STORYMIRROR

Kabiratna Nutan Kumar Behera

Abstract Drama Inspirational

4  

Kabiratna Nutan Kumar Behera

Abstract Drama Inspirational

ରଥାରୂଢ଼ ମହାପ୍ରଭୁଙ୍କ ଶରଣେ

ରଥାରୂଢ଼ ମହାପ୍ରଭୁଙ୍କ ଶରଣେ

1 min
250

ରଥରେ ଆରୂଢ଼ ବିଭୁ  ଲୀଳାମୟ ମହାପ୍ରଭୁ 

     ବଡ଼ଦାଣ୍ଡ ବଡ଼ଭିଡ଼ ପଡ଼େ ଉଛୁଳି,

ସଙ୍ଗତେ ଭାଇ ଭଉଣୀ ଆନନ୍ଦେ ହସେ ଧରଣୀ 

    ଝଟକଇ ଶୋଭା ଶିରୀ ଯେହ୍ନେ ବିଜୁଳି,

        ସୁନ୍ଦର ରୂପରେ ଅନନ୍ତ 

   ଜଗତର ଶିରୋମଣି ସେ ନ୍ୟାୟବନ୍ତ। 

ଆଷାଢ଼ ଶୁକ୍ଳ ଦ୍ୱିତୀୟା  ହୁଏ ତାଙ୍କ ରଥଯାତ୍ରା

    ଶ୍ରଦ୍ଧାଳୁ ଭକତ ଦେଖି ଲଭେ ଆଶିଷ,

ଦୟାମୟ କୃପାସିନ୍ଧୁ   ଦୀନ ଦରିଦ୍ରର ବନ୍ଧୁ

    କରୁଣା କରନ୍ତି ସଦା ଜନେ ଅଶେଷ,

        ଜଗତରେ ସେ ଜଗନ୍ନାଥ

    ଜୀବ ଜୀବନର ସିଏ ନୟନ ପଥ।

ମାଉସୀ ଘରକୁ ଯାଇ   ଆଡ଼ପ ମଣ୍ଡପେ ରହି

     ଦର୍ଶନ ଦିଅନ୍ତି ପ୍ରଭୁ ନବ ରୂପରେ,

ନଅ ଦିନ କାଳ ଥାଇ  ପୋଡ଼ ପିଠା ପଣା ଖାଇ

   ଭାଇ ଭଉଣୀ ଯେ ତିନି ଥା'ନ୍ତି ଖୁସିରେ,

        ମାଉସୀ ଘରର ଅତିଥି

    ବିଶ୍ବ ବ୍ରହ୍ମାଣ୍ଡର ସିଏ ଏକା ସାରଥୀ।

ଦେଖିବାକୁ ରଥଯାତ୍ରା  ବଢ଼ି ଯାଏ ଭିଡ଼ ମାତ୍ର   

   ଲୋକାରଣ୍ୟ ହୁଏ କ୍ଷେତ୍ର ଦିଅଁ ଦର୍ଶନେ,

ବହୁ ଦୂର ଦୁରାନ୍ତରୁ   ଅଭିଳାଷ ନେଇ ଘରୁ 

     ଆସିଥାନ୍ତି ଭକ୍ତଗଣ ପବିତ୍ର ମନେ,

        ପ୍ରଭୁଙ୍କ ମହିମା ଅପାର

   ଦେଖଇ ଲୀଳା ତାଙ୍କର ସାରା ସଂସାର।

ଶ୍ରୀମନ୍ଦିର ସିଂହାସନ  କରି ଦେଇ ସବା ଶୂନ୍ୟ 

    ମା' ମହାଲକ୍ଷ୍ମୀଙ୍କୁ ଛାଡି ଆସନ୍ତି ପ୍ରଭୁ,

ଭକତ ବତ୍ସଳ ହରି  ତାଙ୍କୁ ଯେ କରେ ଗୁହାରି 

    ତାର କିଛି ବି ରହେନା ଅଭାବ ଆଉ,

        ପାପ ତାପ ହୁଅଇ ନାଶ,

    ଭକ୍ତି ପ୍ରେମ ରସର ଏ ଗୁଣ ବିଶେଷ।

ରଥରେ ଦେଖନ୍ତି ସର୍ବେ  ଆନନ୍ଦ ଉତ୍ସବ ପର୍ବେ

     ଦୀନନାଥ ଆର୍ତ୍ତବନ୍ଧୁ ସବୁରି ପାଇଁ,

ଯାତ୍ରାରେ ବାହାରି ଆସି ସେ ବାଣ୍ଟି ଦିଅନ୍ତି ଖୁସି   

   ତାଙ୍କଠାରେ ଭେଦାଭେଦ କିଛି ତ ନାହିଁ,

        ସେ ଦୟାଳୁ ମଙ୍ଗଳମୟ

    ପାଇଲେ ତାଙ୍କ କରୁଣା ହୁଅଇ ଜୟ।

ତାଙ୍କ ଚରଣେ ଶରଣ  ନେଇ କରୁଛି ଜଣାଣ

    ଦେହ ମନ ରହୁ ଭଲ ଜଗତ ହିତେ,

ତାଙ୍କୁ ଧ୍ୟାୟୀ ଦିନ ଯାଉ ଲୋଡ଼ା ନାହିଁ କିଛି ଆଉ

     ତାଙ୍କ ନାମ ଜପୁଥିବି ମୁଁ ଅବିରତେ,

        ସତ୍ୟ ଧର୍ମ ପାଳି ଜୀବନେ

    ଜନମ ସାର୍ଥକ ହେଉ ପବିତ୍ର ପ୍ରାଣେ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract