ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ଡିମିରି ଗଛ

ଡିମିରି ଗଛ

4 mins
163



ରୋଜାର କ'ଣ ବା ଦୁଃଖ।ମନ ଲାଖି ବର ପାଇଛି।ରୂପରେ ଯେମିତି ଗୁଣରେ ସେମିତି।ଧନ ଆଧିପତ୍ୟ ରେ ଟିକେ ବି ଉଣା ନାହିଁ।ସମସ୍ତେ କୁହନ୍ତି," ଜାଣିଲୁ ରୋଜା, କେଉଁ ଜନ୍ମରେ କି ପୁଣ୍ୟ କରିଥିଲୁ ଯେ ସମୀର ଭଳି ସ୍ବାମିଟିଏ ପାଇଲୁ।କୋଟିଏ ରେ ଗୋଟିଏ।ରୂପରେ ଯେମିତି ଗୁଣରେ ମଧ୍ୟ ସେମିତି।ପୁରା ତ ରାଜକୁମାର।ଆଜି କାଲିକା ଦୁନିଆରେ ଏ ଭଳି ପିଲା ବିରଳ।ତୋର ଆଉ ଦୁଃଖ କ'ଣ!ତୁ ତ ମହାରାଣୀ ଭଳି ଅୟେଶ କରିବୁ"।ରୋଜା ହସିଦିଏ ଏ କଥା ଶୁଣି।କାହିଁକି ନା ରୋଜା ବି ଅନୁଭବ କରିପାରିଛି ବାହାଘରର ମାତ୍ର ଛ' ମାସ ଭିତରେ ତା' ପ୍ରତି ସମୀରର ବ୍ୟବହାରରୁ।


   ସମୀର ପ୍ରତି ରୋଜାର କେବେ ଭଲ ପାଇବା କମ ହେଇନି କି ସମୀର କେବେ ରୋଜା ଉପରେ ସ୍ୱାମୀ ପଣିଆ ଜାହିର କରିନି।କେବେ ଦାୟିତ୍ୱ, କର୍ତ୍ତବ୍ୟକୁ ଲଦି ଦେଇନି।କେବେ ଅଧିକାର ସାବ୍ୟସ୍ତ କରିନି କି କୌଣସି କାମରେ ରୋକ୍ ଲଗେଇନି।


 ଏମିତି ଦିନ ପରେ ଦିନ ଗଡି ଯାଉଥାଏ।ଉଭୟଙ୍କ ଭଲ ପାଇବାର ରଙ୍ଗ ଗାଢ଼ ହେଇଯାଉଥାଏ।କର୍ମ ବ୍ୟସ୍ତ ଜୀବନରେ ଉଭୟ ଉଭୟଙ୍କୁ ଉଚିତ ସମୟ ଦେଇପାରିଥାନ୍ତି।


 ବେଳେବେଳେ ବାରିପଟ ବଗିଚାରେ ଦୁହେଁ ସନ୍ଧ୍ୟା ଅତିବାହିତ କରନ୍ତି। ଗୋଟେ ଦିନ ଦୁହେଁ ବସି କଥାବାର୍ତ୍ତା ହେଉଥିଲା ବେଳେ ରୋଜାର ହଠାତ ନଜର ପଡିଲା ଗୋଟିଏ ବଡ଼ ଗଛ ଉପରେ।ରୋଜା ସମୀରକୁ ପ୍ରଶ୍ନ କଲା,"ଏଇଟା କେଉଁ ଗଛ? ବହୁତ ବଡ଼ ହୋଇଛି।ଆଉ ଫଳ ବହୁତ ହୋଇଛି।"ସମୀର କହିଲା ଏଇଟା ଡିମିରି ଗଛ।ବହୁତ ଉପାଦେୟ ଗଛଟି।


 ଇତି ମଧ୍ୟେ ବାହାଘର ଦୁଇ ବର୍ଷ ବିତିଗଲାଣି।ଉଭୟଙ୍କର ଇଚ୍ଛା ଛୁଆଟିଏ ପାଇଁ।ଡାକ୍ତରଙ୍କୁ ପରାମର୍ଶ କରି ସମୀର ଜାଣିପାରିଲା ଯେ ରୋଜା କେବେ ମା' ହେଇପାରିବନି। ସମୀରର "ବାପା" ହେବାର ସ୍ୱପ୍ନ ଭାଙ୍ଗିଯାଇଥିଲା କିନ୍ତୁ ରୋଜା ପ୍ରତି ଭଲ ପାଇବା କମିନଥିଲା।ଭାଗ୍ୟର ଲିଖନ ଆଉ ଭାଗବାନଙ୍କ ଇଛା ବିରୋଧରେ କିଛି ବି ହୁଏନି।ଗଛର ପତ୍ର ବି ହଲେନି।ଆଉ ସମସ୍ତଙ୍କୁ ସବୁ ଖୁସି ମିଳେନି।ୟେ ତ ରୋଜାର ଭାଗ୍ୟ।


  ରୋଜାକୁ ଏବଂ ଘର ଅନ୍ୟ ସଦସ୍ୟଙ୍କୁ କିନ୍ତୁ ସମୀର ଏ ବିଷୟରେ କିଛି ଜଣେଇ ନଥିଲା।ଜଣେଇବାକୁ ଚାହୁଁଥିଲେ ମଧ୍ୟ ସାହସ ଜୁଟେଇ ପାରୁନଥିଲା। ଯେଉଁ କଥାଟା ସେ ନିଜେ ଜାଣିଲା ପରେ ସହଜରେ ବିଶ୍ୱାସ କରିପାରିନି ସେ କଥାକୁ ସେ ରୋଜାକୁ ବା କେମିତି ଜଣେଇବ। ହେଲେ ଏଇଟା ବି କୋଉ ଲୁଚି ରହିବା ପରି କଥାଟିଏ ଯେ।କେବେ ନା କେବେ ତ ପଦାକୁ ଆସିବ।


  ମନ ଦୃଢ଼ କରି ଦିନେ ସମୀର ରୋଜାକୁ ଏକଥା କହିଲା। ସମୀର କଥା ଶୁଣି ରୋଜା ଉପରେ ଯେମିତି ଆକାଶ ଛିଡିପଡିଲା।ନାରୀ ଜୀବନର ପୂର୍ଣ୍ଣତା ହି ତ ମାତୃତ୍ବରେ ଥାଏ।କିନ୍ତୁ ଯେଉଁ ନାରୀ ମାଆ ହୋଇପାରିବନାହିଁ ସେ ଗୋଟେ ହାତଭାଗିନୀ ନୁହେଁ ତ ଆଉ କଣ! ନାରୀର କେତେ ଯେ ନାଁ ସେଥିରେ ପୁଣି ବାଞ୍ଝ ନାଁ ଟା ଯୋଡିଦିଏ ଏ ସମାଜ।ଭାରି କଷ୍ଟଦାୟକ ଏ ନାଁ।


  କଥାରେ ଅଛି ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି।ରୋଜା ମାନସିକ ସ୍ତରରେ ଭାଙ୍ଗି ପଡ଼ିଲା।ଶାରାରୀକ ଅବସ୍ଥା ବି ଠିକ୍ ରହିଲାନି।ରୋଜାକୁ ଯଥାସାଧ୍ୟ ଖୁସିରେ ରଖିବାକୁ ସମୀରର ସବୁ ଚେଷ୍ଟା ବିଫଳ।ସାଇ ପଡିଶା ଏବଂ ଶାଶୁଙ୍କ ଠାରୁ ଏଥିପାଇଁ ପଦେ ଅଧେ ଶୁଣିବାକୁ ବି ପଡିଲା ରୋଜାକୁ।ବେଡି ଉପରେ ଲଳିତା ବିଡା ପରି ତାକୁ ମନେ ହେଉଥିଲା ସେ ଟାହି ଟାପର।


