ଜଗନ୍ନାଥେ ! ଏକି ତୁମପତ୍ନୀ ପ୍ରେମ
ଜଗନ୍ନାଥେ ! ଏକି ତୁମପତ୍ନୀ ପ୍ରେମ
ଚାଲିଗଲ ତୁମେ ନନ୍ଦିଘୋଷ ଚଢ଼ି
ଭାଇ ଭଉଣୀଙ୍କୁ ନେଇ ।
କବାଟ ଫାଙ୍କରେ ଚାହିଁଥିଲି ମୁଁ ଯେ
ପଛକୁ ଚାହିଁଲ ନାହିଁ ।।
ଧାଇଁ ଯାଇଥାନ୍ତି ତୁମ ପଛେ ହେଲେ
ହଳପାଣି ପାଖେ ଥିଲେ ।
ଏତେ ଭଲ ପାଆନ୍ତି ନଣନ୍ଦ ମୋହର
ନ କହି ସେ ଚାଲି ଗଲେ ।।
ଟାହିଆ ଲଗାଇ ବେଶ ହେଉଥିଲ
ତୁଳସୀ ଚନ୍ଦନ ନାଇ ।
ଅଭିମାନେ ଅଶ୍ରୁ ଝରୁଥିଲା ମୋର
ଦେଖି ପାରିଲନି କାହିଁ ।।
ରାତି ମୋ ପାହେନା ଦିନ ମୋ ସରେନା
ନ ଦେଖିଲେ ତୁମ ମୁଖ ।
ଛାଡି ଚାଲିଗଲ କେମିତି ହୋ ତୁମେ
ଆହେ ପ୍ରଭୁ କଳା ମୁଖ ।।
ଭାବିଥିଲି ପ୍ରଭୁ ସାଥେ ନେବ ହେଲେ
କହିଲନି ତୁମେ ମୋତେ ।
ଏହି ଥିରୁ ପ୍ରଭୁ ବୁଝିଗଲି ମୁଁ ଯେ
ଭଲ ପାଅ ମୋତେ କେତେ ।।
କଳମ ଶାଗକୁ ଡ଼ାଳୁଅ ଚାଉଳ
ଖଞ୍ଜି ଦେଇ ଗଲ ତୁମେ
।
ଆହେ ଜଗନ୍ନାଥ ବୁଝିଲନି ତୁମେ
ମୁଁ କଣ ଭାବୁଛି ମନେ ।।
ଜଗତର ନାଥ ବୋଲାଅ ତୁମେ ହେ
ବୁଝନା ପତ୍ନୀର ମନ ।
ଆହେ ଜଗନ୍ନାଥ ଧିକାର କରୁଛି
ଧିକ ତୁମ ପତ୍ନୀ ପ୍ରେମ ।।
ନଅ ଦିନ ମୋତେ ଯୁଗ ଭଳି ଲାଗେ
ପ୍ରଭୁ ତୁମ ବିରହରେ ।
ବଡ଼ ଦେଉଳ ଟା ଖାଁ ଖାଁ ଲାଗେ
ତୁମେ ଚାଲିଗଲା ପରେ ।।
ଜାଣିଛ ତୁମେ ମୁଁ ଭାରି ଅଭିମାନୀ
ବୁଝିଲନି ମନ ମୋର ।
ଏକୁଟିଆ ମୋତେ ଛାଡ଼ି ଚାଲିଗଲ
ଆହେ ପ୍ରଭୁ ଚକ୍ର ଧର ।।
ନଅ ଦିନ ପରେ ଯେବେ ବି ଫେରିବ
ନ ଚାହିଁବି ତୁମ ମୁଖ ।
ଖୋଲିବିନି ଯମା ଦୁଆର କହୁଛି
ଠିଆ ହେବ ଦାଣ୍ଡେ ଦେଖ ।।
ଦାଣ୍ଡେ ଠିଆ ହେବେ ଜଗତ ଠାକୁର
ଦେଖିବେ ଭକତ ତୁମ ।
କୁହ ପ୍ରଭୁ କୁହ ଏ କେଉଁ ବିଚାର
ଏକି ତୁମ ପତ୍ନୀ ପ୍ରେମ ।।