ମଣିଷପଣିଆ
ମଣିଷପଣିଆ
ଟିଭିରେ ଘନ ଘନ ନ୍ୟୁଜ ମହାମାରୀ କରୋନାରେ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ, କେତେ ଆରୋଗ୍ୟ ଆଉ କେତେ ମୃତ୍ୟୁ ବରଣ କରିଲେଣି। ସକାଳୁ ଟିଭି ଲଗାଇ ସୋମା ଦେଖୁଥିଲା ନ୍ୟୁଜ। ଟିଭି ବନ୍ଦ କରି ଦୀର୍ଘ ନିଃଶ୍ୱାସଟିଏ ମାରି ସୋମା ମନେ ମନେ ଭାବୁଥାଏ। ଏମିତି ପରିସ୍ଥିତି ଆସିବ ବୋଲି କିଏ କେବେ ଭାବିଥିବ କି ଭଲା !! ପୋକ ମାଛି ପରି ଲୋକ ମରୁଛନ୍ତି। ସବୁଆଡେ ତାଲା ବନ୍ଦ। ମଣିଷ ହୋଇ ମଣିଷକୁ ସାହାଯ୍ୟ କରିବାକୁ ବି ଡରୁଛନ୍ତି। ଏଇ ଭୁତାଣୁ ସଂକ୍ରମଣ ରୋଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ। ଅନେକ ଲୋକ ଚାକିରିରୁ ଛଟେଇ। ରୋଜଗାରର ବାଟ ବନ୍ଦ। ପ୍ରାୟ ସବୁଆଡେ ଅନାହାର। ପ୍ରବାସୀ ଓଡ଼ିଆମାନେ ନିଜ ରାଜ୍ୟକୁ ଆଗମନ କରିଲେଣି। ଏଗୁଡା ପ୍ରତ୍ୟହ ଟିଭିରେ ଶୁଣି ଶୁଣି ଭାରି ଡର ଲାଗିଲାନି ସତରେ। କ'ଣ ଯେ ହେବ ଆଗକୁ ଭଗବାନ ହିଁ ଜାଣନ୍ତି..।
ନୂଆ ନୂଆ ବାହାଘର ହୋଇଥାଏ ସୋମା ଆଉ ରମେଶର। ଶାଶୁ ,ଶଶୁର ଦୁହେଁ ନଣନ୍ଦଙ୍କ ଘରକୁ ବୁଲିବାକୁ ଯାଇ ଲକ୍ ଡାଉନରେ ଫସି ସେଇଠି ଅଛନ୍ତି। ରମେଶ ଏକ ଡାକ୍ତରଖାନାରେ ଆକାଉଣ୍ଟାଟ ଭାବେ କାମ କରେ। ସେଥିପାଇଁ ସୋମାକୁ ଟିକେ ଡର ଲାଗେ। ସେ ରମେଶକୁ ଯତ୍ନରେ ଚଳିବାକୁ କୁହେ। ଡାକ୍ତରଖାନାରେ ବାରମ୍ବାର ହାତକୁ ସାନିଟାଇଜ କରିବା, ଗ୍ଲୋବସ ପିନ୍ଧିବା ,ମାସ୍କ ବ୍ୟବହାର କରିବାକୁ ମନେପକେଇଦିଏ।
ସେଦିନ ସକାଳ ଆଠଟାରୁ ରମେଶ ଡାକ୍ତରଖାନାକୁ ଚାଲିଗଲା। ସୋମା ଆଉ କରିବ ବା କଣ ଘରେ ଏକୁଟିଆ।ନିଜର କାମ ସାରି ସବୁଦିନ ପରି ଟିଭି ଲଗେଇ ବସିଥିଲା। ହଠାତ ଆମ୍ବୁଲାନ୍ସର ସାଇରନ୍ ଶବ୍ଦ ଶୁଣି ଗେଟ୍ ପାଖକୁ ଗଲା। ଆମ୍ବୁଲାନ୍ସଟି ଲାଗିଲା ପଡିଶା ଘର ଆଗରେ। ସୋମା କିଛି ଭାବିବା ଆଗରୁ ପଡ଼ିଶାଘର ସନ୍ଧ୍ୟା ଅପା ,ତାଙ୍କ ସ୍ବାମୀ ଏବଂ ଶାଶୁ ଆମ୍ବୁଲାନ୍ସରେ ଚଢି ଚାଲିଗଲେ। ସଙ୍ଗେ ସଙ୍ଗେ କିଛି ଲୋକ ତାଙ୍କ ଘର ସାନିଟାଇଜ କରିଲେ। ତାଙ୍କର ତଳ ଉପର ହୋଇ ଦୁଇଟି ପୁଅ ବୟସ ପାଖାପାଖି ଦଶ ଆଉ ବାର ବର୍ଷ ହେବ। ସୋମା ଭଳି ସମସ୍ତେ ନିଜ ନିଜ ଘର ଭିତରେ ଥାଇ ଦେଖୁଥାନ୍ତି ଏ ଦୃଶ୍ୟ। ସୋମା ଘର ଭିତରକୁ ଆସି ଥକ୍କା ମାରି ସୋଫା ଉପରେ ବସିଲା।
କିଛି ଦିନ ପୂର୍ବରୁ ସନ୍ଧ୍ୟା ଅପାଙ୍କ ସ୍ୱାମୀ ଓଡ଼ିଆ ବାହାରୁ ଆସି ସଂଘରୋଧ କେନ୍ଦ୍ରରେ ଥିଲେ। ଚଉଦ ଦିନ ପରେ ମଧ୍ୟ ତାଙ୍କର କିଛି ଲକ୍ଷଣ ଆସିନଥିଲା। କିନ୍ତୁ ପାଖାପାଖି ମାସେ ପରେ ଲକ୍ଷଣ ଆସିବାରୁ ଘରର ସମସ୍ତେ କୋଭିଡ଼ ଟେଷ୍ଟ କରିଥିଲେ। ସନ୍ଧ୍ୟା ଅପା,ତାଙ୍କ ସ୍ବାମୀ ଆଉ ଶାଶୁଙ୍କର ପଜେଟିଭ ଆସିଛି। ଛୁଆ ଦୁଇଟାଙ୍କର ବୋଧ ହୁଏ ନେଗେଟିଭ।
ଛୁଆ ଦୁଇଟାଙ୍କର କଥା ମନେ ପଡିବା ପରେ ସୋମା ପୁଣି ଧାଇଁଲା ଗେଟ ଆଡେ। ପିଲା ଦୁଇଟି ଘର ପିଣ୍ଢାରେ ମନ ଦୁଃଖ କରି ବସିଥିଲେ।ପଡିଶା ଘରୁ ପଜେଟିଭ ବାହାରିବାର ଦେଖି ସମସ୍ତେ ନିଜ ନିଜ ଘର ସାନିଟାଇଜ କରିବାରେ ବ୍ୟସ୍ତ।
ସନ୍ଧ୍ୟା ସାଢ଼େ ଚାରିଟାରେ ରମେଶ ଡାକ୍ତରଖାନାରୁ ଆସିଲା। ରମେଶକୁ ଜଣା ସବୁ ଆଜିର ଘଟଣା ବିଷୟରେ। କାରଣ ସେ କାମ କରୁଥିବା ହସ୍ପିଟାଲରେ କୋଭିଡ ସେଣ
୍ଟର ଅଛି।
"ସେମାନେ ଏବେ କଣ କରିବେ"? ବିଚଳିତ ହୋଇ ସୋମା ପ୍ରଶ୍ନ କଲା। ହାଲିଆ ହୋଇ ହସପିଟାଲରୁ ଫେରିଥିବା ରମେଶ ଚାହୁଁଥିଲା କେମିତି ସେ ଶୀଘ୍ର ଗାଧୋଇ ପକେଇବା ପରେ କଣ ଟିକେ ଖାଇବ। ସକାଳ ଆଠଟାରୁ ଯାଇଥିଲା ଯେ ଫେରିଲା ବେଳକୁ ସନ୍ଧ୍ୟା ସାଢ଼େ ଚାରି ବାଜିଲାଣି।
ବିରକ୍ତ ହୋଇ ରମେଶ ଚିଡି ଉଠିଲା ଆଉ କହିଲା," ସେମାନେ ଯାହା କରିବେ ସେମାନେ ସେ କଥା ବୁଝିବେ। ତୁମକୁ ଏତେ ଚିନ୍ତା କାହିଁକି? ଲୋକଟା ଦିନ ସାରା କୋଉଠି ପାଣିଟୋପେ ପିଇଛି କି ନାହିଁ ପଚାରିବା ତ ଦୂରର କଥା ହାତକୁ ଗାମୁଛାଟିଏ ବି ବଢ଼େଇବାକୁ କଷ୍ଟ ହଉଛି। ବାଇମୁଣ୍ଡିକୁ..."