  ଥରେ ତ ପଡ଼ିଶାଘର ଖୁଡିଶାଶୁ ଆସି ରୋଜାର ଶାଶୁକୁ କହିଲେ ,"ବାଡ଼ିପଟେ ସେ ଡିମିରି ଗଛକୁ ହାଣିଦିଅ।ଅଶୁଭ ଗଛଟିଏ।ଆଉ ଯେଉଁ ଜିନିଷର ଆବଶ୍ୟକତା ନ ଥାଏ ବା ଉପକାରରେ ଲାଗିନଥାଏ ସେଇଟା ରଖି କି ଲାଭ!ସେ ମଣିଷ ହେଉ କି ଗଛ।ତୋ ବୋହୂର ପିଲାଟିଏ ହଉନି ଯଦି କିଛି ଗୋଟେ ବ୍ୟବସ୍ଥା କର୍।ଏମିତି ଗୋଡ଼ ଉପରେ ଗୋଡ଼ ପକେଇ ପାନ ଖିଲଟି ଯାକି ବସିଲେ କଣ ହବ।କୂଳରକ୍ଷା କିଏ କରିବ!" ଅବଶ୍ୟ ଖୁଡିଶାଶୁଙ୍କ କଥା ଶୁଣି ରୋଜାର ଶାଶୁ କିଛି କହିଲେନି।ଚୁପ୍ ରହିଲେ।କିନ୍ତୁ ଖୁଡିଶାଶୁଙ୍କ କଥାରୁ ରୋଜା ଠିକ୍ ଅନୁମେୟ କରିପାରିଥିଲା ତାଙ୍କ କଥାର ଗତି କେଉଁଆଡ଼େ ନିର୍ଦ୍ଦେଶ ଦେଉଛି।


  ସୁବିଧା ଦେଖି ସମୀରକୁ ରୋଜା କହିଲା," ହେଇଟି ଶୁଣୁଛ, ବାଡ଼ି ପଟେ ଥିବା ଡିମିରି ଗଛଟିକୁ ହାଣିଦିଏ।ସେଇଟା ଘର ପାଇଁ ଅଶୁଭ।ତାର କୋଉଠି ଫୁଲ ହୁଏନି।ଆମ ଘର ଉପରେ ତା'ର ଖରାପ ପ୍ରଭାବ ପଡୁଛି"।ରୋଜା କଥା ଶୁଣି ସମୀର ହସି କହିଲା," ଏଇଟା ତ ତୁମ ଭାଷା ନୁହଁ, କାହା ଠାରୁ ଶୁଣିଛ ବୋଧହୁଏ।ତେବେ ଶୁଣି ରଖ ଡିମିରି ଗଛ ବିଷୟରେ।ଏହାର ଫଳ ମଧ୍ୟରେ ଫୁଲ ଥିବାରୁ ଲୋକେ ଫଳର ବାହାରେ ଫୁଲ ନ ଦେଖି ଭ୍ରମରେ ବିଚାରନ୍ତି ଯେ ଡିମ୍ୱିରି ଗଛର ଫୁଲ ନାହିଁ।ତେଣୁ ଅଶୁଭ।"ସମୀରକୁ ଅଟକାଇ ରୋଜା କହିଲା,"ମୁଁ ମାଆ ହୋଇପାରିବିନି ଆଉ ତୁମକୁ ବାପା ହେବାର ସୌଭାଗ୍ୟ ବି ଦେଇପାରିବିନି।ଏ ଘରକୁ ଉତ୍ତରାଧିକାରୀ କଥା ଭାବ।ମୋ କଥାରେ ଯଦି ଏକମତ ହୁଅନ୍ତ ତେବେ ଗୋଟେ କଥା କୁହନ୍ତି।ତୁମେ ଦ୍ୱିତୀୟ ବିବାହ କରିନିଅ।" ରୋଜାର କଥା ଶୁଣି ସମୀର ଆଖି ଛଳ ଛଳ କରି କହିଲା," କେମିତି ଭାବିପାରିଲ ତୁମେ ଏ କଥା।ତୁମେ ଜାଣ ଏମିତି ମୁଁ କେବେ କରିପାରିବିନି।ତୁମେ ଯଦି ମାଆ ନ ହୋଇପାରି ଜୀବନ ସାରା ରହିପାରିବ ତେବେ ମୁଁ କାଇଁ ନୁହେଁ।ତୁମେ କଣ ଜାଣନାହିଁ ମୁଁ ତୁମକୁ କେତେ ଭଲ ପାଏ।ତୁମେ ଜାଣ ମୁଁ ଏ କାମ କରିପାରିବିନି।କିନ୍ତୁ ଆଉ ଗୋଟେ ବିକଳ୍ପ ମଧ୍ୟ ଅଛି। ରୋଜା ବ୍ୟଗ୍ରର ସହ ପଚାରିଲା ତେବେ ବିକଳ୍ପଟି କୁହ।ସମୀର କହିଲା," କେଉଁ ଏକ ଅନାଥ ଆଶ୍ରମକୁ ଯାଇ ଛୁଆଟିଏ ଆପଣେଇ ନେବା"।


