ନୀଳାଦ୍ରି ବିଜେ
ନୀଳାଦ୍ରି ବିଜେ
ଛାଡ଼ ରାଗ ଋଷା ଛାଡ଼ ଅଭିମାନ
ମାନମୟୀ ପ୍ରିୟା ମୋର ।
ଆହେ ଅଭିମାନୀ ଭାଙ୍ଗି ସବୁ ମାନ
ଖୋଲି ଦିଅ ସିଂହଦ୍ୱାର ।
ବଡ଼ ଭାଇ ପରା ସାଥେ ଯାଇଥିଲେ
ତୁମର ସେ ଦେଢ଼ଶୁର ।
ଦେଢ଼ ଶୁର ସଙ୍ଗେ ଯାଇ ଥାଆନ୍ତକି
କୁହ ଆହେ ପ୍ରିୟା ମୋର ।
ଏତେ ରାଗ ତୁମ ହେରା ପଞ୍ଚମୀରେ
ଭାଙ୍ଗିଲ ମୋ ନନ୍ଦିଘୋଷ ।
ବୁଝି ମୁଁ ପାରୁନି କାହିଁ ହଜିଗଲା
ଆମର ପ୍ରେମ ବିଶ୍ୱାସ ।
ଦେଖ କମଳିନୀ ହାଟେ ଗଡିଲାଣି
ତୁମ ରାଗ ଅଭିମାନ ।
ମାନିନୀ ପ୍ରିୟା ମୋ ଖୋଲିଦିଅ ଦ୍ଵାର
କରିବି ମାନ ଭଞ୍ଜନ ।
କରନା କରନା ଆଉ ଲୋକ ହସା
ହସିଲେଣି ଦେଖ ସବୁ ।
ମାଇପ ବୋଲା ଯେ ଜଗତ ଠାକୁର
କହିଲେଣି ଦେଖ ସବୁ ।
ସେଦିନୁ ରାଗିକି ମୁହଁ ଫୁଲାଇଛ
ଏ ଯାଏଁ ଭୁଲିନ ତୁମେ ।
ଯୁଆଡ଼େ ଗଲେ ବି କମଳାକାନ୍ତ ମୁଁ
ପଡୁନିକି ତୁମ ମନେ ।
ଜଗତ ଠାକୁର ଖୋଲିବିନି ଦ୍ଵାର
ଦାଣ୍ଡେ ହୁଅ ତୁମେ ଠିଆ ।
ବୁଲିବାକୁ ପରା ଭାରି ମନ ତୁମ
କହିଲେ ଯେ ଲକ୍ଷ୍ମୀ ପ୍ରିୟା ।
ଖୋଲିବିନି ଦ୍ଵାର ମନ ଇଚ୍ଛା ବୁଲ
କହୁଛି ମୁଁ କମଳିନୀ ।
ରାଗିଥିବି ବୋଲି ତୁମ ଠାରେ ପ୍ରଭୁ
ଜାଣି ତୁମେ ପାରିଲନି ।
ଜାଣିଛି ଜାଣିଛି ସବୁ ମୁଁ ଜାଣିଛି
ଅଭିମାନୀ ପ୍ରିୟା ମୋର ।
<p>ତୁମ ଆଗେ ସବୁ ବୁଝାଇ କହିବି
ଖୋଲି ଦିଅ ସିଂହଦ୍ୱାର ।
ଦେଖ ଦେଖ ଲକ୍ଷ୍ମୀ ମନେ ପଡ଼ିଲାଣି
ମହୁର ବେସର ତୁମ ।
ମନେ ପଡ଼ିଲାଣି ତୁମ ହାତ ରନ୍ଧା
ତୁମର ବିଡ଼ିଆ ପାନ ।
ଥାଉ ଥାଉ ପ୍ରଭୁ ଆଉ କୁହ ନାହିଁ
ଜାଣିଛି ମୁଁ ତୁମ ଗୁଣ ।
ପାଣିରେ ସର ପକାଇବା କଳା
ତୁମେ ତ ଭଲରେ ଜାଣ ।
ଆଣିଛି ସାଥିରେ ରସୋଗୋଲା ଦେଖ
ଆହେ ପ୍ରିୟତମା ମୋର ।
ତଟକା ମିଠା ଯେ ବାସି ହୋଇ ଯିବ
ଖୋଲି ଦିଅ ସିଂହଦ୍ୱାର ।
ନଅ ଦିନ ନଅ ଯୁଗ ଲାଗିଲାଣି
ଲକ୍ଷ୍ମୀ ତୁମ ବିରହରେ ।
କେମିତି ରହିଛ ମୋତେ ଛାଡ଼ି ତୁମେ
ନିତି ମୁଁ ତୁମକୁ ଝୁରେ ।
ଦେଖିବାକୁ ମନ ବ୍ୟାକୁଳ ହେଲାଣି
ସୁନ୍ଦରୀ ପ୍ରିୟାକୁ ମୋର ।
ହୃଦୟରୁ କରେ ନିବେଦନ ଲକ୍ଷ୍ମୀ
ଖୋଲି ଦିଅ ସିଂହଦ୍ୱାର ।
ବିରହ ବେଦନା ତୁମେ କି ଜାଣିବ
ଆହେ ମୋ କଳା ଠାକୁର ।
କେମିତି କହିବି କେମିତି କଟିଛି
ଏହି ନଅ ଦିନ ମୋର ।
ସବୁ ମୁଁ ଜାଣିଛି ସବୁ ମୁଁ ବୁଝିଛି
ଖୋଲି ଦିଅ ସିଂହଦ୍ୱାର ।
ଆଣିଛି ମୁଁ ମିଠା ଖୋଇବି ତୁମକୁ
ନିଜେ ନିଜ ହାତେ ମୋର ।
ପାରୁନି ମୁଁ ସହି ଆହେ ପ୍ରାଣ ନାଥ
ଯାତନା ଏ ବିରହର ।
ଖୋଲୁଛି ଦୁଆର ଆହେ ଜଗନ୍ନାଥ
ନୀଳାଦ୍ରିକୁ ବିଜେ କର ।