Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

ପ୍ରିୟଦର୍ଶିନୀ ମହାନ୍ତି

Drama Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Drama Tragedy

ପାପୀ ନୁହଁନ୍ତି ସବୁ ପୁରୁଷ

ପାପୀ ନୁହଁନ୍ତି ସବୁ ପୁରୁଷ

4 mins
365



 ଖୁବ କ୍ଷୋଭ ପ୍ରକାଶ କରେ ମିତା ଏଇ ପୁରୁଷ ଜାତି ଉପରେ। କ୍ଷୋଭ କରିବାର କାରଣ ମଧ୍ୟ ବଳିଷ୍ଠ।ପୁରୁଷ ପ୍ରଧାନ ସମାଜରେ ନାରୀ କାଳେ ଗୌଣ ବୋଲି ଶୁଣିଛି ସେ ଆଉ ପରଖିଛି ମଧ୍ୟ।ବିବାହ ପୂର୍ବରୁ ଝିଅଟି ଜଣେ ପୁରୁଷ ନାମରେ ପରିଚିତା ଯାହାଙ୍କ ନାଁ"ବାପା" । ଆଉ ବିବାହ ପରେ ସ୍ବାମୀ ନାମ ଧାରୀ ପୁରୁଷ ନାଁ ରେ ସମାଜରେ ବଞ୍ଚିବାକୁ ପଡେ। ବାପାଙ୍କ ପରିଚୟ ମିତା ଜାଣେ ନାହିଁ ସେଥିପାଇଁ ତ ସେ ଆଜି ସଭିଙ୍କ ତାତ୍ସଲ୍ୟର ଶିକାର। ପରିଚୟ ଜାଣିବ ବା କେମିତି! ହେତୁ ପାଇବା ଦିନ ଠାରୁ ଦେଖିନି କେବେ।ତା' ମାଆ ଆଉ ସେ, ଦୁହେଁ ଦୁହିଁଙ୍କ ପରିବାର।ବାପା ବିଷୟରେ ଜାଣିବାର ଇଚ୍ଛା ତା'ର ବଳବତ୍ତର ହେଲାଣି।ମାଆକୁ ପ୍ରଶ୍ନ କରିବା ବୃଥା। ଅନେକ ଥର ସେ ମାଆକୁ ପଚାରିଛି ତା' ମନର ପ୍ରଶ୍ନ, କିନ୍ତୁ ମାଆ ସବୁ ଥର କିଛି ନା କିଛି କହି କଥା ଟାଳିଦିଏ।କେବେ ରାଗି, କେବେ ଗାଳି କରି ମିତାର କଥାକୁ ଏଡାଇଦିଏ।


  ମିତାର କିନ୍ତୁ ଏକା ଜିଦ ସେ ଜାଣିବାକୁ ଚାହେଁ ତା ବାପା ବିଷୟରେ। ମାଆ ମିତାକୁ କହିଥିଲେ ଯେ ତା ବାପା ଆଉ ଏ ଦୁନିଆରେ ନାହାନ୍ତି।ତା'ର ଜନ୍ମ ହେବାର ଚାରି ବର୍ଷ ପରେ ସ୍ୱର୍ଗବାସ ହୋଇଗଲେ। ମାଆଙ୍କ କଥାରେ ମିତା ମନର ଦ୍ଵନ୍ଦ ଧୋଇଯାଇଥିଲା।


  ବୟସ ବଢ଼ିବା ସହ ମିତା ଜାଣିପାରିଲା ଯେ ମାଆ କହିଥିବା କଥା ସମ୍ପୂର୍ଣ୍ଣ ମିଥ୍ୟା। ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀ ବିଧବା ହୁଏ, କିନ୍ତୁ ମାଆ ତ ଶଙ୍ଖା ସିନ୍ଦୁର ପିନ୍ଧୁଛି।ତେବେ ମା' ଛୋଟବେଳେ ମନରଖିବା ପାଇଁ ନିଶ୍ଚୟ ମିଛ କହିଛି।

  

  ଏବେ ମିତାକୁ ବାଇଶି ବର୍ଷ।ସମାଜକୁ ପରଖିବାର ବୟସ ତାର ଆସିଗଲାଣି। ଭୂଲ ଠିକ୍ ର ତର୍ଜମା ସେ ବେଶ ଭଲ ଭାବେ କରିପାରୁଛି।ବୟସର ପ୍ରତି ପାହାଚରେ ଲୋଡ଼ା ପଡେ ପରିଚୟ।ଜନ୍ମସ୍ଥାନର ଠିକଣା ଦେବା ପୂର୍ବରୁ ଲୋଡ଼ା ପଡେ ଜନ୍ମଦାତାଙ୍କ ଠିକଣା। ହଜିଯାଇଛି ତା' ଜନ୍ମଜାତକ କେଉଁ ଅନ୍ଧାରି ମୂଲକରେ। ନିଜେ ନିଜ ଭିତରେ ଆଉ ଚାରି ପାଖରେ ଖୋଜେ ତା' ମୂଳଦୁଆ।


  ବହୁତ ଥର ସେ ଦେଖିଚି ସୁନାସାନ ରାତିରେ ସବୁ ଶୋଇଗଲା ପରେ ମାଆର କଇଁ କଇଁ କାନ୍ଦ।।ଶୋଇବାର ଅଭିନୟ କରି ମିତା ଦେଖିଚି ମାଆ ତା' ଅଣ୍ଟା ସୁତାରେ ଝୁଲୁଥିବା ଚାବିରେ ପୁରୁଣା ସିନ୍ଦୁକକୁ ଖୋଲି ଫଟଟିଏ ବାହାର କରିବାର।ଆଉ ଦେଖିଛି ଫଟଟିକୁ ଛାତିରେ ଚିପି ବୁକୁଫଟା କାନ୍ଦ। ମାଆର ଏ ଦୟନୀୟ ପରିସ୍ଥିତି ଦେଖି ମିତା ଅନୁମାନ କରି ସାରିଥାଏ ତା' ବାପା ମାଆକୁ ଛାଡି ଚାଲିଯାଇଛନ୍ତି। ସେଥିପାଇଁ ମିତାର କେବଳ ନିଜ ବାପା ନୁହଁ ସମଗ୍ର ପୁରୁଷ ଜାତି ଉପରେ ଘୃଣା।କେତେ ସ୍ୱାର୍ଥପର ସତେ ଏ ପୁରୁଷମାନେ! ସ୍ୱାର୍ଥ ସାଧନ ହେଲା ପରେ ସ୍ତ୍ରୀ ଜାତି ଉପରେ ଥୁ କରି ଚାଲିଯାନ୍ତି।


  ମିତାର ଆର୍ଥିକ ସ୍ଥିତି ସ୍ଵଚ୍ଛଳ ନୁହେଁ।ମାଆ କୁ ମଧ୍ୟ ବୟସ ହୋଇଗଲାଣି ।ତେଣୁ ଘରର ଆବଶ୍ୟକତା ତାକୁ ହିଁ ମେଣ୍ଟାଇବାକୁ ପଡିବ। କିଛି କାମର ଖୋଜରେ ମିତା ସକାଳ ନଅ ରୁ ଘରୁ ବହାରିଯାଏ।ବହୁତ ଖୋଜା ଖୋଜି ପରେ ମିତାକୁ ମିଳିଗଲା ଏକ ଲୁଗା ଦୋକାନରେ କାମ। କାମ ସାରି ଘରକୁ ବିଳମ୍ବିତ ରାତ୍ରିରେ ଫେରେ।


   ଥରେ ମିତା ଦୋକାନରୁ ଘରକୁ ଫେରିଲା ବେଳେ ତାକୁ ଲାଗିଲା କିଏ ଜଣେ ତାକୁ ଅନୁସରଣ କରୁଛି । ଛାଇରୁ ଲାଗୁଛି ଏହା ନିଶ୍ଚୟ ପୁରୁଷର।ମିତା ଖୁବ ଡରିଗଲା। ନିଜ ପାଦର ଗତି ତୀବ୍ର କରି ଚାଲିବାକୁ ଲାଗିଲା।କିନ୍ତୁ ପଛକୁ ବୁଲି ଚାହିଁବାକୁ ତାର ସାହାସ ହେଲାନି।କିଛି ସମୟ ପରେ ଲକ୍ଷ କଲା ଛାଇଟି ଆଉ ଦିଶୁନି।ମିତା ଟିକେ ଆଶ୍ୱସ୍ତି ଅନୁଭବ କଲା।


  ଏମିତି ଥରେ ନୁହେଁ ପ୍ରତି ଥର ସେ ଛାଇର ସମ୍ମୁଖିନ ହୋଇଛି ମିତା କିନ୍ତୁ ପ୍ରକୃତ ପୁରୁଷଟିର ସାମ୍ନା କରିନି।ଥରେ ମିତା ମନ ଟାଣ କରି ଏ ଛାଇ ପଛର ରହସ୍ୟ ଜାଣିବାକୁ ଚାହିଁଲା।

  

