରଖିଲ ପ୍ରଭୁ ନାରୀର ମର୍ଯ୍ୟାଦା

ଭକତର ଲାଗି ତୁମେ ରହି ଅଛ ସଦା,

ଭାବେ ହୁଅ ତୁମେ ବନ୍ଦୀ

ରଖିଛ ସାରା ସଂସାର ସଂପର୍କରେ ଛନ୍ଦି।


ତ୍ରେତୟା ଯୁଗେ ଧୀବର ଶବରୀ ଗୁହାରି

ଶୁଣିଲେ ହେ ମହାପ୍ରଭୁ ହୃଦେ ଶ୍ରଦ୍ଧା କରି,

ପୂର୍ଣ୍ଣକଲ ତାଙ୍କ ଆଶା 

ଭକ୍ତଜନଙ୍କର ତୁମେ ଅଟ ହେ ଭରସା।


କଳିରେ କରିଣ ଅଳି ସେ ବନ୍ଧୁ ମହାନ୍ତି

ପାଇଲା ତୁମରି ଭୋଗ କ୍ଷୁଧାତୁରେ ଚିନ୍ତି,

ପାଶେ ନ ଯାଇ ଦାସିଆ

ସାଆନ୍ତ ହାତରୁ ନେଲ ତା' ଦେବା ନଡ଼ିଆ।


ଦେଖିବାକୁ ରଥଯାତ୍ରା ଭକ୍ତ ସାଲବେଗ 

ସାତ ଶ' ପଚାଶ କୋଶେ ରଖି ଅନୁରାଗ,

ଡାକିବାରୁ ହୋଇ ଠିଆ

ତା' ଆସିବା ଯାଏଁ ରଥେ ରହିଲ କାଳିଆ।


ତୁମେ ଭାବର ଠାକୁର ଭାବ ବିନୋଦିଆ

ଭକତି ରସରେ ହୁଅ ଭକତ ରସିଆ,

ମହିମା ତୁମ ଅପାର

ଯୁଗେ ଯୁଗେ ମହାପ୍ରଭୁ ତୁମେ ତ ଭକ୍ତର।


ଜଗତରେ ଉଡ଼େ ବାନା ପତିତପାବନ  

ଅଧର୍ମ ନାଶି ଧର୍ମର କର ସଂସ୍ଥାପନ,

ତୁମେ ସତ୍ୟ ଚିରନ୍ତନ

ଯୁଗେ ଯୁଗେ ମହାପ୍ରଭୁ ରଖ ଭକ୍ତ ମାନ।


ତୁମ ପାଦପଦ୍ମ ତଳେ ନେଉଛି ଶରଣ

ହୃଦେ ସ୍ମରି ତୁମ ନାମ କରୁଛି ଜଣାଣ,

ଶୁଭଦୃଷ୍ଟି ଥିବ ରଖି

ଏ ଜୀବନ ଯାଉ ତୁମ ଚକାଆଖି ଦେଖି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract