ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ଜହ୍ନରାତି

ଜହ୍ନରାତି

4 mins
12.6K



   ନିତାକୁ ଖୁବ ଭଲ ଲାଗେ ଏଇ ଜହ୍ନ ରାତି। ସତେ ଯେମିତି ଜହ୍ନ ସହ ତାର ଖୁବ ନିବିଡ଼ ସମ୍ପର୍କ।ସେ ତ ଶୁଣିଛି ଜହ୍ନ କାଳେ କବି ମାନଙ୍କର ପ୍ରେମିକା ଆଉ ଗାଳ୍ପିକଙ୍କର ନାୟିକା।କିନ୍ତୁ ଜହ୍ନ ପ୍ରତି ତା'ର ଏତେ ଦୁର୍ବଳତା କାହିଁ!!କୃଷ୍ଣ ପକ୍ଷ ସରିଗଲେ ସେ ଚାହିଁ ରହିଥାଏ ଶୁକ୍ଳପକ୍ଷକୁ।ପ୍ରତେକ ରାତିରେ ଛାତକୁ ଆସି ଦେଖିଯାଏ ଜହ୍ନ ପୂର୍ଣ୍ଣ ହୋଇ ଉଇଁଛି କି ନାହିଁ।।ଏକାକୀ ଛାତ ଉପରକୁ ଯାଇ ଖୁବ ଅନୁଭବ କରେ ଜହ୍ନକୁ, ତା'ର ଶୀତଳ ଟାଜୋତ୍ସାକୁ।ଏମିତି କି ଗୋଟେ ଗୋଟେ ପୂର୍ଣ୍ଣମୀ ରାତି ସେ ଜହ୍ନକୁ ଦେଖି ଦେଖି କାଟିଦିଏ।ଖୁବ ସୁନ୍ଦର ଦେଖିବାକୁ ନିତା।ଠିକ୍ ପୂର୍ଣ୍ଣିମାର ଜହ୍ନ ପରି ଗୋଲ ମୁହଁ।ହରିଣୀ ପରି ଆଖି,ହସି ଦେଲେ ଦୁଇ ଗାଲରେ ସୃଷ୍ଟି ହୁଏ ଦୁଇଟି ଭଉଁରୀ।ଗୋଲାପ ପାଖୁଡା ପରି ଓଠ।

  ଯୁକ୍ତ ତିନିରେ ପଢ଼ୁଥବା ନିତା ତା'ର କଲେଜ ବାନ୍ଧବୀଙ୍କୁ ମଧ୍ୟ କୁହେ ଜହ୍ନ ପାଇଁ ଥିବା ତା'ର ଅନୁଭୂତିକୁ, ଆସକ୍ତିକୁ।ବାନ୍ଧବୀ ମାନେ ତାତ୍ସଲ୍ୟ କରି କୁହନ୍ତି ," ଜାଣିଲୁ ନିତା ପ୍ରେମରେ ପଡିଲେ କାଳେ ଏମିତି ହୁଏ।ଭାରି ଭଲ ଲାଗେ ଜହ୍ନ,କଇଁ, ସାଗର,ଝରଣା।ତତେ ବୋଧେ ସେମିତି କିଛି ହୋଇଛି।ସତ କହୁନୁ ବୁଲେଇ ବଙ୍କେଇ ଜହ୍ନ କଥା କାଇଁ କହୁଛୁ।କିଏ ସେ ପୁଅ? ନିତା ଅଭିମାନ ଭରା କଣ୍ଠରେ କୁହେ," ଯା, ତୁମମାନଙ୍କର ସବୁବେଳେ ସେଇ କଥା। ଆଉ ମୋ ମନ କଥା କହିବିନି ତୁମମାନଙ୍କୁ।ଯଦି ସେମିତି କିଛି ଥା'ନ୍ତା ତୁମମାନଙ୍କୁ ପ୍ରଥମେ କୁହନ୍ତି।ଲୁଚେଇବି କାହିଁକି? ତୁମମାନଙ୍କ ସହ ମୁଁ ସବୁ କଥା ଭାଗ କରେ।ମୋର ଆଉ କିଏ ଅଛି କହିଲ! ଜନ୍ମରୁ ତ' ମାଆକୁ ଦେଖିନି।ବାପା କହୁଥିଲେ ମୁଁ ଜନ୍ମ ହେବାର କିଛି ଘଣ୍ଟା ପରେ ମାଆ ଚାଲିଗଲା।ନିତାର କଥା ଶୁଣି ସମସ୍ତେ ତା'ଚାରିପଟେ ନିଜ ନିଜର କାନ ଧରି ଘେରିଯାଇ ସମୂହ ଭାବେ କହିଲେ," କ୍ଷମା କରି ଦେ।ଆମେ ତତେ ଥଟ୍ଟାରେ କହୁଥିଲୁ।ନିତା ସମସ୍ତଙ୍କୁ ଆଲିଙ୍ଗନ କରି କୁହେ," ନା ଲୋ, ସାଙ୍ଗ ସାଥିରେ କ୍ଷମା କ'ଣ!!ହଉ ଛାଡ଼ ସେ କଥା ସବୁ।କଲେଜ ବେଳ ହେଲାଣି ଶୀଘ୍ର ଚାଲ।

