STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ମାଟି ପିଣ୍ଡୁଳା

ମାଟି ପିଣ୍ଡୁଳା

2 mins
191


ଚକରେ ମାଟି ପିଣ୍ଡୁଳାଟେ ଥୋଇ କ'ଣ ଗୋଟେ ଗଢୁଥିଲା କୁମ୍ଭାର ସାହିର ଚେମି କୁମ୍ଭାରୁଣୀ। ବାହାଘର ପରେ ଅକଥନୀୟ ଅତ୍ୟାଚାର ସ୍ୱାମୀର। ଭାରି ଅସହ୍ୟ । ତଥାପି ଭାଗ୍ୟ ଆଦରି ରହିଥିଲା ମୁହଁ ମାଡି।ଚମ୍ପା ସବୁ ଦେଖୁଥାଏ ଚିରା କନ୍ଥାର କଣା ଦେଇ। କେଇ ବର୍ଷ ପରେ ସ୍ୱାମୀ କେଉଁ ଆଡେ ଛାଡି ଚାଲି ଗଲା ।ସେବେଠାରୁ ପେଟ ପୋଷିବା ପାଇଁ ଆପଣେଇଛି ଚେମି ଏଇ କୌଳିକ ବୃତ୍ତିକୁ। କେବେ କେବେ ଭାଗ୍ୟକୁ ନିନ୍ଦେ।ବାହୁନି ବାହୁନି କାନ୍ଦେ। ଏଇ ନିର୍ଜୀବ ମାଟି ତିଆରି ଜିନିଷ ଆଉ ମାଟି ଘରର ଚାରି କାନ୍ଥ ଭିତରେ କବର ଦେଇଦିଏ ସେ ତା ଦୁଃଖକୁ।


  ଚେମି ଗୁଣୁଗୁଣେଇ ହେଉଥାଏ," କୁଆଡେ ଗଲା ଏ ହୁଣ୍ଡି ଝିଅଟା। ବୟସ ହେଲାଣି ଚଉଦ। ଆଉ ବରଷ କେଇଟାରେ ପର ଘରକୁ ଯିବ।ସେଥିରେ ତା'ର ଧୂଳି ଖେଳ ଛାଡିନି।" ହଠାତ ତା' ଝିଅ ଚମ୍ପା କୋଉଠି ଥିଲା କେଜାଣି ଦଉଡି ଆସି ମାଆ ପିଠିରେ ଲାଉ ହେଇଗଲା ବେକରେ ହାତ ଦୁଇଟିକୁ ଛନ୍ଦି।


  "ଆରେ ଆରେ ସବୁ ଗଲା। କେଡେ ଯତନରେ ପଲମଟା ଗଢୁଥିଲି ଯେ ସବୁ ବିଗାଡି ଦେଲୁ ! ଦେଖିଲୁ ଦେଖିଲୁ କେମିତି ତା' ରୂପ ବଦଳି ଗଲା! ଏବେ ୟାକୁ ଭାଙ୍ଗିବାକୁ ପଡିବ। ଏତେ ବଡଟେ ହେଲୁଣି ମାଆକୁ କାମରେ ସାହାଯ୍ୟ କରିବୁ ନା ପାଇଟି ଲଗେଇବୁ ବା.."


ଚମ୍ପା ମାଆ ପିଠିରୁ ଓହ୍ଲେଇ ଆସି ଅଭିମାନରେ ମୁହଁ ଫୁଲେଇ କହିଲା ," ପଧାନ ସାହିରେ ଯାଇ ଖେଳୁଥିଲି ଯେ ରଘୁର ମାଆ କହିଲା ତୋ ମାଆ ଏତେ ସୁନ୍ଦର ସୁନ୍ଦର ଜିନିଷ ମାଟିରେ ଯତ୍ନ କରି ଗଢୁଛି। ତତେ ଟିକେ ଯତ୍ନରେ ରଖିପାରୁନି। ବଢ଼ିଲା ଝିଅଟା ଦିନ ଦିପହରେ ଆସି ଖେଳୁଛୁ।"


  ତୁ କହ ମାଆ ଝିଅ ପିଲା ବୋଲି କ'ଣ ମତେ ଏଇ ମାଟି ପିଣ୍ଡୁଳା ପରି ମାରି ପିଟି ,ନିଆଁରେ ସେକି ଗଢିବୁ। ଚେମି କୁମ୍ଭାରୁଣୀ ଉତ୍ତର ଦେଲା," ହଁ, ଲୋ ମାଆ, ଝିଅଟିଏ ପାଇଁ ସବୁ ନୀତି ନିୟମ, ସବୁ କାଇଦା କଟକଣା। ଶିଖେଇବାକୁ ହୁଏ ମୁହଁରେ କେମିତି ଦେବାକୁ ହେବ ତାଲା। ତେଣିକି ଚାବୁକ ପାହାର ସହିବାକୁ ପିଠି ଥିବ ଖୋଲା।"


  ଏତକ କହି ଚେମି ଚାଲିଗଲା ଘର ଭିତରକୁ। ଚମ୍ପା ମନରେ କିନ୍ତୁ ସୃଷ୍ଟି ହେଉଥିଲା ପ୍ରଶ୍ନର ବୁଢ଼ିଆଣି ଜାଲ। ଝିଅଟିକୁ ଯଦି ମାଟି ପିଣ୍ଡୁଳା ପରି ଯତ୍ନରେ ଗଢ଼ାଯାଏ ତେବେ ପର ଘରେ ଯତ୍ନରେ ରଖାଯାଏନି କ'ଣ ପାଇଁ? ତେବେ କଣ ନରମ ମାଟି ପିଣ୍ଡୁଳାଟିକୁ ଶକ୍ତ କରି ଗଢ଼ାଯାଏ ଭବିଷ୍ୟତରେ ଭାଙ୍ଗିଦେବା ପାଇଁ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy