ବାର୍ତ୍ତା ଟିଏ
ବାର୍ତ୍ତା ଟିଏ
ନାରୀ ସଶକ୍ତି କଥା କି କହିବି ମୁଁ
ଲାଜ ଲାଗେ କହିବାକୁ
ନାରୀ ଅତ୍ୟାଚାର ଆଜି ନୁହେଁ ମିଳେ
ଇତିହାସୁ ଦେଖିବାକୁ ।
ଦ୍ରୌପଦୀ ଙ୍କ ବସ୍ତ୍ର ହରଣ ହେଉକି
ପୁଣି ରାମାୟଣ କଥା
ସୀତା ଚୋରି ହେଉ ଅବା ପୁଣି
ଅଗ୍ନି ପରୀକ୍ଷାର ବ୍ୟଥା ।
ବାଲ୍ୟ ବିବାହ ହେଉ ଅବା ପୁଣି
ସତୀ ଦାହର ସେ ପ୍ରଥା
ଯୌତୁକ ନିର୍ଯାତନା ହେଉ ଅବା
ହେଉ ନାରୀ ଶିକ୍ଷା କଥା ।
ତଥାପି କହୁଛି ନାରୀ ତୁ ମହାନ୍
ବନ୍ଦନୀୟା ଅଟୁ ତୁହି
ତୋ ପାଇଁ ରାବଣ ମରିଥିଲା ପୁଣି
ମହାଭାରତ ଥିଲା ହୋଇ ।
ଧର୍ଯ୍ୟ ତୋ ଧରିତ୍ରୀ ଲାଜ ଲାଜକୁଳୀ
ସ୍ନେହ ତୋ ସାଗର ସମ
ହୃଦୟ ତୋହର ସ୍ନେହର ପସରା
ଆକାଶ ସମ ତୋ ମନ ।
ଧୂଳି ପରି ଦୁଃଖ ଝାଡୁ ପଣତରେ
ସେଥି ପାଇଁ ମାଆ ତୁହି
ମଙ୍ଗଳ ମନାସୁ ଭାଇ ପାଇଁ ନିତି
ତା ହାତ ର ରାକ୍ଷୀ ହୋଇ ।
ଅର୍ଦ୍ଧା
ଙ୍ଗିନୀ ହୋଇ ଦୁଃଖ ବାଣ୍ଟି ନେଉ
ସ୍ନେହ ମୟୀ ତୁ ଘରଣୀ
ପୁରା ଘର ତୋର ପାଦ ତଳେ ରୁଣୀ
ସେଥି ପାଇଁ ତୁ ଗୃହିଣୀ ।
ତୁ ଲକ୍ଷ୍ମୀ ବାଇ କୁନ୍ତଳା କୁମାରୀ
ମଦର ଟେରେସା ତୁହି
ଇନ୍ଦିରା ଗାନ୍ଧୀ ତୁ ରମା ଦେବୀ ପୁଣି
ସେ କଥା ଭୁଲିବୁ ନାହିଁ ।
ପରିଚୟ ତୋର ସୃଷ୍ଟି କରିବାକୁ
ସଂରକ୍ଷଣ ଲୋଡା ନାହିଁ
ନାରୀ ବୋଲି ତୁ ଅବଳା ଦୂର୍ବଳାର
ବାହାନା ଖୋଜିବୁ ନାହିଁ ।
ମନ୍ଦିରେ ଦେବୀ ତୁ ଦୁର୍ଗା ଲକ୍ଷ୍ମୀ ପୁଣି
ମହାକାଳୀ ସରସ୍ଵତୀ
ସାହାସ ତୋ ଅସ୍ତ୍ର ଧର୍ଯ୍ୟ ତୋର ଢାଲ
ତୁ ହିଁ ତୋହର ଶକ୍ତି ।
ତୋ ଘରର ଧନ ମାନ ଅଟୁ ତୁହି
ତୁ ହିଁ ଗର୍ବ ଅଭିମାନ
ସଂସ୍କାର ମର୍ଯ୍ୟାଦା ଭୁଲିବୁନି କେବେ
ରଖି ଥିବୁ ତୁହି ମନ ।
ବିଶ୍ଵ ପାଳେ ଆଜି ମହିଳା ଦିବସ
ଦିନଟେ ମହିଳା ପାଇଁ
ମହିଳା ପାଇଁ ଯେ ପ୍ରତି ଦିନ ଅଟେ
ବାର୍ତ୍ତାଟି ନ ଭୁଲ କେହି ।