STORYMIRROR

Krushna Chandra Lenka

Abstract Drama Inspirational

4  

Krushna Chandra Lenka

Abstract Drama Inspirational

ରିକ୍ସା ଚାଳକ

ରିକ୍ସା ଚାଳକ

1 min
300

ଛାଡି ପିଲା ଛୁଆ ମୋ ଗାଆଁ ଘରେ,

ପୋଷିବାକୁ ପେଟ ଆସିଛି ଦୂରେ।


ରିକ୍ସା ଚଳାଇବା ମୋର ବେଉସା,

ସେ'ପାଇଁ ହୁଏ ମୋ' କୁଟୁମ୍ବ ପୋଷା।


ନିତି ଖଟୁଥାଇ ଦିବସ ଭରି,

ନଥାଏ ବିରାମ ତିଳେ ମୋହରି।


ଭୁଞ୍ଜିବାରେ ମତେ ନଥାଏ ବେଳ,

ମୋ'ପାଇଁ ସାହା ଯେ ବୁନ୍ଦାଏ ଜଳ ।


ଖରା, ବରଷାକୁ ନଥାଏ ଡର,

କରମ ମୋହର ଜୀବନେ ସାର ।


କେତେ କ୍ଳେଶ ସହି ମୁଁ ରିକ୍ସା ଟାଣି,

ଚଳାଏ ମୋ' ଘର କୁଟୁମ୍ବ ପ୍ରାଣୀ ।


ରକତ ସିନା ମୋ ହୁଅଇ ପାଣି,

କେ' କାହୁଁ ଶୁଣିବ ମୋ'କ୍ଳେଶ ବାଣୀ ।


ରୋଜଗାର କରେ ସେ'ପାଇଁ ଯାହା,

ମାଲିକକୁ କିଛି ଦିଅଇ ତାହା ।


ଆଗେ ଘର ଭଡା ଦିଏ ସେ'କାଳେ,

ପିଲା ଛୁଆ ପାଇଁ ପଠାଏ ତିଳେ ।


ଆଉ କିଛି ଯଦି ସେଥୁଁ ଯେ ବଳେ,

ତାହା ନେଇ ସେଠି ଦୁଃଖେ ମୁଁ ଚଳେ ।


ଦିନ ମଜୁରିଆ ରୂପେ ମୁଁ ଖଟେ,

ବେଳେ ବେଳେ ରହେ ଭୋକିଲା ପେଟେ ।


ବସି ଯାଏ ଯଦି ଏଠି ମୁଁ ଦିନେ,

ସେଦିନେ ଜୀବନ ବିତେ ଦୁର୍ଦ୍ଦିନେ ।


ମହାମାରୀ କାଳେ ବଢେ ଦୁର୍ଦ୍ଦଶା,

ସେ'କାଳେ ନଥାଏ ତିଳେ ଭରସା ।


ତାଲାବନ୍ଦୀ ଯହିଁ ହୁଏ ନଗର,

ଗଡେ ନାହିଁ ରିକ୍ସା ପ୍ରଭାବେ ତାର ।


ସେ'ପାଇଁ ବଢ଼ଇ ଯାତନା, କ୍ଳେଶ

ରହେ ମୁଁ ସେ'କାଳେ କେତେ ଉପାସ ।


ମିଳେନି ଆହାର ମୋ ପାଇଁ ଗଣ୍ଡେ,

ବୁନ୍ଦେ ଜଳ ପିଇ ଜିଇଁଛି ଦଣ୍ଡେ ।


ସ୍ୱେଚ୍ଛାସେବୀ ଯଦି ଦିଅନ୍ତି ତିଳେ,

ଭୁଞ୍ଜେ ତାହା ମୁହିଁ ସୁଖେ ସେ'କାଳେ ।


ଘର ଭଡା ରାଶି ନଥାଏ ପାଶେ,

ବଡ଼ ଦୁଃଖେ ମୁହିଁ ଚଳଇ ବାସେ ।


କି' କହିବି ମୋର କୁଟୁମ୍ବ କଥା,

ଦୁର୍ଦ୍ଦିନେ ଯାହାର ବଢ଼ଇ ବ୍ୟଥା ।


ସରକାର ଯଦି ଦିଅନ୍ତେ ଧ୍ୟାନ,

ଦୂର ହୋଇଯା'ନ୍ତା ମୋର ଦୁର୍ଦ୍ଦିନ ।


ତିଳେ ସହାୟତା ଲୋଡ଼ା ଏ'କାଳେ,

ଲୋଡ଼ା ନାହିଁ ଧନ ମୋର ସକଳେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract