ବାହୁଡ଼ି ଆସ ହେ ମୋ ଜଗାକାଳିଆ
ବାହୁଡ଼ି ଆସ ହେ ମୋ ଜଗାକାଳିଆ
ବାହୁଡ଼ି ଆସ ହେ ମୋ ଜଗାକାଳିଆ
ଭକତରସିଆ ତୁଳସୀମାଳିଆ,
ଭାବରେ ବାନ୍ଧିଛ ଭାବ ବିନୋଦିଆ
ତୁମ ବିନା କିଏ ଭବେ ହେବ ସାହା,
ବାହୁଡ଼ି ଆସ ହେ ।
ଛାଡ଼ି ଗଲ ତୁମେ ରତ୍ନ ସିଂହାସନ
ଶ୍ରୀକ୍ଷେତ୍ର ଦିଶେ ତ ଶ୍ରୀହୀନ ମଳିନ,
ମାତା ମହାଲକ୍ଷ୍ମୀ କରିଛନ୍ତି ମାନ
ମିଳେନା ଆଉ ତୁମ ଅବଡ଼ା ଅନ୍ନ
ବାହୁଡ଼ି ଆସ ହେ ।
ଖାଇଲ ବାଣ୍ଟିଲ ବାବନ ପଉଟି
ଅଭାବ ପଡୁଛି ଏତେ ଯେ ସାଉଁଟି,
ତୁମ ବିନା କିଏ ବୁଝାଇ ଦେବଟି
ମଣିଷ ମନର ସେ ମୋହ ମାୟାଟି,
ବାହୁଡ଼ି ଆସ ହେ ।
ବଡ଼ଦାଣ୍ଡ ତୁମ ହୋଇ ବି ପ୍ରଶସ୍ତ
ବାଟବଣାରେ ମଣିଷ ଅସ୍ତବ୍ୟସ୍ତ,
ବାଟ ସରୁ ନାହିଁ କଲେ ଯେତେ ଗସ୍ତ
ଫେରି ଆସି ତୁମେ କରାଅ ଆଶ୍ବସ୍ତ,
ବାହୁଡ଼ି ଆସ ହେ ।
ସକଳ ତୀର୍ଥ ତ ତୁମ ଚରଣରେ
ଛାଡ଼ି ତୁମକୁ ମୁଁ ଯିବି କିଆଁ ଦୂରେ,
ଆଶ୍ରୟ ଦିଅ ହେ ତୁମ ଚରଣରେ
ଜପୁଥିବି ତୁମ ନାମ ଆନନ୍ଦରେ,
ବାହୁଡ଼ି ଆସ ହେ ।
