ତଟିନୀର ତଟେ
ତଟିନୀର ତଟେ
କେଉଁ ଅନାଦିକାଳରୁ ବହି ଯାଇଛି ତଟିନୀଟି। କେଉଁଠାରୁ ସୃଷ୍ଟି କେଉଁଠାରେ ସମାପ୍ତି ତାହା ଜଣା ନାହିଁ। ସବୁ ଦୁଃଖକୁ ତା ସ୍ରୋତରେ ବହି ନେଇ ଚାଲିଥାଏ ଆଗକୁ ଆଗକୁ। ନିରନ୍ତର ସେ ବି ଚାଲିଛି ତା କୋଳରେ ଥିବା ଗାଁ, ସହର, ସାହି, ବସ୍ତି, ଅନାଦି ଗୋଚର ଏବଂ ଫସଲ ଜମି। ପୂରଣ କରିଛି ସମସ୍ତଙ୍କ ଚାହିଦା। ତା ଠାରୁ ଯେ ବହୁତ ଜୀଵ ଉପକାର ପାଉଛନ୍ତି ସେଥିପାଇଁ ସେ ବହୁତ ଖୁସି।ସବୁବେଳେ ସେ ହସୁଥାଏ ତା ବୁକୁରେ ଜଳରାଶି ଧାରଣ କରି। କାରଣ ସେ ଶୁଷ୍କ ନୁହେଁ ଚିରସ୍ରୋତା।
ତାହାରି ତଟରେ ବିତି ଯାଇଛି ବହୁତ ସୁଖର ମୁହୂର୍ତ୍ତ। ସେ ସବୁକୁ ସେ ମନ ଭରି ଉପଭୋଗ କରିଛି। ଅନେକ ଋତୁରେ ସେ ନିଜକୁ ରଙ୍ଗେଇଛି ହଜେଇଛି। ପ୍ରକୃତିର ରଙ୍ଗ ରୂପରେ ନିଜକୁ ସଜେଇଛି। ତା ସ୍ମୃତିରେ ସେ ସାଇତି ରଖିଛି ଅନେକ ଅତୀତ। ଇତିହାସର ସେ ମୁକ ଦ୍ରଷ୍ଟା। ବସନ୍ତ ଆସିଲେ ଵୃକ୍ଷ ରାଜିରେ ନୂତନ ପତ୍ରର ସମାଗମ ହୁଏ। ପତ୍ର ସମୂହର ପ୍ରତିବିମ୍ବ ତଟିନୀରେ ପ୍ରତିଫଳିତ ହୁଏ। ସତେ ଯେପରି ତା ଜଳ ସବୁଜ ରଙ୍ଗ ଧାରଣ କରିଛି। ସେ ଆତ୍ମ ବିଭୋର ହୋଇଯାଏ ସବୁଜ ରଙ୍ଗର ବସ୍ତ୍ର ପିନ୍ଧି। ବର୍ଷା ଋତୁ ତା ପାଇଁ ସବୁଠାରୁ ଆନନ୍ଦ ଦାୟକ। ଘନ ଘନ ବର୍ଷା ଜଳରେ ତା ବୁକୁ ଫୁଲିଉଠେ। ଜଳପୂର୍ଣ୍ଣ ହୋଇ ତା ତନୁ ଝଲସି ଉଠେ ଏକ ନିଆରା ମାଦକରେ। ଅତି ପ୍ରଖର ବେଗରେ ବହି ତାର ଖୁସି ପ୍ରଦର୍ଶନ କରେ। ତଟିନୀର ତଟକୁ ଯେବେ ଜଳରାଶି ଚୁମି ଫେରିଯାଏ ସେ ଆତ୍ମହରା ହୋଇଯାଏ। ଗ୍ରୀଷ୍ମର ପ୍ରବଳ, ପ୍ରଚଣ୍ଡ ତେଜରେ ତୁଷାର୍ତ୍ତ ପଶୁ, ପକ୍ଷୀଙ୍କୁ ଜଳରେ ଆପାୟିତ କରି ପରମ ତୃପ୍ତି ଲାଭ କରେ।
ସବୁ ସ୍ମୃତି ଅପେକ୍ଷା ଗାଁ ଦେଇ ବହିଲା ବେଳର ସ୍ମୃତି ହୃଦୟକୁ ଛୁଇଁ ଯାଏ । ତା'ରି ପଠାରେ ଗାଁ ପିଲାଙ୍କର ଜାତି ଜାତିକା ଖେଳ। ସକାଳର ବାଳୁତ ସୂରୁଜ ଯେବେ ଅଳସ ଭାଙ୍ଗି ଉଦୟ ହୁଏ। ସେବେ ସୁନେଲି କିରଣ ତା ଜଳରାଶିରେ ପଡି ସୁନା ଜଳ ପରି ବିଦ୍ୟମାନ ହୁଏ। ସତେ ଯେପରି ଲାଜେଇ ତଟିନୀ ସୁନେଲି ପାଟ ପିନ୍ଧିଚି। ଗାଁ ଝିଅ ବୋହୂ ମାନେ ତା'ରି ତଟରେ ମେଳି ହୁଅନ୍ତି ସ୍ନାନ ନିମନ୍ତେ। ସେମ
