ନୀଳାଦ୍ରିନାଥଙ୍କ ନୀଳାଦ୍ରି ବିଜେ
ନୀଳାଦ୍ରିନାଥଙ୍କ ନୀଳାଦ୍ରି ବିଜେ
ନୀଳଶୈଳ ବାସୀ ଶ୍ରୀକ୍ଷେତ୍ରକୁ ଆସି
ରହିଛନ୍ତି ନୀଳାଚଳେ,
ଦାରୁବ୍ରହ୍ମ ରୂପେ ସ୍ଵୟଂ ପ୍ରଭୁ ଆପେ
ବିରାଜ ବଡ଼ ଦେଉଳେ।
ଗୁଣ୍ଡିଚା ରାଣୀଙ୍କୁ ଖୁସି କରିବାକୁ
ପ୍ରଭୁ ଦେଇଥିଲେ କଥା,
ବରଷକୁ ଥରେ ଯିବେ ତାଙ୍କ ଘରେ
କରିବେ ନାହିଁ ଅନ୍ୟଥା।
କଥା ରଖି ବିଭୁ ଯା'ନ୍ତି ମହାପ୍ରଭୁ
ଭାଇ ଭଉଣୀଙ୍କ ସାଥେ,
ଛାଡି଼ ଶ୍ରୀମନ୍ଦିର ଜଗତ ଠାକୁର
ବୁଲି ଯା'ନ୍ତି ବସି ରଥେ।
ଯା'ନ୍ତି ବଡ଼ଦାଣ୍ଡେ ରଥ ତିନି ଖଣ୍ଡେ
ଭକତେ ଲଭନ୍ତି କୃପା,
ଆଡ଼ପ ମଣ୍ଡପେ ଉଭା ଅପରୂପେ
ଶୋଭା କାନ୍ତିରେ ସ୍ଵରୂପା।
ନବରାତ୍ର ପରେ ବାହୁଡ଼ନ୍ତି ପୁରେ
ରଥଯାତ୍ରା ପର୍ବ ସାରି,
ନୀଳାଦ୍ରି ବିହାରୀ ଶଙ୍ଖ ଚକ୍ରଧାରୀ
ଶୁଣନ୍ତି ସବୁ ଗୁହାରି।
ଚତୁର୍ଦ୍ଦଶୀ ତିଥି ଶ୍ରୀମନ୍ଦିରେ ସାଥୀ
ନ ହୋଇ ଭାଇ ଭଉଣୀ,
ଏକା ବଡ଼ ଭାଇ ଭଉଣୀ ପଛେଇ
ବିଜେ ହୁଅନ୍ତି ଅଗ୍ରଣୀ।
ମାତା ମହାଲକ୍ଷ୍ମୀ ଅଟକାଇ ସ୍ଵାମୀ
ଓଗାଳି ବସନ୍ତି ପଥ,
ନେଲେ ନାହିଁ ବୋଲି ଗଲେ ତାଙ୍କୁ ଭୁଲି
ଅନାଥ କଲେ ଯେ ନାଥ।
ଏ କି ସ୍ଵାମୀପଣ କଲ ହଇରାଣ
ସ୍ତ୍ରୀ ପାଶେ ନାହିଁ ଆଦର ?
ଏକା କରି ଗଲ କିଛି ନ ବୁଝିଲ
ଦିଅ ହେ ତା' ଉତ୍ତର।
ନାନା ଭାବେ କଟୁ କଥା କହି ବାଟୁ
ପ୍ରଭୁଙ୍କୁ ଦେଲେ ହଟାଇ,
ମାୟାଧର ମାୟା ଛଳେ କରି ଦୟା
କହିଲେ ସବୁ ବୁଝାଇ।
ମୃଦୁ ମୃଦୁ ହସି ତାଙ୍କ ପାଶେ ଆସି
ପ୍ରକାଶିଲେ ମଧୁବାଣୀ,
ରସଗୋଲା ଦେଇ ନେଲେ ମନ ମୋହି
ମାନ ଭାଙ୍ଗି ଗଲେ ଜିଣି।
ମାତା କଲେ ରୋଷ ନାଥ ହେଲେ ବଶ
ମିଳନେ ମିଶିଲା ମନ,
ପତି ପତ୍ନୀ ବେନି ଏକ ପ୍ରାଣ ଘେନି
ସଂସାରେ ପରା ଜୀବନ।
ହେଲା ଶଙ୍ଖନାଦ ହରିବୋଲ ଶବ୍ଦ
ହୁଳହୁଳି କୋଳହଳ,
ନୀଳାଦ୍ରି ଶ୍ରୀନାଥ ଖୋଜି ପାଇ ପଥ
ବିଜେ ହେଲେ ସେ ଚଞ୍ଚଳ।
ଶ୍ରୀମନ୍ଦିରେ ପଶି ସିଂହାସନେ ବସି
ଭକ୍ତଙ୍କୁ ଦେଲେ ଆଶିଷ,
ମାତା ଲକ୍ଷ୍ମୀଦେବୀ ଭାବେ ଅନୁଭବି
ବିଜେ କଲେ ଅନ୍ତପୁରେ,
ଲୀଳାମୟ ପ୍ରଭୁ ବିଶ୍ଵେ ମହାବାହୁ
ଯଶ ବର୍ଣ୍ଣିଲେ ନ ସରେ।
ଜୟ ଜୟ ନାଥ ନୟନର ପଥ
ତୁମେ ଲକ୍ଷ୍ମୀ ନାରାୟଣ,
ତୁମ ବିନା ଗତି ନାହିଁ ଶାନ୍ତି ମୁକ୍ତି
ଚରଣେ ଦିଅ ଶରଣ।
