STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ଈଶ୍ୱର ଦୟାର ସାଗର

ଈଶ୍ୱର ଦୟାର ସାଗର

1 min
10


ସୁନ୍ଦର ପାର୍ଥିବ ସଂସାର। ସର୍ଜନା ସ୍ଵୟଂ ପ୍ରଭୁଙ୍କର।।

ସେ ଅନାଦି ଅନନ୍ତ ବ୍ରହ୍ମ। ଅବ୍ୟୟ ଅକ୍ଷୟ ଅସୀମ।।

ସୃଷ୍ଟିରେ ସତ୍ୟ ଚିରନ୍ତନ। ପ୍ରାଣୀଙ୍କର ଜୀବ ଜୀବନ।।

ସେ ସର୍ବମୟ ଶକ୍ତି ଦାତା। ସଂସାରର ଶ୍ରେଷ୍ଠ କରତା।।

ଇଙ୍ଗିତେ ଚାଲେ ଏ ଜଗତ। ଶୁଣନ୍ତି ପ୍ରାଣୀଙ୍କ ଆରତ।।

ସବୁରି ଘଟେ ଥା'ନ୍ତି ବସି। ଦିଅନ୍ତି ବିଘ୍ନ ଯେତେ ନାଶି।।

ଭାବରେ ଥିବାରୁ ସେ ରହି। ନାମ ତାଙ୍କର ଭାବଗ୍ରାହୀ।।

ଜଗତ କଲ୍ୟାଣରେ ଥାଇ। ବିପଦ ଦିଅନ୍ତି ଘୁଞ୍ଚାଇ।।

ଯୁଗେ ଯୁଗେ ସେ ଅବତରୀ। ଭକ୍ତକୁ ରଖନ୍ତି ଉଦ୍ଧାରି।।

ବ୍ରହ୍ମାଣ୍ତେ ପରମ ଦୟାଳୁ। ବିଶ୍ଵାସ ରଖନ୍ତି ଶ୍ରଦ୍ଧାଳୁ।।

ଈଶ୍ଵର ଦୟାର ସାଗର। ଭବ ସଂସାରେ ହରିହର।।

ସେ ପୂର୍ଣ୍ଣ ବ୍ରହ୍ମ ନିରକାର। ଇଚ୍ଛାରେ ନିଅନ୍ତି ଆକାର।।

ପାଳନ୍ତି ଏ ସଚରାଚର। ସେ କୃପାଳୁ କରୁଣାକର।।

ଦୁର୍ଜନ ଜନଙ୍କୁ ସଂହାରି। ପାପ ଦିଅନ୍ତି ଦୂର କରି।।

ଯେତେକ ଗର୍ବୀ ଅହଂକାରୀ। ତାଙ୍କ ନିକଟେ ଯା'ନ୍ତି ହାରି।।

ଖର୍ବ କରନ୍ତି ନରହରି । ଗର୍ବ ରଖନ୍ତିନି କାହାରି।।

ସେ ଆର୍ତ୍ତବନ୍ଧୁ ଆର୍ତ୍ତତ୍ରାଣ। ରଖନ୍ତି ଦେଇ ଯେ ଶରଣ।।

ସେ ଦୀନବନ୍ଧୁ ଜଗନ୍ନାଥ। ଅଟନ୍ତି ଅନାଥର ନାଥ।।

ସେ ବେଦ ଶାସ୍ତ୍ରର ଯେ ଜ୍ଞାନ। ଦୂରାଇ ଦିଅନ୍ତି ଅଜ୍ଞାନ।।

ଆରମ୍ଭ ଶେଷ ତାଙ୍କଠାରେ। ସେ ସର୍ବଜ୍ଞ ଏ ସଂସାରରେ।।

ବ୍ୟାପିଛନ୍ତି ଭୂମିରୁ ଭୂମା। ତାଙ୍କର ଅପାର ମହିମା।

ତାଙ୍କ ପାଦପଦ୍ମରେ ଧ୍ୟାୟୀ। ହୋଇଥାଏ ଭକ୍ତ ଆଶ୍ରୟୀ।।

ଯେତେକ ଦୁଃଖ ହୁଏ ଦୂର। ଭୟ ଭ୍ରାନ୍ତି ନଥାଏ ତାର।।

ରହେ ନୀରୋଗ ନିରାମୟ। ପବିତ୍ର କରି ତା' ହୃଦୟ।।

ସଂସାରେ ଦେଇ ସେ ଜନମ। କରାନ୍ତି ମହତ କରମ।।

ମାନବ ସେବା କରେ ଯିଏ। ତାଙ୍କର ପ୍ରିୟ ହୁଏ ସିଏ।

ମାଧବ ସେବା ଅଟେ ତାହା। ପ୍ରଭୁ ହୁଅନ୍ତି ସଦା ସାହା।।

ମନେ ପ୍ରାଣେ ତାଙ୍କୁ ହିଁ ଚିନ୍ତି। ମାନବ ପାଏ ସୁଖ ଶାନ୍ତି।।

ତାଙ୍କ ବିନା ନାହିଁ ତ ଗତି। ତାଙ୍କ ପୂଜା ଅଟେ ଭକତି।।

ସେ ଜୀବର ଜୀବନୀ ଶକ୍ତି।ତାଙ୍କ ଆଶିଷେ ମିଳେ ମୁକ୍ତି।।

ତାଙ୍କ ନାମ କଣ୍ଠରେ ଥାଉ। ଲୋଡ଼ା ନାହିଁ କିଛି ତ ଆଉ।।

ମହାପ୍ରଭୁ ମହା ମହିମ। ତାଙ୍କ ପାଦେ କରେ ପ୍ରଣାମ।।

         .




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama