ଦରଦୀ ବନ୍ଧୁ ଦରିଆ
ଦରଦୀ ବନ୍ଧୁ ଦରିଆ


ହେ ,ଦରିଆ କ୍ଷଣିକ ପାଇଁ
ସ୍ଥିରତାର ଦାସତ୍ୱ ସ୍ଵୀକାର କର ,
ଅତଳ ସାଗରେ ବନ୍ଦୀ ଜୀବନ କାହାଣୀ.....
ଲୋତକ ଭରା ପତ୍ରର ସାରଥୀ ପାଇଁ
ମୋର ପ୍ରାଣର ଅନ୍ୱେଷଣ,
ତୁମର ଶୁଭ୍ର ତରଙ୍ଗ ମାଳା ପୃଷ୍ଠରେ
ଭାସି ଯାଉ ଅନ୍ତରର ବାର୍ତ୍ତା .....
ସିକ୍ତ ନୟନର ଚିତ୍ର ପଟେ ଲେଖା ,
ବନ୍ଧୁ ପରିଜନ ପ୍ରିୟ ମାତା ପିତାଙ୍କ ପାଇଁ
ଝୁରେ ମୋର ମନ ,
ପ୍ରିୟାର ଗ୍ରୀଷ୍ମ ଉତ୍ତାପରେ ସାବିତ୍ରୀ ବ୍ରତ
ଆଷାଢେ ନନ୍ଦିଘୋଷ ଯାତ ,
ଧାରା ଶ୍ରାବଣରେ ବର୍ଷା ପ୍ରୀତି ସଂଲଗ୍ନା ....
ଚାତକ ପକ୍ଷୀ ପରି କାର୍ତ୍ତିକ ପୂର୍ଣ୍ଣିମାକୁ
ଆଶା ବାରି ଝରି ପଡୁ ଥାଏ
ଏଇ ବାଟ ଦେଇ ଆସନ୍ତା କି ସାଧବ ପୁଅ ?
ମାର୍ଗଶିରେ ସିନ୍ଧୁ ତନୟା ଫୁଟି ବାହରନ୍ତେ କି
ରତ୍ନାକର ଗର୍ଭରୁ ?
ଡେଣା ମେଲି ଶୀତ ପକ୍ଷୀ ମୋର ପତ୍ର ବାହକର
ସହାୟତା ......
ମନର ଆବେଗ ଅମାନିଆ ହୋଇ
ଲକ୍ଷ୍ୟହୀନ ମାର୍ଗରେ ଗତିଶୀଳ,
ଦୁଃସହ ଜୀବନକୁ ଦୁଃଖ ନାହିଁ
ମାତୃଭୂମି ପାଇଁ ଏମିତି ଯାତନା ତୁଛ ,
ଏଇ ସ୍ମୃତି ଶ୍ରାବଣ ବାରିକୁ ମୋ ଉତ୍କଳ
ମାଟିରେ ବର୍ଷଣ କରି ମୋର ଆତ୍ମାକୁ
ଆହ୍ଲାଦିତ କର.........।