   ଆଜି ଯେ ନିତା ଯୌବନରେ ପଦାର୍ପଣ କରିଥିବାରୁ ତାକୁ ଜହ୍ନ ଭଲ ଲାଗେ ସେ କଥା ନୁହଁ।ଛୋଟ ବେଳରୁ ଖୁବ ଭଲ ଲାଗେ ତାକୁ ଏ ଜହ୍ନ।ଶୁକ୍ଳପକ୍ଷର ଗୋଟିଏ ଗୋଟିଏ ଦିନ ଅତିକ୍ରମ କରିବା ସହ ରାତିରେ ଜହ୍ନର ଆକାରର ପରିବର୍ତ୍ତନକୁ ଲକ୍ଷ୍ୟ କରେ ନିତା।ଛାତ ଉପରେ ବସି ଖୁବ ଗପେ ସେ ଜହ୍ନ ସହ।ତା' ମନ ଗହନର କଥାକୁ ଜହ୍ନ ଆଗରେ ପରିପ୍ରକାଶ କରେ।ଜହ୍ନ ସହ ଆଖି ମିଳାଏ।କାଳ୍ପନିକ ଭାବେ କେତେ ଜୀଵ ଜନ୍ତୁଙ୍କ ଚିତ୍ର ସେ ଦେଖେ ଜହ୍ନ ଗର୍ଭରେ। କେବେ ଠେକୁଆ,କେବେ କୁକୁର ଆଉ କେବେ ମୟୁର।ମାଆ ନଥିବାର ଦୁଃଖ କିଛି ଅଂଶ ଏଇ ଜହ୍ନ ତା'ର ଦୂର କରିଦିଏ।

   ଏବେ ସେ ବିବାହ ଯୋଗ୍ୟା ହୋଇଗଲାଣି।ତା'ର ସମସ୍ତ ବାନ୍ଧବୀ ବିବାହ କରିସାରିଲେଣି।ନିତାର ବାପା ମଧ୍ୟ ନିତା ପାଇଁ ବର ଖୋଜିବାରେ ବ୍ୟସ୍ତ।ଅନେକ ପ୍ରସ୍ତାବ ଆସିଛି। ପୁଅ ସହ ପୁଅ ଘର ଲୋକ ନିତାକୁ ଦେଖିବାକୁ ଆସନ୍ତି।ତା' ରୁପର ପ୍ରଶଂସା କରନ୍ତି।କିନ୍ତୁ କ'ଣ ହୁଏ କେଜାଣି ଦେଖି ଦେଇ ଯିବା ପରେ ମଧ୍ୟସ୍ଥି ହାତରେ ବାହାଘର ନ କରିବା ପାଇଁ ଖବର ପଠାନ୍ତି।ନିତା ତ ଦେଖିବାକୁ ଅସୁନ୍ଦରୀ ନୁହେଁ କି ଅପାଠୋଇ ନୁହେଁ ତେବେ କ'ଣ ପାଇଁ କେହି ରାଜି ହେଉନାହାନ୍ତି..?? ସେଥିପାଇଁ ନିତା ବାପାଙ୍କ ମନ ବହୁତ ଦୁଃଖ।

