ମାମେକଂ ଶରଣଂ ବ୍ରଜ
ମାମେକଂ ଶରଣଂ ବ୍ରଜ
ସଂସାରେ ସଭ୍ୟ ଶିକ୍ଷିତ ଆଜିର ମଣିଷ
ସଭିଏଁ ଜାଣନ୍ତି ଗୀତା ଜ୍ଞାନ ସାର ତତ୍ତ୍ବ,
ସମ୍ପୂର୍ଣ୍ଣ ସମର୍ପଣ କଲେ ରଖି ବିଶ୍ଵାସ
ପ୍ରତିପାଦିତ ହୋଇଥାଏ ତାର ମହତ୍ତ୍ଵ।
ପରଂବ୍ରହ୍ମ ପରମାତ୍ମା ଏ ସୃଷ୍ଟିର ସ୍ରଷ୍ଟା
ତାଙ୍କ ନିର୍ଦ୍ଦେଶରେ ଚାଲୁଛି ବିଶ୍ଵ ବ୍ରାହ୍ମାଣ୍ଡ,
ଜୀବନ ସହିତ ଦେଇଛନ୍ତି ବୁଦ୍ଧି ଜ୍ଞାନ
ପ୍ରୟୋଗରେ ତାର ଜୀବନ ରହେ ଅଖଣ୍ଡ।
ସତ୍କର୍ମ କରି ସାଧନ ସଂସାରେ ମଣିଷ
ହୁଏ ନମ୍ର ଶାନ୍ତ ସଂସ୍କାରୀ ସିଦ୍ଧ ସାଧକ,
କର୍ମ ଅନୁଯାୟୀ ପାଏ ଯେତେ ସୁଖ ଦୁଃଖ
ଫଳ ସବୁ ନିଷ୍ଫଳ ହୁଏ ତା' ବ୍ୟତିରେକ।
ଏକ ଧ୍ୟାନେ ରହି ସେ ନିର୍ବିକାର ପବିତ୍ର
ପ୍ରଭୁଙ୍କ ଆଶିଷେ ଲଭିଥାଏ ପୁଣ୍ୟଫଳ,
ସୁଖ ଶାନ୍ତି ଆନନ୍ଦରେ ଜୀବନ କାଟଇ
ମନ ପ୍ରାଣ ହୃଦୟ ରହେ ସଦା ନିର୍ମଳ।
ଜାଣି ସୁଦ୍ଧା ସକଳ ଜ୍ଞାନର ଏ ସିଦ୍ଧାନ୍ତ
ସେ ହେୟ ମଣି କରେ ତା' ମନ ଇଚ୍ଛା କର୍ମ,
ଅହଂ ବଶେ ହୁଏ ନିଷ୍ଠୁର ବିବେକ ଶୂନ୍ୟ
ଭୁଲିଯାଏ ମାନବିକତାର ମୂଳ ଧର୍ମ।
ଲୋଭ ମାୟା ମୋହେ ହୋଇଥାଏ ପ୍ରଭାବିତ
ହୁଏ ସେ ହୀନ ଅସାମାଜିକ ସ୍ୱାର୍ଥପର,
ଅର୍ଥ ପିପାଷୁ କ୍ଷମତା ଲିପ୍ସୁ ସ୍ଵେଚ୍ଛାଚାରୀ
ଯା' ଲାଗି ସମାଜେ ଦେଖାଯାଏ ହାହାକାର।
ସୃଷ୍ଟିର ସୁରକ୍ଷା ଲାଗି ପ୍ରଭୁ ଅବତରୀ
ଦୁଷ୍ଟି ସଂହାରି ରଖନ୍ତି ସଂସାର ଏକାକୀ,
ଚାରି ଯୁଗେ ନେଇଛନ୍ତି ଦଶ ଅବତାର
ଏ କଳିକାଳେ ରୂପ ଧରିଛନ୍ତି ଅଳକୀ।
ମାମେକଂ ଶରଣଂ ବ୍ରଜ ନହେବା ଯାଏଁ
ମଣିଷ ପାଏନା ନିସ୍ତାର ହୁଏ ହୀନସ୍ତା,
ଆତ୍ମସଂସ୍କାର ମୋକ୍ଷ ପ୍ରାପ୍ତି ଯେ ଅସମ୍ଭବ
ତା' ବିନୁ ନାହିଁ ଆଉ ଅନ୍ୟ କିଛି ବି ରାସ୍ତା।
ମହାପ୍ରଭୁଙ୍କ ଶରଣେ ଆସେ ଜାଗରଣ
ରହିଥାଏ ଯେ ସଦା ଜାଗ୍ରତ ସଚେତନ,
ଲକ୍ଷ୍ୟପଥରୁ କେବେ ହଟେ ନାହିଁ ତା' ଧ୍ୟାନ
ଶାନ୍ତ ତୃପ୍ତ ମୁକ୍ତ ହୋଇ କାଟେ ସେ ଜୀବନ।
