ବାତାୟନ ପାଶେ
ବାତାୟନ ପାଶେ
ମୋ ନାଭିରୁ ତତଲା ଦୀର୍ଘଶ୍ୱାସଟିଏ
ଓଠଦ୍ୱାର ଦେଇ ଫୁଙ୍କନଳିରୁ
ଯେବେ ଚୁଲିଭିତର
ନିଆଁ ତେଜିପାରେ,
ଗବ ଗବ କରି ଫୁଟାଏଭାତ
ଶୁଆଇ ଦେଇପାରେ
ଡିବି ଆଲୁଅ ଲିଭାଇ
ଗାଇ ଧୋ' ଧୋ' ବାଇଆ ଗୀତ ।
ଅନ୍ଧାରବକ୍ଷେ କୁନି ଜହ୍ନ ଆଉ ତାରା
କୁହ ସଂସାର ଯାକର ଅନ୍ଧାର ତେବେ
ଲେସି କାହିଁକି ହୋଇଛି
ମୋ ହାତ ପାପୁଲିସାରା ।
ଆଖିଜାଳିଦିଏ ଚମ ପୋଡିଦିଏ
ହାତବିଞ୍ଚଣା ଅବା ଛାତପଙ୍ଖାତଳେ
ବସି ବିଞ୍ଚିହେବାପାଇଁ ମୋତେ ଘଡିଏ
ଘର ଚଉହଦି କରେ ଇଶାରା ।
ଭାଗ୍ୟରେ ଯେତିକି ସେତିକି ଅନିଳ
ବିଞ୍ଚିହୋଇଅଛି ଧୂଆଁମୁଁ କେବଳ
ଦକ୍ଷିଣାପବନ ମୋ ଦାଣ୍ଡେ ସୁଶୀତଳ
ଏରୁଣ୍ଡିଡେଇଁବା ମୋତେ ତେବେ
କୁହ ମନାକିଆଁ ?
ଗୁଳୁଗୁଳିଆ ଦି'ପହରେ
ଗରମ ଉତ୍ତପ୍ତ ଝାଞ୍ଜିଖରାରେ
ରୋଷେଇ ଘର ଚୁଲିଧୂଆଁ ଯାକ
ନିଷ୍କାସନର ପନ୍ଥାଅଣ୍ଡାଳେ ।
ଭିତରେ ଧୂଆଁ, ବାହାରେ ଉତ୍ତାପ
ନିଦାଘ କଣ୍ଟକଣ୍ଟିଆ ସମୟତକ
କାଳବୈଶାଖୀ ଗାଳୁଥାଏ ଏଠି
ବିଲ ଓ ପ୍ରାନ୍ତରେ ନିଆଁ ।
ଓସ୍ତଗଛ ମୋତେ ଡାକେ ହାତଠାରି
ମନେ ପୁଲକ ପ୍ରାଣେ ପୀରତି ସଞ୍ଚରି
ଶୀତଳ ପବନ ତେଜି ସଞ୍ଜଜ୍ୟୋତି
ସ୍ପର୍ଶକରେ ମୋତେ ବିନା ମୋ ସମ୍ମତି
ମେଘରେ ମେଘରେ ମାଦଲ୍ ବଜାଏ
ଦେଖ ଏ ପାଗଲ୍ ବାଆ ।
ମହୁଲି ପବନ ଖେଳି ଲୁଚକାଳି
ମାଟିବାମ୍ଫର ଚପଳ ଚୈତାଳି
କଷ୍ଟ ଜର୍ଜରିତ ପ୍ରାଣକୁ ପଖାଳି
ନିଶା ଘାରିଗଲା ଆହା ।
ବାସ୍ନାୟିତ ରେଣୁ କୁହୁକି କଲ୍ଵଳ
କୁଞ୍ଜେ କୁଞ୍ଜେ ବହେ ମୁକ୍ତ ହିଲ୍ଵଳ
ମୁକ୍ତିର ବାସ୍ନା ଆସଇ କେବଳ
ବାତାୟନ ପାଶେ ଯାହା ।