   ସବୁ କୁଆଁରୀ ଝିଅ ପରି ନିତା ମଧ୍ୟ ସ୍ବପ୍ନ ଦେଖିଥାଏ ରାଜକୁମାର ପକ୍ଷୀରାଜ ଘୋଡା ଚଢି ଦୂର ଜହ୍ନ ରାଇଜକୁ ନେଇଯିବ ତାକୁ।ସେଠାରେ ଦିହେଁ ଗଢିବେ ପ୍ରେମର ମହଲ।କିନ୍ତୁ ପୁଅ ଘର ଲୋକଙ୍କ ପ୍ରତ୍ୟାଖାନ ପରେ ନିମିଷକେ ଭାଙ୍ଗିଯାଏ ନୂଆ ଜୀବନ ଆରମ୍ଭ କରିବାର ସ୍ବପ୍ନ ।କେତେ ଆଉ ସେ ସ୍ବପ୍ନ ଦେଖିବ!! ତା ବାନ୍ଧବୀ ମାନେ ବାହା ହୋଇ ସ୍ୱାମୀ ମାନଙ୍କ ସହ ଆସନ୍ତି ଗାଁକୁ। ହାତ ଧରା ଧରି ହୋଇ ଏ ସାହି ରୁ ସେ ସାହି ବୁଲନ୍ତି। ତା'ର ମଧ୍ୟ ଇଚ୍ଛା ହୁଏ ଏମିତି ଗୋଟିଏ ସଂସାର କରିବାକୁ।

    ସେଦିନ ଥିଲା କୁମାର ପୂର୍ଣ୍ଣିମା।ନିତା ନୂଆ ଡ୍ରେସରେ ନିଜକୁ ସଜାଡି ସାଙ୍ଗ ସାଥୀଙ୍କ ସହ ବୁଲି ବୁଲି ଘରକୁ ଆସିଲା।ଆଜି ରାତିରେ ଜହ୍ନ ପୂର୍ଣ୍ଣ ରୂପେ ପ୍ରକଟ ହେବ।ସନ୍ଧ୍ୟାରେ ନିତା ଆଞ୍ଜୁଳି ଟେକିବ ଚଉରା ମୂଳେ।ସେଥିପାଇଁ ନିତା ବହୁତ ଖୁସି।ଦ୍ବିପହର ବେଳା ନିତାର ବାପା ଜ୍ୟୋତିଷ ଡକାଇଥିଲେ ନିତାର ଜାତକ ଦେଖାଇବାକୁ।ଜ୍ୟୋତିଷ ଜାତକ ଦେଖି ହାତ ଆଙ୍ଗୁଠିରେ କିଛି ଗଣନା କରିବା କ୍ଷଣି ଜାତକଟିକୁ ତୁରନ୍ତ ଫିଙ୍ଗି ଦେଇ ଭୁସ୍ କରି ଉଠିପଡିଲେ ଚେୟାରରୁ।ନିତାର ବାପା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଉଠି ପ୍ରଶ୍ନ କଲେ," କ'ଣ ହେଲା ଆଜ୍ଞା ?ଜ୍ୟୋତିଷ କହିଲେ," ଭୁଲି ଯା' ଝିଅର ହାତକୁ ଦୁଇ ହାତ କରିବା କଥା। ତୁମ ଝିଅ ଗୋଟେ ଉଆଁସି କନ୍ୟା।ଅମାବାସ୍ୟାରେ ଜନ୍ମ ହୋଇଥିବା ତୁମ ଝିଅକୁ ଯିଏ ବି ବିବାହ କରିବ ତା'ର ମୃତ୍ୟୁ ସୁନିଶ୍ଚିତ।ସେଥିପାଇଁ ତୁମ ଝିଅକୁ କେହି ମଙ୍ଗୁନାହାନ୍ତି।ଏ କଥା ଶୁଣି ନିତା ବାପା ମୁଣ୍ଡରେ ଯେମିତି ଚଡକ ପଡିଗଲା।ସ୍ଥାଣୁ ହୋଇ ବସିଗଲେ ସେଇଠାରେ।ଇତି ମଧ୍ୟରେ ଜ୍ୟୋତିଷ ଚାଲିଯାଇଥିଲେ।

