ଜୀବନ ଯୁଦ୍ଧ
ଜୀବନ ଯୁଦ୍ଧ
ଜୀବନ ଯୁଦ୍ଧରେ ହାରିବାର କେବେ ଶିଖିନାହିଁ
ଝୁଣ୍ଟିପାରେ ହେଲେ ଅଟକି ଯିବାର ପ୍ରଶ୍ନ ନାହିଁ
ସମୟର ତାଡନା ରେ ହୋଇପାରେ ମୁଁ ରକ୍ତାକ୍ତ
ମାତ୍ର କର୍ତ୍ତବ୍ୟର ପଥେ କରେ ନାହିଁ ମଥାନତ ।
ଅଙ୍କାବଙ୍କା ପଥ ମୋର ନୁହଁ କୁସୁମିତ
ଶୋଷଣ ଦରିଦ୍ରତାରର ଅଟେ ଅଗ୍ନିପଥ।
ଏ ସଭ୍ୟ ସମାଜର ଯେତେ ନିୟମ ପ୍ରଣୀତ
ହୋଇପାରେ ମୁଁ ଅସଭ୍ୟ !! ମୋ ପଥ କଣ୍ଟକିତ ।
ହେ ସମୟ ! ଜଣାଏ ମୁଁ ତୁମକୁ କୃତଜ୍ଞତା
ଯଦିବା ମୁଁ ପାଉନାହିଁ ଜୀବନର ସାର୍ଥକତା
ମାତ୍ର ଦେଇଅଛ ତୁମେ ଯେଉଁ ମହତର ଶିକ୍ଷା
କର୍ତ୍ତବ୍ୟ ହିଁ ପରମ ଈଶ୍ୱର ମୁକ୍ତିର ସେ ଦୀକ୍ଷା ।
ଭୟ ନାହିଁ ! ଅର୍ଜିଛି ଯଦି କିଛି ଅପଯଶ
ଅନ୍ୟାୟ ପାଖେ କରି ମଥାନତ ହରାଇନି ମୋ ପୌରୁଷ
ହୋଇପାରେ ସ୍ବାର୍ଥନ୍ଵେଷୀ ମୁଁ ଅମଣିଷ
ହେଲେ ମୋର ଆତ୍ମା କୁହେ ତୁ ନୁହଁ କାପୁରୁଷ ।
ଡରୁନାହିଁରେ ସମୟ ଶୁଣି ତୋ ଆହ୍ବାନ
କରିପାରେ ପ୍ରାଣପାତ ନାହିଁ ପଶ୍ଚାତଗମନ
ଦରକାର ନାହିଁ ମିଥ୍ୟା ସମ୍ମାନର କଚ୍ଛପ ଶରୀର
କରିପାରିବିନି କେବେ ନିଜ ସାଥେ ମିଥ୍ୟାଚାର ।
ଏ ନୁହଁ ମୋ ଅହଙ୍କାର କହୁଛି ମୁଁ ସତ୍ୟ
ହେଲେ କରିବିନି କଦାପି ମୋର ମଥାନତ
ଲଢ଼ିବି ମୁଁ ବୀର ପରି ଦେଉଅଛି ପ୍ରତିଶ୍ରୁତି
ନିଶ୍ଚୟ ମୁଁ ପ୍ରାପ୍ତ ହେବି ବିଜୟ ଅବା ବୀରଗତି ।
ଜୀବନ ସଂଗ୍ରାମେ କର୍ତ୍ତବ୍ୟ ଯୁଦ୍ଧକ୍ଷେତ୍ର ମୋର
ସତ୍ୟ କ୍ଷମା ତ୍ୟାଗ ତିନି ଲକ୍ଷ୍ମଣର ଗାର
ଲେଶ ମାତ୍ର ସ୍ଥାନ ନାହିଁ ଛଳ କପଟର
ପ୍ରଶ୍ନନାହିଁ ବିଶ୍ରାମର ଚାଲିଅଛି ଏ ସଂଗ୍ରାମ ମୋହର ।
କରୁଛି ପ୍ରତିଜ୍ଞା !! ହେବିନାହିଁ କେବେ ପଥଚ୍ୟୁତ
ଜୀବନର ଯୁଦ୍ଧେ ହେଲେ ହେବି ଯେତେ କ୍ଲାନ୍ତ
ଶେଷ ବିନ୍ଦୁ ରକ୍ତ ଯାଏ ଅଭିମନ୍ୟୁ ପରି
ଲଢ଼ୁଥିବି ମନ ମଧ୍ୟେ ବିଭୁଙ୍କୁ ସୁମରି ।