   ସମୀରର କଥା ଶୁଣି ରୋଜାର ଆନନ୍ଦଶ୍ରୁ ବୋହିଯାଉଥିଲା। ସମୀର ରୋଜାକୁ ତୁନି କରିବାକୁ ଯାଇ ଆଶ୍ୱାସନା ଦେଇ କହୁଥିଲା ଯେ ସବୁର ଉର୍ଦ୍ଧରେ ମା'ର ମମତା ସେ ଦେବକୀ ହେଉ ବା ଯଶୋଦା। ମାଆଟିଏ ହେବା ପାଇଁ ଛୁଆଟିଏ ଜନ୍ମ କରିବା ଦରକାର ନୁହେଁ ବରଂ ମାଆ ପରି ମନଟିଏ ଦରକାର।ସ୍ନେହ,ମମତାର ପଣତଟିଏ ଦରକାର। ବିପଦରୁ ରକ୍ଷା କରିପାରିବା ଆଉ ଆଶୀର୍ବାଦ ପାଇଁ ହାତଟିଏ ଦରକାର।ତୁମେ ମାତୃତ୍ବ ଲାଭ ନ କରିପାର କିନ୍ତୁ ଉପଯୁକ୍ତ ମାଆଟିଏ ହୋଇପାରିବ।ଅନ୍ତ ଚିରି ଜନ୍ମ ନ ଦେଇପାରୁଥିବା ନାରୀଟିଏ ଅନ୍ତରରୁ ଭଲ ପାଇପାରେ।ତୁମେ ମାଆ ପରି ମାଆଟିଏ ହେବ ନିଶ୍ଚୟ।


  କିଛି ଦିନ ପରେ ଘର ଲୋକଙ୍କୁ ବୁଝାସୁଝା କରି ଉଭୟ ମନେଇନେଲେ ଛୁଆଟିଏ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ।ରୋଜା ବାଡିପଟ ବଗିଚାରେ ବସି ଡିମିରି ଗଛକୁ ଦେଖି ଭାବୁଥାଏ,"କିଏ କହିଲା ଡିମିରି ଗଛ ଅଶୁଭ!ପାଗଳ ହିଁ ଏମିତି ପ୍ରଳାପ କରନ୍ତି।ଫୁଲକୁ ଦେଖି ନ ପାରି ଦୁନିଆ ତାକୁ ଅଶୁଭ କୁହେ ହେଲେ ଡିମିରି ଫଳ ତା' ଭିତରେ ଫୁଲକୁ କେତେ ଯତ୍ନରେ ବାହାର ଦୁନିଆ ଠାରୁ ସୁରକ୍ଷିତ ରଖିଛି।ନହଲେ ବାକି ଗଛର ଫୁଲ ତ କିଛି ଦିନ ପରେ ଝାଉଁଳି ଝଡିପଡ଼େ।


Rate this content
Log in

Similar oriya story from Tragedy