  ସେଦିନ କାମରୁ ଫେରିବା ପରେ ମିତା କ୍ଷେତ୍ରରେ ସମାନ ଘଟଣା ଘଟିଲା।ମିତା ଦମ୍ଭର ସହ ପଛକୁ ବୁଲି ଅଜଣା ପୁରୁଷଟିକୁ ଅନୁସରଣ କଲା। ମିତା ଅନୁସରଣ କରିବା ଦେଖି ସେ ଧାଇଁବାକୁ ଲାଗିଲା। ମିତା ମଧ୍ୟ ପଛେ ପଛେ ଧାଇଁଲା। ପୁରୁଷଟି କିନ୍ତୁ ଆଉ ଧାଇଁ ନ ପାରି ବସିପଡି ମଝି ରାସ୍ତାରେ କାଶିବାକୁ ଲାଗିଲା। ମିତା ସେ ସ୍ଥାନରେ ପହଂଚିଯାଇ ଟର୍ଚ୍ଚ ମାରିଲା ଲୋକଟିର ମୁହଁକୁ। ଅତି ତରବରିଆ ହୋଇ ପୁରୁଷଟି ମୁହଁ ଲୁଚେଇଦେଲା ତା' ଦୁଇ ପାପୁଲିରେ।


   ମିତା ପୁରୁଷଟିର ବାହୁକୁ ଧରି ଉଠାଇ ରାସ୍ତାର ଏକ ପାର୍ଶ୍ଵକୁ ଆସିଲା।ମିତା ଦେଖୁଥିଲା ତା'ର ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ। ଜରାଜୀର୍ଣ୍ଣ, ମଧ୍ୟ ବୟସ୍କ,ମୁହଁରେ ଦାଢ଼ି, ମୁଣ୍ଡରେ ଚୁଟି କାନ୍ଧ ଛୁଉଁଛି ଲୋକଟିର।ଅଜବ ବେଶ ଧାରୀ ପୁରୁଷଟିକୁ ଦେଖି ସେ ଡରିଗଲା। ତଥାପି ସେ ସାହାସ କରି ରାଗିଯାଇ ପଚାରିଲା," କିଏ ତୁମେ? କ'ଣ ପାଇଁ ମତେ ସବୁବେଳେ ଅନୁସରଣ କରୁଛ?କ'ଣ ଚାହଁ ମୋ ଠାରୁ?କ'ଣ ତୁମ ଉଦ୍ଦେଶ୍ୟ?"ସେଇ ଅଜଣା ପୁରୁଷର ଆଖି ଛଳ ଛଳ ହୋଇଗଲା। ସ୍ନେହପୂର୍ଣ୍ଣ କଣ୍ଠରେ କହିଲା," ମା'...!!

  

 ଏଇ ପଦୁଟିଏ ଡାକରେ ମିତାକୁ ଆତ୍ମତୃପ୍ତି ମିଳିଗଲା। ଖୁବ ଆପଣାର ଥିଲା ଏ ମାଆ ଡାକଟି।ସତେ ଯେପରି ତା' କାନ ଏ ପଦକ ଶୁଣିବାକୁ ବ୍ୟଗ୍ର ଥିଲା।


  ମିତା ଅତି ଆବେଗରେ ପଚାରିଲା," କିଏ ତୁମେ କଣ ତୁମ ପରିଚୟ।" ପୁରୁଷଟି ନିଜର ପରିଚୟ ଦେବାକୁ ଯାଇ କହିଲା,"ମୁଁ ସେଇ ହାତଭାଗା ବାପା, ଯିଏ ଦିନେ ତୁମ ମାନଙ୍କୁ ଛାଡି ଚାଲିକାଇଥିଲା।" ପୁରୁଷଟିର କଥା ଶୁଣି ମିତା ଏକବାର ଅବାକ୍ ହୋଇଗଲା।ସେ ଖୁସି ହେବ, କାନ୍ଦିବ ନା ଅଭିମାନ କରିବ ଜାଣିପାରିଲାନି। 