   ନିତା ସେହି ଘର ବାହାରେ ପରଦା ପଛ ପଟେ ଠିଆ ହୋଇ ଶୁଣୁଥିଲା ବାପା ଏବଂ ଜ୍ୟୋତିଷଙ୍କ କଥା।ନିତା ଆଖିରୁ ବୋହି ଯାଉଥିଲା ନିର୍ଝରଣୀ ପରି ଧାର ଧାର ଲୁହ।ବୋହୂ ବେଶ ହୋଇ ନୂଆ ଜୀବନ ଗଢିବାର ସ୍ବପ୍ନ ଭାଙ୍ଗିଗଲା ତା'ର। କାହାକୁ ସେ ନିନ୍ଦିବ? ନିଜ ଭାଗ୍ୟକୁ, ଭଗବାନଙ୍କୁ,ନିଜ ପୂର୍ବଜନ୍ମର କର୍ମକୁ ନା ଜନ୍ମ ବେଳାକୁ...!!! ଅନେକ ଦ୍ଵନ୍ଦ ତା' ମନରେ। କ'ଣ ପାଇଁ ଜହ୍ନ ପାଖେ ତା ମନ ? ଯାହା ତା ଭାଗ୍ୟରେ ନାଈଁ ତାକୁ ହାସଲ କରିବାପାଇଁ କାହିଁ ସେ ସ୍ବପ୍ନ ଦେଖିଥିଲା?ନିଜକୁ ନିଜ ତାତ୍ସଲ୍ୟ କରି କହୁଥିଲା ," ଅମାବାସ୍ୟାରେ ଜନ୍ମ ହୋଇ ପୂର୍ଣିମାର ଜହ୍ନ ଆଉ ଜହ୍ନ ରାତି ପ୍ରତି ଏତେ ଲୋଭ କରିବା ଆଉ ବାହା ହୋଇ ନୂଆ ଜୀବନଟେ ଗଢିବା, ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼େଇବା ସହ ସମାନ।

   ନିଜ ରୁମ୍ ର କବାଟ ଦେଇ କାନ୍ଦୁଥିଲା ନିତା।ନିତାର ବାପା କବାଟ ବାଡେଇଲେ ହେଲେ ମଧ୍ୟ ନିତା ଖୋଲିଲାନାହିଁ। ବାପା ବି ବୁଝିସାରିଥିଲେ ନିତା ନିଜ ବିଷୟରେ ସବୁ ଜାଣିସାରିଛି। କାନ୍ଦି କାନ୍ଦି ନିତା ଶୋଇଯାଇଥିଲା ନିଦରେ। ଅର୍ଦ୍ଧରାତ୍ରକୁ ତା'ର ନିଦ ଭାଙ୍ଗିଲା ।ଆଜି ପୂର୍ଣ୍ଣିମୀ ହେଲେ ନିତାକୁ ଇଚ୍ଛା ନଥିଲା ଛାତକୁ ଯାଇ ଜହ୍ନ ସହ ଗପ କରିବାକୁ।ତଥାପି ଝରକା ଦେଇ ପଶିଆସୁଥିଲା ତୋଫା ଜହ୍ନର ମେଞ୍ଚା ମେଞ୍ଚା ଜୋତ୍ସା।

ନିତା ମନେ ମନେ ଭାବୁଥିଲା," ହଁ , ଲୋ ଜହ୍ନ ମୁଁ କାଳେ ତୋ ପରି ଦେଖିବାକୁ ସମସ୍ତେ କୁହନ୍ତି। ତୋ ଦେହରେ ଯେମିତି କଳଙ୍କର ଦାଗ ଆଜି ଜାଣିଲି ମୋ ଦେହରେ ବି କଳଙ୍କ।ଅନ୍ଧାର ରାତିରେ ଜନ୍ମିଲି ଯଦି ତୋ ପ୍ରତି ଏତେ ଲୋଭ କାହିଁ ସୃଷ୍ଟି ହେଲା?ତୋ ବିନା ମୋ ଜନ୍ମ ରାତି ଯେମିତି ଅନ୍ଧାର ଥିଲା ଚିରଦିନ ପାଇଁ ମୋ ଜୀବନ ବି ଅନ୍ଧାରେ ରହିଗଲା।"

ନିତା ଝରକାଟିକୁ ବନ୍ଦ କରିଦେଇ ଅନ୍ଧାର ସହ ମିତ ବସିବାକୁ କରିଥିଲା ପ୍ରତିଜ୍ଞା ଆଉ କିଛି ସର୍ତ୍ତ।


Rate this content
Log in

Similar oriya story from Tragedy