ମୋ ପ୍ରେମର ସାକ୍ଷୀ ତୁମେ କେଦାରଗୌରୀ
ମୋ ପ୍ରେମର ସାକ୍ଷୀ ତୁମେ କେଦାରଗୌରୀ
ପ୍ରେମ ପରିଭାଷା ବୁଝିନି ଏ ମନ
ତଥାପି କରୁଛି ପ୍ରେମ ।
ଜାଣିନି ଏ ମନ ଅମୃତଠୁ ବଳି
ଅବା ପ୍ରେମ ବିଷ ସମ ।।
ଜଣେ ନାହିଁ ପ୍ରେମ ବିଶ୍ୱାସ କି ଧୋକା
ଅବା ମିଛ ପ୍ରତିଶ୍ରୁତି ।
ଉଦୁ ଉଦିଆ ଗ୍ରୀଷ୍ମର ପ୍ରକୋପ
ଅବା ପୁଣି ଜହ୍ନ ରାତି ।।
ଇତିହାସେ ଦିନେ ପଢ଼ିଥିଲି ମୁଁ ଯେ
ଅମର ଗାଥା ପ୍ରେମର ।
ଶ୍ରୀ କେଦାର ରାଜା ଗୌରୀ ଯେ ରାଣୀ
ଥିଲେ ସେହି କାହାଣୀର ।।
କେଦାର ଗୌରୀ ଇତିହାସ ପଢ଼ି
ଜାଣିଲି ସେଦିନ ମୁହିଁ ।
ବିଶ୍ୱାସ ତ୍ୟାଗ ଯେ ପ୍ରେମ ମୂଳଦୁଆ
ପ୍ରେମ କିଛି ଲୋଡ଼େ ନାହିଁ ।।
ପ୍ରେମ ଲୋଡ଼େ ନାହିଁ ତାଜମହଲ ଅବା
ଲୋଡ଼େ ନା ଗୋଲାପ ଫୁଲ ।
ସ୍ନେହ ଶ୍ରଦ୍ଧାର ସେ ଛୋଟ କୁଡ଼ିଆଟେ
କିଏ ହେବ ତାର ତୁଲ ।।
ଜାଣିନି ମୋ ମନ କେତେ ଅଛି ସତ
କେତେ ପୁଣି ମିଛ ଅଛି ।
କେତେ ପ୍
ରତାରଣା ସନ୍ଦେହ ଛଳନା
ଅବା ଛନ୍ଦ ବାଦ କିଛି ।।
ଜାଣିନି ଏ କଥା ପ୍ରେମ ଉପହାର
ସିନ୍ଦୂର ହେବକି ନାହିଁ ।
ଜାଣିନି ବି ମୁହିଁ ମୋ ପ୍ରେମ କାହାଣୀ
ଅମର ହେବକି ନାହିଁ ।।
ପ୍ରେମ ପ୍ରତି ରୂପ ତାଜମହଲ ର
ସ୍ବପ୍ନ ମୁଁ ଦେଖିନି କେବେ ।
ସ୍ନେହ ପ୍ରେମର ସେ ଚାଳ କୁଡ଼ିଆରେ
ମୋ ଛୋଟ ସଂସାର ଭାବେ ।।
କେତେ ସମର୍ପଣ ମନରେ ମୋହର
ଦୁନିଆ ବୁଝୁକି ନାହିଁ ।
ତୁମେ ଶୁଣି ଅଛ ସେହି ସବୁ ଶବ୍ଦ
ଯାହା ମୁଁ ଦେଇଛି କହି ।।
ସେହି ପ୍ରତିଶ୍ରୁତି ତୁମେ ଜାଣି ଅଛ
ପ୍ରତିଜ୍ଞା ଜାଣିଛ ତୁମେ ।
ତୁମେ ସାକ୍ଷୀ ଅଛ ପ୍ରତି ମୁହୂର୍ତ୍ତ ର
ପ୍ରତକ୍ଷଦର୍ଶୀ ତୁମେ ।।
ପ୍ରେମ ଯଦି କେବେ ଠିଆ ହୁଏ ମୋର
କର୍ତ୍ତବ୍ୟର କାଠଗଡାରେ ।
କେଦାର ଗୌରୀ ନିଶ୍ଚେ ଆସିବ ତୁମେ
ମୋ ପ୍ରେମ ସାକ୍ଷୀ ରୂପରେ ।।