  ଏଇ ଅଜଣା ଛାଇଟି ଯେ ତା'ର ଏତେ ନିଜର ବୋଲି ସେ ସ୍ୱପ୍ନରେ ବି ଭାବିନଥିଲା। ବାପାର ପରିଚୟ ଖୋଜି ବୁଲୁଥିବା ମିତା ଉତ୍କଣ୍ଠାର ସହ ପଚାରିଲା ," ବାପା, ତୁମେ କ'ଣ ପାଇଁ ଆମକୁ ଛାଡି ଚାଲିଯାଇଥିଲ? କ'ଣ କାରଣ?" ମିତାର ବାପା ଉତ୍ତର ଦେଲେ,"ତୋ ଜନ୍ମର ତିନି ବର୍ଷ ପରର କଥା। ମୋ ଦେହ ଖରାପ ହେତୁ ଡାକ୍ତରଖାନା ଯାଇଥିଲି। ଡାକ୍ତର ଅଶୋଧିତ ଇଂଜେକସନ ଦେବା ଫଳରେ ମୋ ଦେହରେ ଏଚ.ଆଇ.ଭି ଭୁତାଣୁ ପ୍ରବେଶ କରି ଏଡ୍ସ ହେଲା। ଏ କଥା ତୋ ମାଆ ଜାଣିବା ପରେ ଅନେକ ଗାଳି କଲା। ଏବଂ ମୋ ଚରିତ୍ରକୁ ସନ୍ଦେହ କରି ନାନା ପ୍ରକାର ଦୋଷାରୋପ କଲା। ମୋର କାଳେ ଅନ୍ୟ ସ୍ତ୍ରୀଙ୍କ ସହ ଅବୈଧ ସମ୍ପର୍କ ଅଛି।ଗାଁରେ ଜାଣିବା ପରେ ଆମକୁ ଏକଘରକିଆ କରିବାର ନିଷ୍ପତି ନେଲେ।ମୋ ଯୋଗୁ ତମେ ଦୁଇ ଜଣଙ୍କୁ ବି ନିଆଁ, ପାଣି ବନ୍ଦ କରାଗଲା।ସେଥିପାଇଁ ମୁଁ ଉଚିତ ମନେ କଲି ଘର ଛାଡ଼ି ଚାଲିଯିବାକୁ। ହେଲେ ତୋ ଠାରୁ ମୋହ ତୁଟାଇ ପାରୁନଥିଲି।ତତେ ଟିକେ ଦେଖିବା ପାଇଁ ମୁଁ ତୋ ସ୍କୁଲ, କଲେଜ ଆଗରେ ଜଗି ବସିଥାଏ।ଆଉ ତୁ ବଡ଼ ହୋଇ ସ୍ୱାବଲମ୍ବୀ ହେଲା ପରେ ଏତେ ରାତି ଝିଅଟା ଘରକୁ ଫେରୁଛୁ।ସେଥିପାଇଁ ମୋ ମନର ଡର ଥାଏ ତୋ ପାଇଁ।ତତେ ଅନୁସରଣ କରେ।ଦୂରରୁ ତତେ ଦେଖି ମୁଁ ଖୁସି ହେଇଯାଏ।ମତେ ଶାନ୍ତି ମିଳେ।ତୁ ଘର ପାଖାପାଖି ହେବା ଦେଖି ମୁଁ ପୁଣି ବାହୁଡ଼ିଯାଏ।"


  ବାପାଙ୍କ କଥା ଶୁଣି ମିତା ଜାବୁଡ଼ିଧରି କାନ୍ଦିଲା ଅନେକ।ପିଲା ଦିନୁ ସେ ବହୁତ ଘୃଣାକରିଛି ଏ ପୁରୁଷ ଜାତି ଉପରେ।ପୁରୁଷ ଜାତି କାମୁକ, ଲମ୍ପଟ, ସ୍ୱାର୍ଥପର ବୋଲି ଭାବିବା ସହିତ ନିଜ ବାପାଙ୍କୁ ବି ଭୁଲ ବୁଝିଛି।କେବଳ ସେ ନୁହେଁ ତା' ମାଆ, ତା' ଗାଁ ଆଉ ସମାଜ ମଧ୍ୟ ଠିକ୍ ଭୂଲର ବିଚାର ନ କରି ଦୋଷଯାକ ପୁରୁଷ ମୁଣ୍ଡରେ ଲଦିଦେଲେ।ପିଲାଦିନୁ ତା' ମନରେ ଜନ୍ମିଥିବା ପୁରୁଷ ଜାତି ପ୍ରତି ଅନାଶକ୍ତ ବାପାଙ୍କର ତ୍ୟାଗ ଆଉ ପରିବାର ପ୍ରତି ଦାୟିତ୍ବବୋଧ ଦେଖି ଭୂଲ ବୋଲି ପ୍ରମାଣିତ ହୋଇଗଲା। ସେ ହୃଦୟଙ୍ଗମ କରିପାରିଲା ଯେ ପାପୀ ନୁହନ୍ତି ସବୁ ପୁରୁଷ।


Rate this content
Log in

More oriya story from ପ୍ରିୟଦର୍ଶିନୀ ମହାନ୍ତି

Similar oriya story from Drama