Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ପ୍ରିୟଦର୍ଶିନୀ ମହାନ୍ତି

Others

4  

ପ୍ରିୟଦର୍ଶିନୀ ମହାନ୍ତି

Others

ମୁଖା

ମୁଖା

4 mins
35



ସବୁଦିନ ଅଫିସ ସାରି ଘରକୁ ଫେରିଲାବେଳକୁ ରାତି ସାତ କିମ୍ବା ଆଠ। ସେଦିନ କିନ୍ତୁ ହଠାତ ବୋଉର ଅସୁସ୍ଥତା ଖବର ଶୁଣି ଅପରାହ୍ନ ଚାରିଟା ବେଳୁ ବାହାରି ପଡ଼ିଲି ଅଫିସରୁ। ଘର ଠାରୁ ଅଫିସର ଦୂରତା ପାଖାପାଖି ପନ୍ଦର କିଲୋମିଟର ହେବ।ଅଫିସ ବାହାରେ ଅଟୋକୁ ଅପେକ୍ଷା କରିଥାଏ। ପନ୍ଦର କି କୋଡିଏ ମିନିଟ୍ ଅପେକ୍ଷା କରିବା ପରେ ମଧ୍ୟ କୌଣସି ଅଟୋ ନଜରକୁ ଆସିଲାନି।ତେଣୁ ଭାବିଲି କିଛି ବାଟ ଚାଲିକି ଗଲେ ହୁଏତ ଆଗରେ ଅଟୋ ମିଳିଯାଇପାରେ।କିଛି ବାଟଗଲା ପରେ ଦେଖିଲି ଗୋଟିଏ ଅଟୋ ରାସ୍ତା କଡରେ ଠିଆହୋଇଅଛି।ଔଷଧ ଦୋକାନରୁ ବୋଉ ପାଇଁ ଔଷଧ କିଣି ଚଞ୍ଚଳ ପାଦ ପକାଇଲି ଅଟୋ ଆଡକୁ।


  ଅଟୋ ପାଖରେ ପହଞ୍ଚି କହିଲି,"ଭାଇ, ଚାଲ ରତନପୁର।" ଅଟୋଟିରେ ବସିବା ପାଇଁ ପାଦ ରଖୁ ରଖୁ କେହି ଜଣେ ମୋ ଓଢଣୀକୁ ପଛପଟୁ ଟାଣି ଧରିଲା। ମୋ ଛାତି ଭିତରଟା କେମିତି ଗୋଟେ ଅଜଣା ଭୟରେ ଥରି ଉଠିଲା।ତଣ୍ଟି ଶୁଖିଯାଉଥାଏ। ଏ ଜାଗାରେ ଏମିତି କେହି ହେଲେ ବି ମୋର ପରିଚିତ ଲୋକ ନାହାନ୍ତି। ତେବେ... କିଏ? କେହି ବଦମାସ , ଦୁଷ୍ଟ ଲୋକ ନୁହେଁ ତ..? ସାହସ କରି ପଛକୁ ଚାହିଁଲା ବେଳକୁ ଗୋଟେ ଝିଅ । ପାଖାପାଖି ପଚିଶ କି ତିରିଶି ହେବ।ଅତ୍ୟନ୍ତ ଜରାଜୀର୍ଣ୍ଣ ଶରୀର। ପିନ୍ଧିଥିବା ଲୁଗା ଦେହକୁ ସମ୍ପୂର୍ଣ୍ଣ ଆବରଣ କରିପାରୁନି। ମୁଣ୍ଡର କେଶ ଯେମିତି କେଉଁ କାଳୁ କୁଣ୍ଡାଯାଇନାହିଁ। କାଖରେ ବର୍ଷେ କି ଦୁଇ ବର୍ଷର ଛୁଆଟିଏ।ମୁଁ ଭ୍ୟାନୀଟିରୁ ଦଶ ଟଙ୍କା କାଢି ବଢ଼େଇଦେଲି ତାକୁ।