ାନେ ମାଖିଥିବା ହଳଦୀର କିଛି ଭାଗ ତଟିନୀ ମଧ୍ୟ ଦେହରେ ବୋଳି ହୋଇଯାଏ। ସବୁଠାରୁ ବେଶୀ ଭଲ ଲାଗେ ଯେବେ କିଏ ସ୍ନାନ ସାରି ସୂର୍ଯ୍ୟ ଦେବଙ୍କ ଉଦ୍ଦେଶ୍ୟରେ ଜଳ ତର୍ପଣ କରେ। ସେ ନିଜକୁ ଭାରି ପୂଣ୍ୟମୟୀ ମନେ କରେ। ପୂଣ୍ୟତୋୟା ତଟିନୀର ଜନ୍ମ ସାର୍ଥକ ହୋଇଯାଏ।
ସେ ସବୁବେଳେ ଚାହିଁ ବସିଥାଏ କୁଆଁରୀ ଝିଅର ବାଟକୁ। ବାଡୁଅ ପାଣିରେ ଗାଧୋଇବା ପାଇଁ ସେ ତା'ରି ତଟକୁ ଆସିବ। ବିସ୍ତାରିତ ସିକତା ରାଶିରେ ପାଦ ଥାପି ଥାପି ନୂପୁର ନିକ୍ଵଣ ବଜାଇ। କୁଆଁରୀ ଝିଅଟି ପରି ତଟନୀର ତନୁ ମନରେ ମଧ୍ୟ ଶିହରଣ ଖେଳିଯାଏ। ତା'ରି ଜଳରେ କୁଆଁରୀ ସ୍ନାନ କରି ଜୀବନର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରେ।ଏମିତି ଅନେକ ସୁଖଦ ସ୍ମୃତିକୁ ସେ ତା ମାନସ ପଟରେ ସାଇତି ରଖିଥାଏ।
ସୁଖ ଦୁଃଖ ତ ଜୀବନରେ ଲାଗି ରହିଛି। ତା' ବେଳାଭୂମିକୁ ମଧ୍ୟ ଦୁଃଖ ଛୁଇଁଥାଏ। ବିଧାତା ତା ଭାଗ୍ୟରେ ପରମ ଆଉ ଚରମ ଦୁଃଖ ଖଞ୍ଜିଛି।ତା ତଟ ବି ଥରେ ଥରେ ଆକୁଳ କ୍ରନ୍ଦନରେ ଥରି ଉଠେ। ଯେତେବେଳେ ଜଣେ ନାଲି ବସ୍ତ୍ର ପରିହତ ସଧବାଟି ତାରି ତଟରେ ସର୍ବସ୍ୱ ତ୍ୟାଗକରି ବୈଧବ୍ୟକୁ ଆପଣେଇ ନିଏ। ବିଧବାଙ୍କ ଗହଣରେ ଆସି ହାତର ଶଙ୍ଖା ତାରି ତୁଠରେ ଭାଙ୍ଗି ସମର୍ପି ଦିଏ।ଟୁକଡା ଶଙ୍ଖା ତା ଗର୍ଭରେ ଲୀନ ହୋଇଯାଏ। ମଥାରେ ସିନ୍ଦୂର ଧୋଇହୋଇ ତଟନୀର ଜଳ ରକ୍ତର ଭ୍ରମ ସୃଷ୍ଟି କରେ। ବିଧବା ଆଖିର ଅଶ୍ରୁଧାର ତଟନୀର ମଧୁର ଜଳକୁ ଲବନାକ୍ତ କରିଦିଏ। ଗୋଟେ ପଟେ କୁଆଁରୀ ଝିଅର ବାଡୁଅ ପାଣିରେ ଗାଧୁଆ ସହ ଅନ୍ୟ ପଟରେ ସାଧବାର ବିଧବାକୁ ପରିବର୍ତ୍ତନ। ତାର ଗୋଟେ ତଟ ଖୁସିରେ ଆତ୍ମହରା ହେଉଥିବା ବେଳେ ଅନ୍ୟ ପଟ ଦୁଃଖରେ ମ୍ରିୟମାଣ ହୋଇଥାଏ।
ତଟିନୀର ତଟେ ଅନେକ କିଛି ଘଟେ।ସୁଖ ଘଟେ ଦୁଃଖ ଘଟେ।ସବୁ ସ୍ମୃତିକୁ ସମ୍ମିଶ୍ରଣ କରି ସେ ବହିଚାଲେ ନିରନ୍ତର ଆଗକୁ। ସୁଖର କ୍ଷଣ ଉପଭୋଗ କରିଛି ଯେତେବେଳେ ଦୁଃଖର ଗଣ୍ଠିଲିକୁ ବୋହିବାକୁ ପଡିବ। ଦୁଃଖକୁ ଦେଖି ଗତିପଥ ବଦଳେଇବାର କ୍ଷମତା ତା'ର ନାହିଁ। ବିଧିର ବିଧାନ, ବିଧାତାର ଲିଖନରୁ ସେ ବା କିପରି ବାଦ ଯିବ!