ସୋମା କିଛି କହିଲାନି। ଚେୟାର ଉପରେ ଆଣି ଟାୱେଲ ଥୋଇ ଦେଉ ଦେଉ କହିଲା," ଖାଇବା ସବୁ ତ ଥଣ୍ଡା ହୋଇଯାଇଛି। ଟିକେ ଅପେକ୍ଷାକର ଗରମ କରିଦେବି।"
ରମେଶ ଗାମୁଛା ନେଇ ଗାଧୁଆ ଘରକୁ ପଶି ଯାଉ ଯାଉ କହିଲା ," ଶୀଘ୍ର କର।ମୋ ପେଟ ଜଳିଲାଣି।"
ରମେଶ ଗାଧୋଇସାରି ଖାଇ ବିଶ୍ରାମ ନେଲା। ସୋମା ପୁଣି ଗେଟ ପାଖକୁ ଗଲା। ପିଲା ଦୁଇଟି ସେମିତି ଘର ବାହାର ପିଣ୍ଢାରେ ବସିଥାନ୍ତି। ସୋମା ସେ ଦୁଇଜଣଙ୍କୁ ଡାକିଲା। ପିଲା ଦୁଇଟିଙ୍କୁ ପଚାରି ବୁଝିଲା କଣ ଖାଇଛ କି ନାହିଁ? ଭାରି କରୁଣ , ନିରୀହ ଚାହାଣୀରେ ଚାହିଁ ପିଲା ଦୁଇଟି ସକାଳୁ ପାଉଁରୁଟି ଖାଇ ଅଛନ୍ତି ବୋଲି କହିଲେ।
ହଁ, ଏ ସମୟରେ କେଉଁ ସମ୍ପର୍କୀୟ ବି ସାହାଯ୍ୟ କରିବାକୁ ଆସିପାରିବେନି। ସୋମା ଅପେକ୍ଷା କରିବାକୁ କହି ଘର ଭିତରକୁ ଯାଇ ଗରମ କରିଥିବା ଖାଦ୍ୟ ଆଣି ଦୁଇଜଣଙ୍କୁ ବଢ଼ାଇଦେଲା। ପିଲା ଦୁଇଟି ଖାଇବା ନେଇ ଘରକୁ ଗଲେ। ସନ୍ଧ୍ୟା ପ୍ରାୟ ସାତଟା ବେଳକୁ ରମେଶକୁ ପିଲା ଦୁହିଁଙ୍କ କଥା କହିଲା। କ'ଣ ଖାଇବେ ସେମାନେ? କେମିତି ରହିବେ? ରମେଶ ବୁଝିପାରିଲା ସୋମା ମନକଥା।
ସନ୍ଧ୍ୟା ଅପାଙ୍କର ସ୍ବାମୀଙ୍କ ଫୋନ ନମ୍ବର ରଖିଥିଲା ରମେଶ। ଫୋନ କରି ଭଲ ମନ୍ଦ ବୁଝିଲା ସେମାନଙ୍କର। ଶେଷରେ ସୋମା ସନ୍ଧ୍ୟା ଅପାଙ୍କୁ କହିଲା," ଯଦି ଅନୁମତି ମିଳେ ତୁମେ ସବୁ ଆସିବା ପର୍ଯ୍ୟନ୍ତ ପିଲା ଦୁଇଟି ଆମ ଘରେ ରୁହନ୍ତୁ। ସେପଟୁ ସନ୍ଧ୍ୟା ଅପା ଛୋଟ ପିଲା ପରି କାନ୍ଦି କାନ୍ଦି କହିଲେ," ଏଥିରେ ଅନୁମତି କ'ଣ ନେବା ଦରକାର? ଭାବିଥିଲି ତତେ ଫୋନ କରି ପିଲାଙ୍କ ଦାୟିତ୍ୱ ଦେବି ବୋଲି କିନ୍ତୁ ପରେ ବିବେକ ମୋର ମନା କରିଲା। ଯୋଉଠି ନିଜ ଲୋକ ଛୁଇଁବାକୁ ଡରୁଛନ୍ତି ।ସେଠି ତତେ କେମିତି କହିଥାନ୍ତି।ଦିନସାରା ଆଜି ପିଲାଙ୍କ ଚିନ୍ତା ଲାଗୁଥିଲା। ମୋ ମନ କଥା ତୁ ଜାଣିପାରିଲୁ। ଆଜି ବି ତୋରି ପରି କିଛି ମଣିଷଙ୍କ ପାଖରେ ମଣିଷପଣିଆ ଅଛି ବୋଲି ସଂସାରଟା ଚାଲିଛି।ତୁ ନିଜର ନ ହୋଇ ମଧ୍ୟ ଯେଉଁ ଉପକାର କରିଲୁ ତାହା ମୁଁ ସାତ ଜନ୍ମରେ ବି ସୁଝିପାରିବିନି।"
ସନ୍ଧ୍ୟା ଅପାଙ୍କୁ ଆଶ୍ୱାସନା ଦେଇ ସୋମା କହିଲା ," ହଉ ଅପା, ତୁମେ ଆଉ କାନ୍ଦନି ଜଲ୍ଦି ସୁସ୍ଥ ହୋଇ ଫେରିଆସ।ପିଲାଙ୍କ କଥା ଚିନ୍ତା କରନି।ତମେ ଆସିବା ପର୍ଯ୍ୟନ୍ତ ପିଲାମାନେ ମୋ ଦାୟିତ୍ବ।