  ଠିକ ଏଇ ସମୟରେ ଅଟୋ ବାଲାଟି ଝିଅଟିକୁ ଧକ୍କାଟିଏ ଦେଇ ଘଉଡେଇଦେଲା। ମୁଁ ମନେ ମନେ ଭାବୁଥାଏ ଆରେ କେଡେ ଅଜବ ଲୋକଟା ସତରେ..! ଭଦ୍ରାମି ,ଶିଷ୍ଟାଚାର ବୋଲି କିଛି ନାହିଁ ନା କ'ଣ।ସେ ଝିଅଟି ଗଲାବେଳେ ବୁଲି ବୁଲି ଚାହୁଁଥାଏ ମତେ। ସେତେବେଳୁ ମୁଁ ଅଟୋରେ ବସି ଭାବୁଥାଏ ସେ ଭିକାରୁଣୀ କଥା। ତା' ବିଷୟରେ କିଛି ଜାଣିବାକୁ ଇଚ୍ଛା ହେଲା। ସେଥିପାଇଁ ଅଟୋବାଲାକୁ ପଚାରିଲି," ଆଚ୍ଛା... ସେ କେବେ ଠାରୁ ଏମିତି ଏଠି ଭିକ ମାଗୁଛି।ଅଟୋବାଲା କହିଲା," ସେ ଗୋଟେ ପାଗେଳି। ପାଞ୍ଚ , ଛ' ବର୍ଷ ହେଲାଣି ଏଇଠି ବୁଲୁଛି। ଭିକ ମାଗି ଚଳୁଛି।ଏଇ ରାସ୍ତା କଡରେ କି ବସ୍ ଷ୍ଟାଣ୍ଡରେ ଶୋଉଚି। ମୁଁ ପୁଣି ପଚାରିଲି ," ଆଉ ତା' କାଖରେ ଥିବା ପିଲା...? ଅଟୋବାଲାଟି ଏକ ତାତ୍ସଲ୍ୟପୁର୍ଣ୍ଣ ହସଟିଏ ହସି କହିଲା," କ'ଣ ମାଡାମ..., ସେ ପାଗେଳି ହେଲେ ମଧ୍ୟ ତା' ଦେହରେ ବି ଭୋକ ଅଛି। ଦେହର ଭୋକ ସହ ପେଟର ଭୋକ ବି ମେଣ୍ଟିଯାଏ କିଛି ପଇସା ବଦଳରେ । କାହାକୁ ବା ଜଣା ତା' କାଖରେ ଥିବ ପିଲାଟିର ବାପା କିଏ..?" 


  ମତେ କିନ୍ତୁ ଏ କଥା ସହଜରେ ହଜମ ହେଲାନି। ଯଦି ସେ ଦେହ ବିକି ଗୁଜୁରାଣ କରିପାରୁଛି ତେବେ ଭିକ ମାଗିବାର ଆବଶ୍ୟକତା ନାହିଁ। ଆଉ ତା' ବେଶ ପରିପାଟିରୁ ଲାଗୁନି ଯେ ସେ ସେପରି କିଛି କାମ କରୁଥିବ। ଏଇ ସବୁ କଥାବାର୍ତ୍ତା ଆଉ ଭାବନା ଭିତରେ ଘର ପହଁଞ୍ଚିଗଲା। ଅଟୋବାଲାକୁ ପଇସା ଦେଇ ବିଦା କରିଦେଲି।


  ଉଚ୍ଚରକ୍ତଚାପ ହେତୁ ବୋଉ ମୁଣ୍ଡ ବୁଲେଇ ପଡିଯାଇଥିଲା। ପଡିଶା ଘର ଖୁଡି ବୋଉକୁ ଉଠେଇ ଆଣି ଖଟ ଉପରେ ଶୁଆଇ ତା' ପାଖରେ ବସିଥିଲେ। ନିୟମିତ ଔଷଧ ସେବନ ନ କରିବାରୁ ବୋଉର ଏଇ ଅବସ୍ଥା। ଔଷଧ ସରିଗଲେ ମତେ ଜଣାଇବା ପାଇଁ ସେ କାହିଁକି କେଜାଣି କୁଣ୍ଠାବୋଧ କରେ। ବୋଉର ନିଦ ଭାଙ୍ଗିଲା ପରେ ସାଙ୍ଗରେ କିଣି ଆଣିଥିବା ଔଷଧ ତାକୁ ଖାଇବାକୁ ଦେଲି।ବୋଉକୁ ତାଗିଦ କରି କହିଲି ଏଣିକି ଦେହର ଯତ୍ନ ନେ ଆଉ ହେଳା କରନାହିଁ।


 ଏମିତି ଅନେକ ଦିନ ଗଲା। ସବୁଦିନ ଅଫିସରୁ ଘର ଆଉ ଘରୁ ଅଫିସ ଏ ମୋ ନିତିଦିନିଆ କାମ।ଫେରିଲା ବେଳକୁ ରାତି ହୋଇଯାଏ। ସବୁବେଳେ ସେ ଭିକାରୁଣୀକୁ ମୋ ଆଖି ଖୋଜୁଥାଏ।କିନ୍ତୁ ଦେଖା ମିଳେନି।


  ଥରେ ଅଫିସରୁ ଘର ପାଇଁ ବାହାରିଲା ବେଳକୁ ଝିପିଝିପି ବର୍ଷା ହେଲା। ଅଟୋ ପାଇଁ ବହୁତ ସମୟ ଅପେକ୍ଷା କରିବା ପରେ ମଧ୍ୟ ମିଳିଲାନି। ଭାଗ୍ୟ ଭଲ ସାଙ୍ଗରେ ଛତାଟିଏ ଆଣିଥାଏ।କିଛି ଉପାୟ ନ ପାଇ ମୁଖ୍ୟ ରାସ୍ତାରେ ଗୋଟି ଗୋଟି କରି ପାଦ ବଢେଇବାରେ ଲାଗିଲି। ବର୍ଷା ମଧ୍ୟ ତା ବେଗ ବଢ଼ଉଥିଲା। ଭାରି ଡର ଲାଗୁଥାଏ।ବର୍ଷା ଯୋଗୁଁ ରାସ୍ତା ସୁନସାନ।କିଛି କିଛି ଜାଗାରେ ସ୍ତ୍ରୀଟ ଲାଇଟ୍ ଜଳୁଥାଏ।


 କିଛି ବାଟ ଗଲା ପରେ ଏକ ଅନ୍ଧାରିଆ ଗଳିରୁ ଅଜବ ଶବ୍ଦ ଆସିଲା।କେହି ଜଣେ ଯେମିତି ଯନ୍ତ୍ରଣାରେ କାନ୍ଦିବାର। ସାହସ ହେଉନଥିଲା ସେ ଗଳିରେ ପାଦ ପକେଇବାକୁ। କିନ୍ତୁ ପରେ ପରେ ବହୁତ କଷ୍ଟରେ କିଏ ଜଣେ "ଛାଡିଦିଅ" , "ଛାଡିଦିଅ" କହିବାର ଶବ୍ଦ ଶୁଭିଲା। ଶବ୍ଦରୁ ଅନୁମେୟ ହେଲା ଏ ନିଶ୍ଚୟ କେଉଁ ଝିଅର କଣ୍ଠ ସ୍ୱର।କିଛି ସମୟ ପରେ ସେ ଶବ୍ଦ ମଧ୍ୟ ଆଉ ଶୁଭିଲାନି ସତେ ଯେମିତି କେହି ଜଣେ ତା' ପାଟିକି ଚୁପ କରି ରଖିଦେଲା। ମନରେ ଭୟ ଥିବା ସତ୍ତ୍ବେ କେହି ଜଣେ ଅସୁବିଧାରେ ପଡିଛି ଭାବି ସାହାଯ୍ୟ କରିବାକୁ ଦମ୍ଭର ସହ ଆଗକୁ ବଢିଲି।

  

  ମୋବାଇଲର ଟର୍ଚ୍ଚ ମାରି ଆଗକୁ ଚାଲିଲି।ଓଃ... ଆଶ୍ଚର୍ଯ୍ୟ..! ରାସ୍ତାର ଗୋଟେ ପାଖ ଡ୍ରେନକୁ ଲାଗି ଝିଅଟି ପଡିଛି। ଆଖିକୁ ଵିଶ୍ଵାସ ହେଲାନି। ଏ କଣ !! ଭିକମାଗୁଥିବା ସେ ଝିଅଟିକୁ ବିବସ୍ତ୍ର କରି ନରପିଶାଚ ପରି ସବାର ହେଇଚି କେହି ଜଣେ।ତା' ପାଟିକୁ ହାତରେ ଚିପି ଗୋଟା ପଣେ ଝୁଣି ଖାଉଛି ସେ କାମୁକ। ।ଉଲଗ୍ନ ଶରୀର ବର୍ଷାରେ ସମ୍ପୂର୍ଣ୍ଣ ଭିଜିଯାଇଛି।କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲି ମୁଁ। ଲୋକଟି ସଙ୍ଗେ ସଙ୍ଗେ ଉଠିପଡ଼ି ନିଜକୁ ସଜାଡି ନେଲାବେଳକୁ ଅତି ପାଖରୁ ତା' ମୁହଁକୁ ଲାଇଟ୍ ପକେଇଲି। ଅବାକ୍ ହୋଇ ଚାହିଁରହିଥାଏ ମୁଁ ସେ ଲୋକଟିକୁ। ସେ ସେତେବେଳକୁ ଦୌଡ଼ି ଚାଲିଯାଇଥାଏ। ଆରେ ଏଇତ ସେଇ ଅଟୋବାଲା ଯିଏ ଏଇ ଭିକ ମାଗୁଥିବା ଝିଅଟିକୁ , ପାଗେଳି ଆଉ ଦେହଜୀବୀ କହି ଉପହାସ କରୁଥିଲା। ତା'ର ଚରିତ୍ର ସଂହାର କରୁଥିଲା। ତା ପିଲାଟିକୁ ଜାରଜ ସନ୍ତାନ କହୁଥିଲା।


  ସମାଜ ଆଗରେ ଭଦ୍ର ମୁଖା ପିନ୍ଧୁଥିବା ଏଇ ଲୋକ ରାତି ବେଳା କିନ୍ତୁ ପାଲଟିଯାଆନ୍ତି ନର ରାକ୍ଷାସ । ଏମାନଙ୍କ ନଜରରୁ ସାଧାରଣ ଭିକାରୁଣୀଟି ମଧ୍ୟ ବାଦ୍ ଯାଏନି। ନିଜର କଳାକାରାନାମାକୁ କଳା ଅନ୍ଧାର ରାତିରେ ସଫଳ କରାନ୍ତି। ଖୁବ ଉପଭୋଗ କରନ୍ତି।କିନ୍ତୁ ସକାଳକୁ ଆସି ସଫେଇ ଦିଅନ୍ତି, ଅନ୍ୟକୁ ଆଙ୍ଗୁଠି ଦେଖାନ୍ତି।ଏଇ ମୁଖା ପିନ୍ଧିଥିବା ଲୋକଙ୍କୁ ଚିହ୍ନିବା ସତରେ ବହୁତ କଷ୍ଟକର କାମ। ମୁଖାର ପଛ ପଟ ଚରିତ୍ର କିନ୍ତୁ ଅତି ଅମାନୁଷିକ।ଭଦ୍ରାମିର ଅତି ସୁନ୍ଦର ଅଭିନୟ କରିବାର କଳାରେ ସିଦ୍ଧହସ୍ତ। 


  ବିଚାରି ସେ ଝିଅ ଓଦା ଲୁଗାକୁ ଚିପୁଡି ପିନ୍ଧିଲା। ଆଉ କାନ୍ଦି କାନ୍ଦି ସେଇ ଅନ୍ଧାର ଗଳିରେ ଅଦୃଶ୍ୟ ହେଇଗଲା। ମୁଁ କିନ୍ତୁ ସେଇଠାରେ ଠିଆ ହୋଇଥିଲି ହାତବାକ୍ ହୋଇ ଆଉ ଭାବୁଥିଲି ଭଦ୍ରାମି ମୁଖା ପିନ୍ଧା ଅଭଦ୍ର , ଅସଭ୍ୟଙ୍କ କଥା।





Rate this content
Log in